କନକ ବ୍ୟୁରୋ: ଆରମ୍ଭ ହୋଇ ସାରିଛି ଫଟାଫଟ୍ କ୍ରିକେଟର ମହାସମର । ନିଜ ନିଜ ଦମ ଦେଖାଇବା ଆରମ୍ଭ କରିସାରିଲେଣି ସବୁ ଟିମ୍ । ତେବେ ଆଇପିଏଲ ୨୦୨୫ର ଫାଇନାଲ ମ୍ୟାଚ ଏଥର ମେ ୨୫ରେ ଖେଳାଯିବ । ସବୁ ବର୍ଷ ପରି ଏଥର ବି ଆଇପିଏଲ ବିଜେତାଙ୍କ ଉପରେ ଟଙ୍କା ବର୍ଷା ହେବ । ଆଉ ଭଲ ପ୍ରଦର୍ଶନ କରିଥିବା ଖେଳାଳିଙ୍କୁ ମଧ୍ୟ ଜବଦରସ୍ତ ପୁରସ୍କାର ମିଳିବ । ବିଶ୍ୱର ସବୁଠାରୁ ଧନୀ କ୍ରିକେଟ ଲିଗ୍ କୁହାଯାଉଥିବା ଆଇପିଏଲରେ ଏଥର କାହାକୁ କେତେ ପୁରସ୍କାର ମିଳିବ ଆସନ୍ତୁ ଜାଣିବା । 

Advertisment

ରିପୋର୍ଟ ଅନୁସାରେ ଆଇପିଏଲରେ ଏଥର ପ୍ରାଇଜ ମନି ଗତ ସିଜିନର ବରାବର ରହିବ । ଏଥର ବି ଚାମ୍ପିୟନ ଟିମକୁ ୨୦ କୋଟି ଟଙ୍କା ପୁରସ୍କାର ରାଶି ମିଳିବ । ସେହିପରି ରନର୍ସଅପ ଟିମକୁ ୧୨.୫ କୋଟି ଟଙ୍କା ମିଳିବ । ଏହାସହ ତୃତୀୟ ସ୍ଥାନରେ ରହିଥିବା ଟିମକୁ ୭ କୋଟି, ଚତୁର୍ଥ ସ୍ଥାନରେ ଥିବା ଟିମକୁ ୬.୫ କୋଟି ଟଙ୍କା ମିଳିବ । ପଞ୍ଚମରୁ ଦଶମ ସ୍ଥାନ ଭିତରେ ରହିଥିବା ଟିମକୁ କୌଣସି ପ୍ରାଇଜ ମନି ଦେବାର ବ୍ୟବସ୍ଥା ହୋଇନି । ଟୁର୍ଣ୍ଣାମେଣ୍ଟରେ ଭଲ ପ୍ରଦର୍ଶନ କରିଥିବା ଖେଳାଳି ବି ମାଲାମାଲ ହେବେ । 

ଯେମିତି କି ପର୍ପଲ କ୍ୟାପ୍ ବିଜେତା, ଅରେଞ୍ଜ କ୍ୟାପ ବିଜେତା, ଏମର୍ଜିଂ ପ୍ଲେୟାର, ମୋଷ୍ଟ ଭାଲ୍ୟୁଏବଲ ପ୍ଲେୟାର, ସର୍ବାଧିକ ଛକା, ସର୍ବାଧିକ ଚୌକା ଓ ଚମତ୍କାର କ୍ୟାଚ ଧରିଥିବା ଖେଳାଳିଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ମିଳିବ । ତେବେ କହିବାକୁ ଗଲେ ଏଥର ପୁଣି ମାଲାମାଲ ହେବେ ଆଇପିଏଲ ଖେଳାଳି । ଗତ ବର୍ଷ ବିରାଟ କୋହଲି ସର୍ବାଧିକ ରନ କରି ଅରେଞ୍ଜ କ୍ୟାପ ବିଜେତା ହୋଇଥିବା ବେଳେ ହର୍ଷଲ ପଟେଲ ସର୍ବାଧିକ ଓ୍ୱିକେଟ ନେଇ ପର୍ପଲ କ୍ୟାପ ବିଜେତା ହୋଇଥିଲେ । 

ଆଇପିଏଲ ୨୦୨୫ରେ ବିସିସିଆଇ ନିୟମରେ କିଛି ପରିବର୍ତ୍ତନ କରିଛନ୍ତି । ଏଥିରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ବଲରେ ଲାଳ ଲଗାଇବାକୁ ଅନୁମତି ପୁଣି ଦେବା । କୋଭିଡ ୧୯ ମହାମାରୀ କାରଣରୁ ବଲରେ ଲାଳ ଲଗାଇବା ଉପରେ ପ୍ରତିବନ୍ଧକ ଲଗାଯାଇଥିଲା । ଏହାପରେ ଏହା ପ୍ରଥମ ଟୁର୍ଣ୍ଣାମେଣ୍ଟ ଯେଉଁଠି ବଲରେ ଲାଳ ଲଗାଇବାକୁ ବୋଲରଙ୍କୁ ଅନୁମତି ପ୍ରଦାନ କରାଯାଇଛି । ୨୦୨୨ରେ ଆଇସିସି ଏହି ନିୟମରେ ସମ୍ପୂର୍ଣ୍ଣ ରୂପେ ପ୍ରତିବନ୍ଧକ ଲଗାଇଦେଇଛି । ହେଲେ ଆଇପିଏଲରେ ଏହି ନିୟମ ଆରମ୍ଭ ହେବା ଅନ୍ୟ ଦେଶ କ୍ରିକେଟକୁ ପ୍ରଭାବିତ କରିପାରେ । 

ଆଇପିଏଲ ୨୦୨୫ ସନ୍ଧ୍ୟାରେ ଖେଳାଯାଉଥିବା ମ୍ୟାଚରେ ଯଦି ଅମ୍ପାୟାରଙ୍କୁ ଲାଗିବ କାକର ମ୍ୟାଚକୁ ପ୍ରଭାବିତ କରୁଛି ତେବେ ଦ୍ବିତୀୟ ଇଂନିସର ୧୧ତମ ଓଭରରେ ଅମ୍ପାୟର ନୂଆ ବଲର ବ୍ୟବହାର କରିବାକୁ ଅନୁମତି ଦେବେ । ଦିନରେ ଥିବା ମ୍ୟାଚରେ ଏହି ନିୟମ ଲାଗୁ ହେବ ନାହିଁ । ଏହା ବ୍ୟତୀତ ଟିମ୍ ଉଚ୍ଚତା, ଅଫସାଇଡ୍ ଓ ଓ୍ୱାଇଡ୍ ପାଇଁ ଡିଆରଏସର ବ୍ୟବହାର କରିପାରିବେ । ତେବେ ଚଳିତ ବର୍ଷ ଆଇପିଏଲରେ ଏହି ସବୁ ନିୟମ ଲାଗୁ ହୋଇଛି ।