କନକ ବ୍ୟୁରୋ: ଆଇପିଏଲ୍ ୨୦୨୫ର ଏଲିମିନେଟର ମ୍ୟାଚରେ ଆଜି ମୁମ୍ବାଇ ଇଣ୍ଡିଆନ୍ସ ଓ ଗୁଜରାଟ ଟାଇଟାନ୍ସ ମୁହାଁମୁହିଁ । ଏହା ଏକ ନିର୍ଣ୍ଣାୟକ ମ୍ୟାଚ, ଯେଉଁଥିରେ ବିଜେତା କ୍ୱାଲିଫାୟାର ୨ରେ ପଞ୍ଜାବ କିଙ୍ଗସ୍ଙ୍କ ସହ ମୁକାବିଲା କରିବେ, ଆଉ ପରାଜିତ ଦଳ ଟୁର୍ଣ୍ଣାମେଣ୍ଟରୁ ବାହାରିବ । ଶୁବମନ ଗିଲଙ୍କ ନେତୃତ୍ୱରେ ଗୁଜରାଟ ଟାଇଟାନ୍ସ ଲିଗ୍ ଷ୍ଟେଜରେ ତୃତୀୟ ସ୍ଥାନରେ ରହିଥିଲେ, କିନ୍ତୁ ଶେଷ ଦୁଇଟି ମ୍ୟାଚରେ ପରାଜୟ ସେମାନଙ୍କ ଫର୍ମକୁ ପ୍ରଭାବିତ କରିଛି । ଜୋସ୍ ବଟଲରଙ୍କ ଅନୁପସ୍ଥିତିରେ ଗିଲ୍ ଓ ସାଇ ସୁଦର୍ଶନଙ୍କ ଉପରେ ବ୍ୟାଟିଂ ନିର୍ଭର କରୁଛି । ବୋଲିଂରେ ପ୍ରସିଦ୍ଧ କୃଷ୍ଣା ଓ ମହମ୍ମଦ ସିରାଜ ନେତୃତ୍ୱ ଦେଉଛନ୍ତି, କିନ୍ତୁ ରଶିଦ ଖାନ୍ଙ୍କ ଫର୍ମ ଦଳ ପାଇଁ ଚିନ୍ତାର ବିଷୟ । ସେପଟେ, ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ମୁମ୍ବାଇ ଇଣ୍ଡିଆନ୍ସ ଚତୁର୍ଥ ସ୍ଥାନରେ ରହି ପ୍ଲେ-ଅଫରେ ପହଞ୍ଚିଛି । ରୋହିତ ଶର୍ମା, ସୂର୍ଯ୍ୟକୁମାର ଯାଦବ ଓ ଜସପ୍ରିତ ବୁମରାଙ୍କ ଭଳି ତାରକା ଖେଳାଳି ଥାଇ ମଧ୍ୟ ଦଳର ବ୍ୟାଟିଂ ସ୍ଥିରତା ଅଭାବ ଦେଖାଦେଇଛି ।
ଜୋନି ବେୟାରଷ୍ଟୋ ଓ ଚାରିତ ଆସାଲଙ୍କା ନୂଆ ଖେଳାଳି ଭାବେ ମୁମ୍ବାଇରେ ଯୋଗ ଦେଇଛନ୍ତି । ଦୁଇ ଦଳ ମଧ୍ୟରେ ମୋଟ ୭ଟି ମ୍ୟାଚରେ ଗୁଜରାଟ ୫ଟି ଓ ମୁମ୍ବାଇ ୨ଟି ଜିତିଛି ଅର୍ଥାତ ଗୁଜରାଟର ପଲା ଭାରି ରହିଛି । ଚଳିତ ସିଜନରେ ଗୁଜରାଟ ଉଭୟ ମ୍ୟାଚରେ ମୁମ୍ବାଇକୁ ହରାଇଛି। ଏଲିମିନେଟର୍ ଜିତିବାକୁ ହେଲେ ଦୁଇ ଦଳ ନିଜ ପୂର୍ବ ଭୁଲ୍କୁ ସୁଧାରିବାକୁ ପଡ଼ିବ । ମୁମ୍ବାଇ ପାଇଁ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅସ୍ଥିର ପ୍ରଦର୍ଶନ ଏବଂ ପୂର୍ବତନ ଅଧିନାୟକ ରୋହିତ ଶର୍ମାଙ୍କ ଭଲ ଆରମ୍ଭକୁ ବଡ଼ ସ୍କୋର୍ରେ ରୂପାନ୍ତର କରି ନ ପାରିବାର ଅକ୍ଷମତା ଚିନ୍ତାର କାରଣ ହୋଇପାରେ । ଗୁଜରାଟ ପାଇଁ ତା’ ଶୀର୍ଷକ୍ରମର ସଫଳତା ସବୁଠୁ ବେଶି ଗୁରୁତ୍ବବହନ କରିବ । ଏହି ଦଳର ବୋଲିଂ ବାହିନୀକୁ ମଧ୍ୟ ନିଜ ପୁରୁଣା ଚମକ ଫେରାଇ ଆଣିବାକୁ ହେବ । ଏହି ହାଇ-ଭୋଲଟେଜ ମ୍ୟାଚରେ କିଏ ଜିତିବ? ଗିଲ୍ଙ୍କ ନେତୃତ୍ୱରେ ଗୁଜରାଟ ନା ପାଣ୍ଡ୍ୟାଙ୍କ ଅଭିଜ୍ଞତାରେ ମୁମ୍ବାଇ ? କ୍ରିକେଟ ପ୍ରେମୀଙ୍କ ନଜର ଏହି ରୋମାଞ୍ଚକର ମୁକାବିଲା ଉପରେ ।