କନକ ବ୍ୟୁରୋ: କ୍ରିକେଟ ମଇଦାନରେ ସେନାର ଶୌର୍ଯ୍ୟକୁ କରାଯିବ ସଲାମ । ଆଇପିଏଲ ଗ୍ରାଣ୍ଡ ଫାଇନାଲରେ ଅପରେସନ ସିନ୍ଦୂରର ସଫଳତା ଉତ୍ସବ ପାଳନ ହେବ । ସିଡିଏସଙ୍କ ସମେତ ତିନି ସେନାର ମୁଖ୍ୟ ଏହି ଅବସରରେ ସାମିଲ ହେବାକୁ ନିମନ୍ତ୍ରଣ କରାଯାଇଛି । ବିସିସିଆଇ ପକ୍ଷରୁ ଏନେଇ ପ୍ରସ୍ତୁତି କରାଯାଉଥିବା ଜାତୀୟ ଗଣମାଧ୍ୟମରୁ ସୂଚନା ମିଳିଛି । ଜୁନ ୩ ତାରିଖରେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ ଆଇପିଏଲ ୨୦୨୫ର ଫାଇନାଲ ମୁକାବିଲା । ଉଦଯାପନୀ ଉତ୍ସବକୁ ଭାରତୀୟ ସେନାର ବୀର ଯବାନଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ କରାଯିବ । ପହଲଗାମ ଆତଙ୍କୀ ଆକ୍ରମଣର ପ୍ରତିଶୋଧ, ଅପରେସନ ସିନ୍ଦୂରରେ ନେଇଛି ଭାରତ । ପାକିସ୍ତାନର ଛାତି ଉପରେ ଆକ୍ରମଣ କରି କଡ଼ା ଜବାବ ଦେଇଛନ୍ତି ଭାରତୀୟ ଯବାନ । ପୂରା ଦେଶବାସୀ ସେନାବାହିନୀକୁ ପ୍ରଶଂସା କରୁଥିବାବେଳେ ବିସିସିଆଇ ମଧ୍ୟ ସ୍ୱତନ୍ତ୍ର ପ୍ରସ୍ତୁତି କରୁଛି । ଅପରେସନ ସିନ୍ଦୂର ପରେ ସୁରକ୍ଷା ଦୃଷ୍ଟିରୁ ପାଖାପାଖି ୧ ସପ୍ତାହ ଧରି ଆଇପିଏଲକୁ ସ୍ଥଗିତ ରଖାଯାଇଥିଲା । ମେ ୧୭ ତାରିଖରୁ ପୁଣି ଥରେ ଏହି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଥିବା ବେଳେ ଜୁନ ୩ ତାରିଖରେ ହେବ ଫାଇନାଲ୍ ଫାଇଟ୍ ।