କନକ ବ୍ୟୁରୋ: ନିଦ ହଜାଉଛନ୍ତି ଆନ୍ତଃରାଜ୍ୟ ଗ୍ୟାଙ୍ଗ । ଗ୍ୟାଙ୍ଗଷ୍ଟରଙ୍କ ଇଙ୍ଗିତରେ ଚାଲିଛି ଅପରାଧ । ସହରରେ ଘଟୁଥିବା ବଡ଼ ବଡ଼ ଅପରାଧ ପଛରେ ରହିଛି ବାହାର ରାଜ୍ୟର ଗ୍ୟାଙ୍ଗଷ୍ଟରଙ୍କ ହାତ । ସେ ରାଜଧାନୀରେ ଆପାର୍ଟମେଣ୍ଟ ତଡ଼ା ଲୁଟେରା ହୁଅନ୍ତୁ କିମ୍ୱା ଏଟିଏମ ଲୁଟେରା । ଝାଡ଼ଖଣ୍ଡର ଅପହରଣକାରୀ ଯୁବତୀ ହୁଅନ୍ତୁ କିମ୍ୱା ବନ୍ଧୁକ କାରଖାନା ଖୋଲିଥିବା ବିହାରୀ ବ୍ୟବସାୟୀ । ରାଜ୍ୟ ସାରା ଛତୁ ଫୁଟିବା ଭଳି ଚାରିଆଡେ ଏବେ ମାଳ ମାଳ ହେଉଛନ୍ତି ବାହାର ରାଜ୍ୟ ଅପରାଧୀ ।

Advertisment

ନିଜ ରାଜ୍ୟରୁ ପୁଲିସ ରେକର୍ଡରୁ ତଡା ଖାଇବା ପରେ, ଏବେ ଓଡ଼ିଶାର ବିଭିନ୍ନ ସହରରେ ଲୁଚିଛନ୍ତି । ଆଉ ଟିକିଏ ସୁଯୋଗ ପାଇଲେ ଗଳିକନ୍ଦିରେ ପଶି ଲୁଟପାଟ କରୁଛନ୍ତି । ସମସ୍ତ ସୁନା ଗହଣା ଲୁଟ୍‌ କରି, ନିଜ ରାଜ୍ୟକୁ ଫେରାର ହୋଇଯାଛନ୍ତି । ଆଉ ଏସବୁ ପଛରେ ଗୋଟି ଚାଳନା କରୁଛନ୍ତି ଗ୍ୟାଙ୍ଗଷ୍ଟର । ତେବେ ଏନକାଉଣ୍ଟର ବେଳେ, ମୁଖିଆମାନେ ଖସି ଯାଉଛନ୍ତି ଆଉ ଧରା ପଡୁଛନ୍ତି କେବଳ ତାଙ୍କ ଏଜେଣ୍ଟ । 
 
ସେପଟେ ୨୦୦ ଅପରାଧୀଙ୍କ ତାଲିକା ପ୍ରସ୍ତୁତ କରିଛି କମିସନରେଟ ପୁଲିସ । ୩ରୁ ଅଧିକ ମାମଲାରେ ସମ୍ପୃକ୍ତ ଥିବା ଅପରାଧୀଙ୍କ ବିରୋଧରେ ୧୨୯ ବିଏନଏସ୍ଏସ୍ । ଧର୍ତ୍ତବ୍ୟ ଅପରାଧରେ ସମ୍ପୃକ୍ତ ଅସାମାଜିକଙ୍କ ବିରୋଧରେ ଏନ୍ଏସ୍ଏ । ଏବଂ ଫେରାର ବଦମାସଙ୍କ ବିରୋଧରେ ଲଟକା ଜାରି କରୁଛି ପୁଲିସ । ତେବେ ୪ଟି ରାଜ୍ୟ ପୁଲିସର ସ୍ପେସାଲ ସ୍କ୍ୱାର୍ଡ ସହ ଯୋଗାଯୋଗରେ ରହିଛି ପୁଲିସ । ଏହାସହିତ ଜେଲା ଫେରନ୍ତା ଓ ଦାଗୀଙ୍କ ଉପରେ କଡ଼ା ନଜର ପାଇଁ ପୁଲିସ ସକ୍ରିୟ ରହିଛି । 
 
ବେଧଡକ ଭାବେ ଅପରାଧୀମାନେ ଏ ସହରରୁ ସେ ସହରକୁ ବୁଲି ବୁଲି ଅପରାଧ ଘଟାଉଛନ୍ତି । କିନ୍ତୁ ସମନ୍ୱୟ ଅଭାବରୁ ଗୋଟିଏ ସହରର ପୁଲିସ ଅନ୍ୟ ସହର ବାବଦରେ ଅଜ୍ଞ ରହୁଛି । ରାଜ୍ୟ ଭିତରକୁ ପ୍ରବେଶ କରୁଥିବା ବାହାର ରାଜ୍ୟର ଅପରାଧୀଙ୍କ ଉପରେ ତୀକ୍ଷ୍ଣ ନଜର ରଖିବାର ସମୟ ଆସିଥିବା କୁହାଯାଉଛି ।