କନକ ବ୍ୟୁରୋ: ବ୍ରହ୍ମପୁରରେ ଗୋଟିଏ ସିଲିଣ୍ଡରରୁ ଦୁଇ ଶିଶୁଙ୍କୁ ଅକ୍ସିଜେନ ଦେବା ଘଟଣାର ତଦନ୍ତ ନିର୍ଦ୍ଦେଶ । ଦକ୍ଷିଣାଞ୍ଚଳ ଆରଡିସି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । କେଉଁ ପରିସ୍ଥିତିରେ ଏଭଳି ହେଲା, ତାହାର ତଦନ୍ତ ହେବ । ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଆରଡିସି କହିଛନ୍ତି । ଗତକାଲି କନକ ନ୍ୟୁଜ୍‌ରେ ଏନେଇ ଖବର ପ୍ରସାରଣ କରାଯାଇଥିଲା । କନକ ନ୍ୟୁଜ୍‌ରେ ଖବର ଦେଖିବା ପରେ ତତ୍ପରତା ପ୍ରକାଶ କରିବା ସହ ଘଟଣାର ତଦନ୍ତ ହେବ ବୋଲି କହିଛନ୍ତି । ଗତକାଲି(ସୋମବାର) ବ୍ରହ୍ମପୁର ଏମକେସିଜି ମେଡିକାଲରୁ ଏପରି ଅବ୍ୟବସ୍ଥା ଓ ଅବହେଳାର ବିକଳ ଚିତ୍ର ସାମ୍ନାକୁ ଆସିଥିଲା । ଏକ ବଡ଼ ଡାକ୍ତରଖାନା ହୋଇ ବି କେମିତି ସର୍ବନିମ୍ନ ଅକ୍ସିଜେନ ସୁବିଧା ନାହିଁ, ତାହାର ଅସଲ ଚିତ୍ର ସମସ୍ତଙ୍କ ସାମ୍ନାକୁ ଆସିଥିଲା । ଏମକେସିଜି ସୁପର ସ୍ପେଶାଲିଟି କୋଠା ପାଖରେ ସ୍ୱାସ୍ଥ୍ୟାବସ୍ଥାର ବିକଳ ଚିତ୍ର ଦେଖିବାକୁ ମିଳିଥିଲା । ଦୁଇଜଣ ନବଜାତ ଶିଶୁଙ୍କୁ ଇକୋ ଚିକିତ୍ସା ଲାଗି ଏଠାକୁ ପରିବାର ଲୋକେ ଆଣିଥିଲେ । କିନ୍ତୁ ଦୁଇ ଶିଶୁଙ୍କ ଲାଗି ଦୁଇଟି ଅକ୍ସିଜେନ ସିଲିଣ୍ଡର ମିଳିନଥିଲା । ବାଧ୍ୟ ହୋଇ ଦୁଇ ଶିଶୁଙ୍କୁ ଗୋଟିଏ ଅକ୍ସିଜେନ ସିଲିଣ୍ଡରରୁ ଅକ୍ସିଜେନ ଦିଆଯାଇଥିଲା ।