କନକ ବ୍ୟୁରୋ : କଟକ ଖାନନଗର ବ୍ରିଜ ନିର୍ମାଣ କାମ ଚାଲୁଥିବା ବେଳେ କ୍ରେନ ଛିଣ୍ଡି, ସ୍ଲାବ ତଳେ ଚାପି ହୋଇ ୩ ଜଣଙ୍କର ମୃତ୍ୟୁ ଘଟଣା ତ୍ରୁଟିକୁ ପଦାରେ ପକାଇଛି । ଠିକାଦାର ଓ ଦାୟିତ୍ବରେ ଥିବା ଅଧିକାରୀଙ୍କ ଅବହେଳାକୁ ଧରାପକାଇ ଦେଇଛି ।  ତେବେ କେଉଁ ପରିସ୍ଥିତିରେ ଏତେ ବଡ ଅଘଟଣ ଘଟିଲା ତାର ଅନୁସନ୍ଧାନ ଆରମ୍ଭ କରିଛି ସ୍ବତନ୍ତ୍ର ଟିମ୍ । 

Advertisment

କଟକ ଖାନନଗର ରିଂ ବନ୍ଧ ବ୍ରିଜ୍ ନିର୍ମାଣ ଚାଲିଥିବାବେଳେ କ୍ରେନରୁ କଂକ୍ରିଟ ଗାର୍ଡର ଖସି ପଡି ୩ଜଣଙ୍କ ମୃତ୍ୟୁ ହେବା ଖବର ସମସ୍ତଙ୍କୁ ଚକିତ କକିଛି । ଏତେ ବଡ ଅଘଟଣ କେମିତି ହେଲା ବୋଲି ତାହା ଚାରିଆଡେ ଆଲୋଚନାର ବିଷୟ ହୋଇଛି । ଏହାରି ଭିତରେ କଟକ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ ଉପଜିଲ୍ଲାପାଳଙ୍କ ନେତୃତ୍ବରେ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି ସ୍ବତନ୍ତ୍ର ଟିମ୍ । ଉପଜିଲ୍ଲାପାଳ ଦିବ୍ୟଜ୍ୟୋତି ଦେଓ, ଡିଭିଜନ-୨ର ଅଧୀକ୍ଷଣ ଯନ୍ତ୍ରୀ ସ୍ମୃତି ରଞ୍ଜନ ପତି ଓ ଶ୍ରମ ଅଧିକାରୀ ପ୍ରସନ୍ନ ପ୍ରଧାନ ଦୁର୍ଘଟଣାସ୍ଥଳରେ ଅନୁଧ୍ୟାନ କରିଛନ୍ତି । କେଉଁ ପରିସ୍ଥିତିରେ କ୍ରେନ୍ ଭାଙ୍ଗିଲା? ଗାର୍ଡର ଠାରୁ ଆରମ୍ଭ କରି କ୍ରେନ୍ ଭିତର ସ୍ଥିତି ମଧ୍ୟ ଯାଂଚ କରିଛନ୍ତି । ଅନ୍ୟପଟେ ସମସ୍ତ ଟେକ୍ନିକାଲ ଦିଗକୁ ଦୃଷ୍ଟିରେ ରଖି ତଦନ୍ତ କରାଯାଉଛି ବୋଲି କହିଛନ୍ତି ଅଧିକ୍ଷଣ ଯନ୍ତ୍ରୀ  ।

ଗାର୍ଡର ଖସିବା ସମୟରେ ଠିକା ସଂସ୍ଥା ଅତି ନିମ୍ନ ମାନର କାମ କରିଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟବାସିନ୍ଦା । ଅନ୍ୟପଟେ ଏହି ଅଘଟଣର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ପୂର୍ତ୍ତମନ୍ତ୍ରୀ । କହିଛନ୍ତି, ଏଜେନ୍ସି ତ୍ରୁଟି କି ଇଞ୍ଜିନିୟରଙ୍କ ତ୍ରୁଟି, ତା’ର ତଦନ୍ତ ପାଇଁ ପ୍ରମୁଖ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ରିପୋର୍ଟ ଆସିଲା ପରେ ନିଷ୍ପତ୍ତି ହେବ । କଟକ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଉପ ଜିଲ୍ଲାପାଳଙ୍କ ନେତୃତ୍ୱରେ ହେଉଥିବା ତଦନ୍ତର ରିପୋର୍ଟ ୭ ଦିନ ଭିତରେ ଦାଖଲ କରିବା ପାଇଁ ଜିଲ୍ଲାପାଳଙ୍କ ଚିଠିରେ ଉଲ୍ଲେଖ ରହିଛି । ତେବେ ପ୍ରଶ୍ନ ଉଠୁଛି, କେମିତି ଘଟିଲା ଏତେ ବଡ଼ ଅଘଟଣ ? ଅଘଟଣ ପାଇଁ ଦାୟୀ କିଏ? ଅଭିଯୁକ୍ତଙ୍କ ବିରୋଧରେ କେବେ ହେବ କାର୍ଯ୍ୟାନୁଷ୍ଠାନ ?