କନକ ବ୍ୟୁରୋ : ଫକୀରମୋହନ କଲେଜରେ ଛାତ୍ରୀ ଆତ୍ମହୁତି ଘଟଣାରେ ତଦନ୍ତକୁ ଜୋରଦାର କରିଛି କ୍ରାଇମବ୍ରାଞ୍ଚ । ତଦନ୍ତକାରୀ ଏଜେନ୍ସି କଲେଜରେ ଆଜି କିଛି କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କୁ ପଚରାଉଚରା କରିଛନ୍ତି । ସେପଟେ ଆଇସିସି ରିପୋର୍ଟ ଆସିବା ପରେ ନିଜ ଦୋଷ ଲୁଚାଇବାକୁ ଉଦ୍ୟମ କରିଛନ୍ତି ଆଇସିସି ସଦସ୍ୟ ମିନୀତି ସେଠୀ । ବାଲେଶ୍ବରେ ଫକୀରମୋହନ ଛାତ୍ରୀ ଆତ୍ମହୁତି ଘଟଣାର ସତ ଖୋଜୁଛନ୍ତି କ୍ରାଇମବ୍ରାଞ୍ଚର ଟିମ୍ । ଆଜି ପଞ୍ଚମ ଦିନରେ କଲେଜର କିଛି କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କୁ ଜେରା କରାଯାଇଛି । ଜେରା ହୋଇଥିବା ଛାତ୍ରଛାତ୍ରୀଙ୍କୁ ପୂର୍ବରୁ କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ଡାକିଥିଲା । ଆଉ ସେହି ଅନୁସାରେ କିଛ ଛାତ୍ରଛାତ୍ରୀ ତଦନ୍ତକାରୀ ଏଜେନ୍ସି ଆଗରେ ହାଜର ହୋଇଥିଲେ । ଆଜି କଲେଜରେ ପାଠପଢା ସ୍ବାଭାବିକ ଥିଲା , ସ୍ପଟ୍ ସିଲେକସନ ବି ହୋଇଛି । ଘଟଣା ପରେ ୭ଟି ସାଇକେଲ କଲେଜ ପରିସରରେ ପଡିରହିଥିଲା । ଯାହା ସନ୍ଦେହ ଘେରକୁ ଆସିଛି । ଆଜି ଜଣେ ଛାତ୍ରୀ ନିଜ ସାଇକେଲ ନେଇଛନ୍ତି । ଅନ୍ୟ ସାଇକେଲ କାହାର ତାହା ଜଣାପଡିନାହିଁ ।
କନକ ନ୍ୟୁଜରେ ଆଇସିସି ରିପୋର୍ଟର ସତ ସାମ୍ନାକୁ ଆସିବା ପରେ ପ୍ରତିକ୍ରିୟା ରଖିଛନ୍ତି କମିଟି ସଦସ୍ୟା ମୀନତି ସେଠୀ । କହିଛନ୍ତି, ଲିଖିତ ରିପୋର୍ଟ ବ୍ୟତୀତ ମୌଖିକ ଭାବେ ସମୀର ସାହୁଙ୍କୁ ବଦଳି ବାବଦରେ କହିଥିଲୁ । ସମ୍ବେଦନଶୀଳ ପରିସ୍ଥିତିକୁ ଦୃଷ୍ଟିରେ ରଖି ସମୀର ସାହୁଙ୍କୁ ଅନ୍ୟତ୍ର ବଦଳି କରିବା କିମ୍ବା ଛୁଟିରେ ପଠାଇଦେବା ପାଇଁ କଲେଜ ଅଧ୍ୟକ୍ଷଙ୍କୁ ମୌଥିକ ଭାବେ କହିଥିଲେ କମିଟି ସଦସ୍ୟ । ସମୀର ସାହୁଙ୍କ ବିରୋଧରେ କେହି କିଛି କହିନାହାନ୍ତି । ତେଣୁ କେମିତି ସମୀର ସାହୁଙ୍କ ବିରୋଧରେ ଲେଖିଥାନ୍ତୁ ବୋଲି ଓଲଟା ପ୍ରଶ୍ନ କରିଛନ୍ତି ମନୀତି ସେଠୀ । ରବିବାର କ୍ରାଇମବ୍ରାଞ୍ଚ ଡିଜି ବାଲେଶ୍ବରରେ ତଦନ୍ତ କରିଥିଲେ । କିଛି ଗୁରୁତ୍ବପୂର୍ଣ୍ଣ ସୁରାକ୍ ମିଳିଥିବା ସୂଚନା ଦେଇଥିଲେ । ତେଣୁ କ୍ରାଇମବ୍ରାଞ୍ଚର ତଦନ୍ତର ନିଷ୍କର୍ସ ଉପରେ ସମସ୍ତଙ୍କ ନଜର ରହିଛି ।