କନକ ବ୍ୟୁରୋ: ସୁନ୍ଦରଗଡ଼଼ ଜିଲ୍ଲାର ହେମଗିରି ଓ କୋଇଡ଼ା ତହସିଲରେ ହୋଇଥିବା ବ୍ୟାପକ ବେଆଇନ୍ ଖଣି ଉତ୍ତୋଳନ ଓ କାରବାରର ତଦନ୍ତ ଭିଜିଲାନ୍ସ କରିବ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହି ନିର୍ଦ୍ଦେଶ ଦେଇଛନ୍ତି । ଏଥିନିମନ୍ତେ ଭିଜିଲାନ୍ସ ପକ୍ଷରୁ ଏକ ଏସଆଇଟି ଗଠନ କରାଯାଇଛି । କନକ ନ୍ୟୁଜ ଲଗାତାର ଦେଢ଼ମାସ ଧରି ସୁନ୍ଦରଗଡ଼ ଖଣି ଚୋରିର ପର୍ଦ୍ଦାଫାସ କରିଥିଲା । ଜିଲ୍ଲାର ବିଭିନ୍ନ ସ୍ଥାନରେ ଖଣି ଚୋରି ହୋଇଥିଲା । ସୁନ୍ଦରଗଡ଼ ଜିଲ୍ଲା ହେମଗିରି ତହସିଲରେ ଶହେରୁ ଅଧିକ ଖଣିରେ ବେଆଇନ ଭାବେ ଲକ୍ଷ ଲକ୍ଷ ଟନ୍‍ କୋଇଲା ଉତ୍ତୋଳନ କରାଯାଇଥିବା ନଜରକୁ ଆସିଛି । 

Advertisment

ଏହି ଖଣିଗୁଡ଼ିକ ଗୋପାଳପୁର, ରତ୍ନସୋରା ଏବଂ ଭୋଗରାକଚର ଗାଁରେ ଅଛି । ଏଗୁଡ଼ିକ ମୁଖ୍ୟତଃ ଜଙ୍ଗଲ କିସମର ଜମି । ଏଥିସହିତ ହେମଗିରିର ଜାମଖାନି ସଂରକ୍ଷିତ ଜଙ୍ଗଲ ଏବଂ ଭୋଗରାକଚର ଗାଁରେ ବେଆଇନ ଭାବେ କୋଇଲା ଗଚ୍ଛିତ ଥିଲା ଯାହାର ପର୍ଦ୍ଦାଫାସ କରିଥିଲା କନକ ନ୍ୟୁଜ । ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ବିଭାଗୀୟ ଅଧିକାରୀମାନଙ୍କ ସହ ବେଆଇନ ଖଣି ଉତ୍ତୋଳନ ସ୍ଥାନକୁ ଗସ୍ତ କରି ରିପୋର୍ଟ ସଂଗ୍ରହ କରିବା ସହ ଏନେଇ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିଥିଲେ । 

ସେହିପରି କୋଇଡ଼ା ତହସିଲ ଅନ୍ତର୍ଗତ ମାଲଦା, ପଟାବେଡ଼ା  ସାନପୁଟୁଳି, କୋଲମଙ୍ଗ ଏବଂ ରୁସିବେଣୁଆ ଠାରେ ବେଆଇନ ମାଙ୍ଗାନିଜ୍‍ ଏବଂ ଲୌହ ଉତ୍ତୋଳନ ଖଣିରୁ ବେଆଇନ ଭାବେ ମାଙ୍ଗାନିଜ୍‍ ଓ ଲୁହା ପଥର ଉତ୍ତୋଳନ କରାଯାଉଥିବାର ନଜରକୁ ଆସିଛି । ପଟାବେଡ଼ା, ମାଲଦା, କୋଲମଙ୍ଗ, ସାନପୁଟୁଳି ଓ ରୁସିବେଣୁଆ ଗାଁରେ ହଜାର ହଜାର ମେଟ୍ରିକ ଟନରୁ ଅଧିକ ମାଙ୍ଗାନିଜ ଓର୍‍ ଏବଂ ଆଇରନ ଓର୍‍ ବେଆଇନ ଭାବେ ଉତ୍ତୋଳନ କରାଯାଇଛି ।