କନକ ବ୍ୟୁରୋ: ରୋମାଞ୍ଚ ଭରା ଥିଲା ଆବୁଧାବିର ଏତିହାଦ୍ ଆରେନାରେ ଅନୁଷ୍ଠିତ ଆଇପିଏଲ୍ ୨୦୨୬ ମିନି ଅକ୍ସନ । କୋଟି କୋଟି ଟଙ୍କାର ନିଲାମୀ ଏବଂ ଦଳଗୁଡ଼ିକର ରଣନୈତିକ ଚାଲ୍ ମଧ୍ୟରେ କେବଳ ଦାମୀ ଓ ଅନ୍‌ସଲ୍ଡ ଖେଳାଳିଙ୍କ ନାଁ ଚର୍ଚ୍ଚାରେ ନାହିଁ, ବରଂ ଆଇପିଏଲ୍‌ ନିଲାମୀ ପରିଚାଳନା କରୁଥିବା ମଲ୍ଲିକା ସାଗର ମଧ୍ୟ ଚର୍ଚ୍ଚା ପରିସରକୁ ଆସିଛନ୍ତି । କିଏ ଏହି ମଲ୍ଲିକା ସାଗର । ଆଇପିଏଲ୍‌ ଅକ୍ସନରେ ତାଙ୍କୁ ହିଁ କାହିଁକି ଦେଖିବାକୁ ମିଳେ । କେଉଁଠି ରୁହନ୍ତି କଣ କରନ୍ତି ଅକ୍ସନ ଷ୍ଟାର ମଲ୍ଲିକା ସାଗର । ଏ ସବୁ ପ୍ରଶ୍ନର ଉତ୍ତର ଆଜି ଆମେ ଆପଣଙ୍କୁ ଦେବୁ । 

Advertisment

ମଲ୍ଲିକା ସାଗର ମୁମ୍ବାଇରେ ରହୁଥିବା ଜଣେ ଆର୍ଟ କଲେକ୍ଟର ବା କଳା, ସାହିତ୍ୟ, ଚିତ୍ର ସଂଗ୍ରାହକ ଏବଂ କନ୍‌ସଲଟାଣ୍ଟ । ସେ ଆଧୁନିକ ଏବଂ ସମସାମୟିକ ଭାରତୀୟ କଳା ସମ୍ବନ୍ଧୀୟ ପରାମର୍ଶଦାତା ଭାବେ 'ଆର୍ଟ ଇଣ୍ଡିଆ କନ୍‌ସଲଟାଣ୍ଟସ୍' ସହିତ କାମ କରନ୍ତି । କ୍ରିକେଟ୍ ଦୁନିଆକୁ ଆସିବା ପୂର୍ବରୁ ତାଙ୍କର କ୍ୟାରିଅର କଳା ଜଗତ ସହିତ ଜଡ଼ିତ ରହିଥିଲା । ଆଇପିଏଲ୍‌ରେ ତାଙ୍କ ପୂର୍ବରୁ ରିଚାର୍ଡ ମ୍ୟାଡଲି, ହ୍ୟୁ ଏଡମିଡସ୍ ଏବଂ ଚାରୁ ଶର୍ମାଙ୍କ ଭଳି ଦିଗ୍ଗଜ ଏହି ଦାୟିତ୍ବରେ ରହିଥିଲେ । ହେଲେ, ମଲ୍ଲିକା ସାଗର ଆରମ୍ଭରୁ ହିଁ ମହିଳା ପ୍ରିମିୟର ଲିଗ୍‌ରେ ବିସିସିଆଇର ଅଫିସିଆଲ ନିଲାମକାରୀ ରହି ଆସିଛନ୍ତି । ଏହା ବ୍ୟତୀତ, ସେ ୨୦୨୧ରେ ପ୍ରୋ’ କବାଡି ଲିଗ୍‌ର ନିଲାମରେ ମଧ୍ୟ ନଜର ଆସିସାରିଥିଲେ ।

ଏହା ବି ପଢ଼ନ୍ତୁ: କିଏ ୧୭ ବର୍ଷୀୟ ଅଭିଜ୍ଞାନ କୁଣ୍ଡୁ ? ଅଣ୍ଡର-୧୯ ଏସିଆ କପ୍ ମାରିଲେ ଡବଲ ସେଞ୍ଚୁରି

ମଲ୍ଲିକା ଆଇପିଏଲ୍ ୨୦୨୩, ୨୦୨୪ ଏବଂ ୨୦୨୫ର ଅକ୍ସନକୁ ମଧ୍ୟ ସଫଳତାର ସହ ପରିଚାଳନା କରିଥିଲେ । ବର୍ତ୍ତମାନ ଆଉ ଥରେ ତାଙ୍କୁ ଆଇପିଏଲ୍ ୨୦୨୬ର ମିନି ନିଲାମର ଦାୟିତ୍ୱ ପ୍ରଦାନ କରାଯାଇଥିଲା । ଯାହାକୁ ସେ ସଫଳତାର ସହତି ସମ୍ପାଦନ କରିଛନ୍ତି । ୨୦୦୮ରୁ ଆଇପିଏଲ ଆରମ୍ଭ ହୋଇଥିଲା । ୨୦୧୮ ପର୍ଯ୍ୟନ୍ତ ଆଇପିଏଲ୍ ନିଲାମୀର ଦାୟିତ୍ୱ ରିଚାର୍ଡ ମ୍ୟାଡଲିଙ୍କ ହାତରେ ରହିଥିଲା । ୨୦୧୯ରେ ଏହି ଦାୟିତ୍ୱ ହ୍ୟୁ’ ଏଡମିଡସ୍‌ଙ୍କୁ ମିଳିଥିଲା । ଆଇପିଏଲ୍ ୨୦୨୨ ସମୟରେ ଏଡମିଡସ୍‌ଙ୍କ ସ୍ୱାସ୍ଥ୍ୟାବସ୍ଥା ଅଚାନକ ବିଗିଡ଼ି ଯାଇଥିଲା, ଯାହା ପରେ ଚାରୁ ଶର୍ମା ତୁରନ୍ତ ଦାୟିତ୍ୱ ସମ୍ଭାଳି ପୂରା ନିଲାମକୁ ବିନା କୌଣସି ବାଧାବିଘ୍ନରେ ଶେଷ କରିଥିଲେ । ଅନ୍ୟପକ୍ଷରେ, ମଲ୍ଲିକା ସାଗର ୨୦୨୩ରେ ଆଇପିଏଲ୍‌ର ପ୍ରଥମ ମହିଳା ନିଲାମକାରୀ ହୋଇ ଇତିହାସ ରଚିଥିଲେ । ତାଙ୍କର ଏହି ଯାତ୍ରା ଭାରତୀୟ କ୍ରିକେଟ୍ କ୍ଷେତ୍ରରେ ମହିଳା ପ୍ରତିନିଧିତ୍ୱ ଦୃଷ୍ଟିରୁ ଏକ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି ବୋଲି ବିବେଚନା କରାଯାଏ । 

୨୦୦୧ ମସିହାରେ ନ୍ୟୁୟର୍କ ସ୍ଥିତ ‘କ୍ରିଷ୍ଟିଜ୍’ରୁ ଆରମ୍ଭ ହୋଇଥିଲା ମଲ୍ଲିକାଙ୍କ ନିଲାମକାରୀ କ୍ୟାରିଅର । ୨୬ ବର୍ଷ ବୟସରେ ସେ ଏହି ପ୍ରତିଷ୍ଠିତ ସଂସ୍ଥା ସହ କାମ କରୁଥିବା ପ୍ରଥମ ଭାରତୀୟ ମହିଳା ଅକ୍ସନର ହୋଇପାରିଥିଲେ । ଏହାପରେ ସେ ଭାରତ ଉପରେ ଧ୍ୟାନ କେନ୍ଦ୍ରୀଭୂତ କରିଥିଲେ ଏବଂ ମୁମ୍ବାଇରେ ‘ପୁଣ୍ଡୋଲେ ଆର୍ଟ ଗ୍ୟାଲେରି ’ଭଳି ସଂସ୍ଥା ସହିତ କାମ କରିବା ଆରମ୍ଭ କରିଥିଲେ । ଏହାପରେ ସେ ଆଇପିଏଲ୍‌ ସହିତ ଜଡ଼ିତ ହୋଇ ନିଜ କାର୍ଯ୍ୟ ଅବ୍ୟାହତ ରଖିଛନ୍ତି ।  

ଏହି ହାଇ-ଭୋଲଟେଜ୍ ମିନି ଅକ୍ସନରେ ୩୬୯ ଜଣ ଖେଳାଳି ନିଲାମ ତାଲିକାରେ ସାମିଲ ଥିଲା, ଫ୍ରାଞ୍ଚାଇଜିମାନଙ୍କ ପାଖରେ ମାତ୍ର ୭୭ଟି ଖାଲି ସ୍ଲଟ୍ ଥିଲା, ହେଲେ  ନିର୍ଣ୍ଣାୟକ ନିଷ୍ପତ୍ତି ନେଇ ସବୁ ଖେଳାଳିମାନଙ୍କୁ ଦଳରେ ସାମିଲ କରିଛନ୍ତି ଫ୍ରାଞ୍ଚାଇଜ୍‌ମାନେ ।