କନକ ବ୍ୟୁରୋ: ଆଜି ଆଇପିଏଲ ମହାମୁକାବିଲା । ଗୁଜରାଟ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଟାଇଟଲ୍ ପାଇଁ ଟକ୍କର ହେବ । ପଞ୍ଜାବ କିଙ୍ଗସ୍ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ହାଇଭୋଲ୍ଟେଜ୍ ଟି-୨୦ ମୁକାବିଲା ଦେଖିବେ କ୍ରିକେଟ୍ ପ୍ରେମୀ । ପ୍ରଥମ କରି ନୂଆ ଟିମକୁ ମିଳିବ ଆଇପିଏଲ ମୁକୁଟ । ଯିଏ ବି ଜିତିଲେ ହେବେ ନୂଆ ଚାମ୍ପିଅନ୍ ।
୧୭ଟି ସିଜିନରୁ ଗୋଟିଏ ଥର ବି ଟ୍ରଫି ଜିତିପାରିନଥିବା ଦୁଇ ଦଳ ଏଥର ଫାଇନାଲରେ ପ୍ରବେଶ କରିଛନ୍ତି । ପୂର୍ବରୁ ଉଭୟ ଦଳ ଫାଇନାଲକୁ ଯାଇଥିଲେ ମଧ୍ୟ ରନର୍ସଅପରେ ସନ୍ତୁଷ୍ଟ ହୋଇଥିଲେ । ତେଣୁ ପ୍ରଥମ ଆଇପିଏଲ ଟ୍ରଫି ଜିତିବାକୁ ଜୋର୍ ଲଗାଇଦେବେ ଉଭୟ ଦଳ । କ୍ୱାଲିଫାୟର-୧ ଲଢ଼େଇରେ ଆରସିବିଠାରୁ ଲଜ୍ଜାଜନକ ପରାଜୟ ବରଣ କରିଥିଲା ପଞ୍ଜାବ । ମାତ୍ର ୧୦୧ ରନ୍ରେ ଅଲ୍ଆଉଟ୍ ହୋଇଥିଲା ଦଳ । ଅଧିନାୟକ ଶ୍ରେୟସ୍ କହିଥିଲେ, ଆମେ ଲଢ଼େଇ ହାରିଛୁ ଯୁଦ୍ଧ ନୁହେଁ । ଆଉ କ୍ୱାଲିଫାୟର-୨ରେ ଜବରଦସ୍ତ କମବ୍ୟାକ୍ କରି ଏ କଥାକୁ ସତ ପ୍ରମାଣିତ କରିଛନ୍ତି ଶ୍ରେୟସ୍ । ଆୟରଙ୍କ ବିସ୍ଫୋରକ ବ୍ୟାଟିଂରେ ଆଇପିଏଲରୁ ବିଦା ହୋଇଛି ୫-୫ଥରର ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ।
ଅନ୍ୟପଟେ ନିଜ ଆଇପିଏଲ ଟ୍ରଫି ସ୍ବପ୍ନ ପୂରା କରିବାକୁ ପୂରା ଦମ୍ ଲଗାଇବେ ବିରାଟ କୋହଲି । କିନ୍ତୁ ଫାଇନାଲ ଫାଇଟରେ ବାଧକ ହୋଇପାରେ ବର୍ଷା । କ୍ବାଲିଫାୟର-୨ ମ୍ୟାଚରେ ମଧ୍ୟ ବର୍ଷା କିଛି ସମୟ ପାଇଁ ବାଧକ ସାଜିଥିଲା । ତେବେ ବର୍ଷା ଛାଡ଼ିବା ପରେ ପୁଣି ଖେଳ ଆରମ୍ଭ ହୋଇଥିଲା । ଆଜି ମଧ୍ୟ ସମାନ ଷ୍ଟାଡିୟମରେ ଫାଇନାଲ ମୁକାବିଲା ଖେଳାଯିବ । ତେଣୁ ଯଦି ଫାଇନାଲ ମ୍ୟାଚରେ ବର୍ଷା ହୁଏ ତେବେ କଣ ହେବ ? କିଏ ହେବ ବିଜେତା ? ବର୍ଷା ବାଧକ ସାଜିଲେ କେଉଁ ଆଧାରରେ ବିଜେତା ବଛାଯିବ ? ଏସବୁ ଉପରେ ଖେଳପ୍ରେମୀଙ୍କ ନଜର ।