କନକ ବ୍ୟୁରୋ: କଟକରେ ବ୍ରିଜ୍ କାମ ବେଳେ କେମିତି ଛିଡିଲା କ୍ରେନ୍, କେମତି ଖସିଲା ସ୍ଲାବ୍ ? ଅସୁରକ୍ଷିତ ଭାବେ ଚାଲିଥିଲା କି କାମ? ଏସବୁର କାରଣ ଜାଣିବାକୁ ଘଟଣାର ତଦନ୍ତ ଆରମ୍ଭ ହୋଇଛି । ଘଟଣା ସ୍ଥଳରେ ପହଞ୍ଚିଛନ୍ତି ତଦନ୍ତକାରୀ ଟିମ୍ । ଉପ ଜିଲ୍ଲାପାଳଙ୍କ ନେତୃତ୍ୱରେ ଆସିଛି ଏହି ଟିମ୍ । ଟିମ୍ରେ ଶ୍ରମ ଅଧିକାରୀ ଓ ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ସାମିଲ ଅଛନ୍ତି । ଘଟଣା ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ତଦନ୍ତ କରୁଛନ୍ତି ଅଧିକାରୀ ।
ଗତକାଲି ସନ୍ଧ୍ୟାରେ କଟକ ଖାନନଗରରେ ବ୍ରିଜ୍ କାମ ଚାଲିଥିବା ବେଳେ ଯାଇଛି ୩ ଜଣଙ୍କର ଜୀବନ। କାମ ଚାଲିଥିବା ବେଳେ ସ୍ଲାବ ଖସିପଡିବାରୁ ୩ ଜଣଙ୍କ ମୃତ୍ୟୁ ହୋଇଛି। ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଗୁରୁତରଙ୍କ ଚିକିତ୍ସା କଟକ ଏସସିବିରେ ଚାଲିଛି । ଖାନନଗରରେ କାଠଯୋଡ଼ି ବ୍ରିଜ୍ କାମ ଚାଲିଥିବା ବେଳେ ଏଭଳି ଅଘଟଣ ଘଟିଛି । ମୃତକ ହେଉଛନ୍ତି ସାଇଟ୍ ଇଂଜିନିୟର ସୌମ୍ୟରଂଜନ ମଲ୍ଲିକ, ଶିବଶଙ୍କର ପଟ୍ଟନାୟକ ଓ ସୁବାସ ଚନ୍ଦ୍ର ଭକ୍ତ । ସେହିପରି ୨ ଆହତ ହେଉଛନ୍ତି ଅରୁଣ ବାରିକ ଏବଂ ବିକଳ ଜେନା । ଏସସିବିରେ ଆହତଙ୍କୁ ଭେଟିଛନ୍ତି ପୂର୍ତ୍ତମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ।