କନକ ବ୍ୟୁରୋ : ବିଜେପି ସରକାରର ୧୪ ମାସରେ ଗଠନ ହୋଇଛି ୧୫ ତଦନ୍ତ କମିଟି ଓ କମିଶନ । କିଛି ରିପୋର୍ଟ ଦେଇଛନ୍ତି, ଆଉ କିଛି ରିପୋର୍ଟ ଦେଇନାହାନ୍ତି । ଆଉ ଯେଉଁମାନେ ରିପୋର୍ଟ ଦେଇଛନ୍ତି ତାହାକୁ ସାର୍ବଜନୀନ କରାଯାଇନାହିଁ । ଏବେ ଆସନ୍ତୁ ନଜର ପକାଇବା ଚଳିତ ସରକାରର ବିଭିନ୍ନ ଘଟଣା ପାଇଁ ଗଠିତ ହୋଇଥିବା କିଛି ପ୍ରମୁଖ କମିଟି ଓ କମିଶନ ଉପରେ
-ଏଏସଓଙ୍କୁ ରାଜ୍ୟପାଳଙ୍କ ପୁଅ ମାଡ଼ ମାରିଥିବା ଘଟଣାକୁ ନେଇ କମିଟି (୧୩.୦୭.୨୦୨୪)
-ଆଡ଼ପ ପହଣ୍ଡି ସମୟରେ ବଳଭଦ୍ର ପଡ଼ିବା ଘଟଣା (୯.୦୭.୨୦୨୪)
- ଭରତପୁର ଥାନାରେ ମେଜର-ବାନ୍ଧବୀଙ୍କୁ ଦୁର୍ବ୍ୟବହାର ଘଟଣାରେ ଜଷ୍ଟିସ ଚିତ୍ତରଞ୍ଜନ ଦାସ (୧୫.୯.୨୦୨୪)
-ଚିକିଟି ମଦମୃତ୍ୟୁ ପାଇଁ ଆରଡିସି ସ୍ତରୀୟ ତଦନ୍ତ ( ୨୨.୦୮.୨୦୨୪)
-କନ୍ଧମାଳ ମଣ୍ଡିପଙ୍କା ଆମ୍ବଟାକୁଆ ଖାଇ ମୃତ୍ୟୁ ଘଟଣା ( ୧୧.୧୧.୨୦୨୪)
-ଶ୍ରୀମନ୍ଦିରରୁ ମଦକ ଚୋରି ( ୨୪. ୦୬.୨୦୨୫)
-ଶରଧାବାଲି ଦଳାଚକଟା ଘଟଣା (୨୯.୦୬.୨୦୨୫)
ଏହି ସବୁ ଘଟଣାରେ ତଦନ୍ତ ହୋଇଛି । ଅଧିକାଂଶ ଘଟଣାର ରିପୋର୍ଟ ବି ଆସିଛି । କିନ୍ତୁ ଏ ଯାଏଁ ରିପୋର୍ଟ ସାର୍ବଜନୀନ ହେଲାନାହିଁ । ବର୍ତ୍ତମାନ ସୁଦ୍ଧା ୧୫ କମିଟି ଓ କମିସନର ରିପୋର୍ଟରେ କ’ଣ ଅଛି ତାହା ଲୋକେ ଜାଣିପାରିଲେ ନାହିଁ । ଏହାକୁ ନେଇ ରାଜନୀତି ଜୋର ଧରିଛି । ମୁହାଁମୁହିଁ ହୋଇଛନ୍ତି ବିଜେଡି-ବିଜେପି । ୧୫ ରିପୋର୍ଟ ମଧ୍ୟରୁ କିଛି ଏଭଳି ରିପୋର୍ଟ ଅଛି ଯାହା ଅତି ସମ୍ବେଦନଶୀଳ । ତଦନ୍ତ ବେଳେ ରାଜକୋଷରୁ କୋଟି କୋଟି ଖର୍ଚ୍ଚ ହୋଇଛି । କିନ୍ତୁ ରିପୋର୍ଟରେ କ’ଣ ଅଛି ତାହା ସାମ୍ନାକୁ ନ ଆସିବା ସମୟ ଓ ଅର୍ଥ ବରବାଦ ବୋଲି ଚର୍ଚ୍ଚା ହେଉଛି ।