କନକ ବ୍ୟୁରୋ: ଡିସେମ୍ବରରେ ହେବ ଆଇପିଏଲ୍ ପାଇଁ ଖେଳାଳି ଅକ୍ସନ । ନିଜ ମନ ପସନ୍ଦର ଖେଳାଳିଙ୍କୁ ନିଲାମ ପ୍ରକ୍ରିୟାରେ କିଣିବେ ଫ୍ରାଞ୍ଚାଇଜ୍ । ତେବେ IPL ୨୦୨୬ ପାଇଁ ଏବେଠୁ ପ୍ରସ୍ତୁତି ଆରମ୍ଭ ହୋଇସାରିଛି । ଯଦିଓ ଇଣ୍ଡିଆନ ପ୍ରିମିୟର ଲିଗର ପରବର୍ତ୍ତୀ ସିଜିନ୍ ଆରମ୍ଭ ହେବାକୁ ବହୁତ ସମୟ ବାକି ଅଛି, ତଥାପି ତା ପୂର୍ବରୁ ମିନି ଅକ୍ସନ ସହିତ ଖେଳାଳିମାନଙ୍କର ରିଟେନସନ୍ ପ୍ରକ୍ରିୟା ଶେଷ ହେବ । ମିଳିଥିବା ସୂଚନା ମୁତାବକ ଆସନ୍ତା ଡିସେମ୍ବର ମାସରେ ଏହି ଖେଳାଳି ନିଲାମ ପ୍ରକ୍ରିୟା ହୋଇପାରେ ।
ଡିସେମ୍ବର ୧୩ ରୁ ୧୫ ମଧ୍ୟରେ ଖେଳାଳି ନିଲାମ
ଜାଣିରଖିବା ଉଚିତ ଯେ, ଇଣ୍ଡିଆନ୍ ପ୍ରିମିୟର ଲିଗର ପରବର୍ତ୍ତୀ ସିଜିନ୍ ପୂର୍ବରୁ ଏହି ନିଲାମ ହେବ। ଏଥର ମେଗା ନିଲାମ ନୁହେଁ, ମିନି ନିଲାମ ଅନୁଷ୍ଠିତ ହେବ। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଡିସେମ୍ବର ୧୩ ରୁ ୧୫ ତାରିଖ ଭିତରେ ଏହି ଖେଳାଳି ନିଲାମ ହେବ । ହେଲେ ଏପର୍ଯ୍ୟନ୍ତ ଏନେଇ BCCI ଏବଂ IPL ଗଭର୍ଣ୍ଣିଂ କାଉନସିଲ୍ କୌଣସି ବିଧିବଦ୍ଧ ତାରିଖ ଚୂଡ଼ାନ୍ତ କରିନାହାଁନ୍ତି ।
ଭାରତରେ ହେବ ଖେଳାଳି ନିଲାମ!
ପୂର୍ବ ଦୁଇଟି IPL ସିଜିନରେ ଖେଳାଳି ନିଲାମ ପ୍ରକ୍ରିୟା ଭାରତ ବାହାରେ ଅନୁଷ୍ଠିତ ହୋଇଥିଲା, କିନ୍ତୁ ଏଥର ଏପରି କିଛି ଘଟିବ ନାହିଁ ବୋଲି ଜଣାପଡୁଛି । ଯାହାର ଅର୍ଥ, ଏଥର ଆଇପିଏଲ୍ ପାଇଁ ଖେଳାଳି ନିଲାମ ଭାରତରେ ଅନୁଷ୍ଠିତ ହେବ। ଖାସ୍ କରି କୋଲକାତା କିମ୍ବା ବେଙ୍ଗାଲୁରୁରେ ଖେଳାଳି ନିଲାମ ହୋଇପାରେ ବୋଲି ଖବର ମିଳୁଛି । ତେବେ ଏହା ପୂର୍ବରୁ ନଭେମ୍ବର ୧୫ ସୁଦ୍ଧା ଟିମ୍ ମାନେ ନିଜ ନିଜର ରିଟେନସନ୍ ଖେଳାଳିଙ୍କ ତାଲିକା ବିସିସିଆଇକୁ ଦେବେ ଆଉ ଏହାପରେ ଯାଇ ଖେଳାଳି ନିଲାମ କରାଯିବ ।
ରାଜସ୍ଥାନ ଏବଂ ଚେନ୍ନାଇ ଉପରେ ନଜର
IPL 2025 ସିଜିନରେ ଖରାପ ପ୍ରଦର୍ଶନ କରିଥିବା ଦଳଗୁଡ଼ିକ ଏଥର ଆଇପିଏଲ୍ ଅକ୍ସନରେ ଅଧିକ ଖେଳାଳି ପରିବର୍ତ୍ତନ କରିବା ନେଇ ସୂଚନା ମିଳୁଛି । ଖାସ୍ କରି ରାଜସ୍ଥାନ ରୟାଲ୍ସ ଏବଂ ଚେନ୍ନାଇ ସୁପର କିଙ୍ଗସ୍ ଗତ ସିଜିନରେ ଖରାପ ପ୍ରଦର୍ଶନ କରିଥିବାରୁ ମିନି ଅକ୍ସନରେ ଅଧିକ ଖେଳାଳି କିଣିପାରନ୍ତି । ପୁରୁଣା ଖେଳାଳିଙ୍କୁ ବାଦ୍ ଦେଇ ଏହି ଦୁଇ ଦଳ ଅଧିକ ନୂଆ ଖେଳାଳିଙ୍କୁ ନିଜ ଟିମରେ ସାମିଲ କରିପାରନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/media_files/2025/10/10/ipl-auction-2025-10-10-13-08-25.jpg)