କନକ ବ୍ୟୁରୋ: ପଲିଥିନ୍ ତଳେ ବିଶୁ ମହାରଣାଙ୍କ ଦାୟଦ । କୋଣାର୍କର ପରିଚୟ ସୃଷ୍ଟି କରିଥିବା ସ୍ରଷ୍ଟାଙ୍କ ଦାୟାଦ ଏବେ ଖୋଜୁଛନ୍ତି ନିଜ ପରିଚୟ । କୋଣାର୍କ ଆଜି ଲକ୍ଷାଧିକ ପରିବାରକୁ ଦାନା ଯୋଗାଉଛି କିନ୍ତୁ କୋଣାର୍କ ନିର୍ମାଣ କରିଥିବା ବିଶୁ ମହାରଣାଙ୍କ ଦାୟାଦମାନେ ପେଟ ପାଇଁ ବାର ଦୁଆର ଶୁଣ୍ଢି ପିଣ୍ଢା ହେଉଛନ୍ତି । ଯାହାକୁ ନେଇ ତେଜିଛି ଅସନ୍ତୋଷ ।
କୋଣାର୍କ ମନ୍ଦିର...ଐତିହ୍ୟ, ପରମ୍ପରା ଓ ବିରଳ କୀର୍ତ୍ତିରାଜି ପାଇଁ ବିଶ୍ୱ ପ୍ରସିଦ୍ଧ । ବିଶ୍ୱଦରବାରରେ ଓଡ଼ିଶାକୁ ଗୌରବାନ୍ୱିତ କରିଛି ଏହି ମନ୍ଦିର । କୋଟିକୋଟି ପର୍ଯ୍ୟଟକ ଛୁଟି ଆସନ୍ତି କୋଣାର୍କର ସୁନ୍ଦର କାରୁକାର୍ଯ୍ୟ ଦେଖିବାକୁ । ଯେଉଁ କାରିଗରୀ ତଥା ନିର୍ମାଣଶୈଳୀକୁ ନେଇ ଓଡ଼ିଶା ଗର୍ବ କରେ, ସେହି କାରିଗରଙ୍କ ଦାୟାଦ ଏବେ କେମିତି ଅଛନ୍ତି ? କେଉଁ ପରିସ୍ଥିତି ଦେଇ ଗତି କରୁଛନ୍ତି ? ସ୍ଥିତି ଥରେ ଦେଖି ଆସନ୍ତୁ ରାଜ୍ୟ ସରକାର । ଓଡ଼ିଶାର ପରିଚୟ ସୃଷ୍ଟି କରିଥିବା କାରିଗରଙ୍କ ପରିବାର ଆଜି ପରିଚୟ ଖୋଜୁଛନ୍ତି । ଦାନା ମୁଠାଏ ପାଇଁ ବାରଦୁଆର ଶୁଣ୍ଢିପିଣ୍ଢା ହେଉଛନ୍ତି ।
ତ୍ରୟୋଦଶ ଶତାବ୍ଦୀରେ ରାଜା ଲାଙ୍ଗୁଡ଼ା ନରସିଂହଦେବଙ୍କ ଦ୍ୱାରା ନିର୍ମିତ କୋଣାର୍କ ମନ୍ଦିର କାମରେ ଲାଗିଥିଲେ ୧୨ ଶହ କାରିଗର । ସେମାନଙ୍କ ନେତୃତ୍ୱ ନେଇଥିଲେ ବିଶୁ ମହାରଣା । ବିଶୁ ମହାରଣା ଓ ତାଙ୍କ ପୁଅ ଧର୍ମପଦଙ୍କ କଥା ଆମେ ସମସ୍ତେ ଜାଣିଛନ୍ତି । ଯେଉଁ ପରିବାର ନିଜର ସର୍ବସ୍ୱ ହରାଇ କୋଣାର୍କକୁ ପରିଚୟ ଦେଇଛନ୍ତି । ତାଙ୍କ ଦାୟଦମାନେ ପୁରୀ ଗୋପ ବ୍ଲକ ଓରେଇ ଗାଁରେ ରହୁଛନ୍ତି । ଭଙ୍ଗା ଦଦରା ଘରେ ଅଭାବ ଅନଟନ ସହ ଦାରିଦ୍ର୍ୟତାର କଷାଘାତରେ ପେଷି ହେଉଛନ୍ତି।
ବିଶୁ ମହାରଣାଙ୍କ ଦାୟଦ କୃଷ୍ଣଚନ୍ଦ୍ର ମହାରଣା ଓ ଜୟନ୍ତ ମହାରଣା । ଚିରା ପଲିଥିନ୍ ତଳେ ମୁଣ୍ଡ ଗୁଞ୍ଜିଛନ୍ତି । ଘରର କାନ୍ଥ ଭାଙ୍ଗିଯାଇଛି । ପରିଣତ ବୟସରେ ବି ନିହାଣ ଧରି ମୂର୍ତ୍ତି କାମ ନକଲେ ଘର ନଚଳେ । କୃଷ୍ଣଚନ୍ଦ୍ରଙ୍କ ଦୁଇ ପୁଅ ମାନସିକ ବିକାରଗ୍ରସ୍ତ ହୋଇ କିଏ କୁଆଡ଼େ ଚାଲିଯାଇଛନ୍ତି ତା'ର କୌଣସି ପତ୍ତା ନାହିଁ । ସେପଟେ ଜୟନ୍ତ ମଧ୍ୟ ରୋଗାକ୍ରାନ୍ତ । ଏ ଓଳି ଖାଇଲେ ଆର ଓଳିକୁ ଉପାସରେ ରହୁଥିବା ପରିବାର ୪ ଝିଅଙ୍କ ବିବାହ କେମିତି କରିବ ତା'କୁ ନେଇ ଚିନ୍ତାରେ । ତେବେ ଏବେ ଦେଖିବାକୁ ବାକି ରହିଲା କେବେ ଏମାନଙ୍କ ଉପରେ ସରକାରଙ୍କ ପଡ଼ୁଛି ନଜର ।