କନକ ବ୍ୟୁରୋ: କଟକରେ ଆସନ୍ତା ସନ୍ଧ୍ୟା ୭ଟା ଯାଏ ବଢ଼ିଲା ଇଣ୍ଟରନେଟ୍ କଟକଣା । ପରିସ୍ଥିତି ଏବେ ବି ସମ୍ବେଦନଶୀଳ ଥିବାରୁ ଇଣ୍ଟରନେଟ୍ କଟକଣାକୁ ଆହୁରି ୨୪ ଘଣ୍ଟା ବୃଦ୍ଧି କରାଯାଇଛି । ଏହାକୁ ନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । କଟକ ଜିଲ୍ଲାପାଳଙ୍କ ସୁପାରିସ କ୍ରମେ ଏହି କଟକଣା ଅବଧିକୁ ବୃଦ୍ଧି କରାଯାଇଛି ।
ଦୁର୍ଗାପୂଜା ଭସାଣ ବେଳେ ଗଣ୍ଡଗୋଳ ଘଟଣାକୁ ନେଇ ଆଜି ବନ୍ଦ ଡାକରା ଦେଇଥିଲା ବିଶ୍ୱ ହିନ୍ଦୁ ପରିଷଦ । ପରିସ୍ଥିତି ସମ୍ବେଦନଶୀଳ ଥିବାରୁ କଟକରେ ମୋବାଇଲ ଇଣ୍ଟରନେଟ୍ ସେବା ବନ୍ଦ ରଖାଯାଇଥିଲା । ହ୍ୱାଟସ୍ଆପ୍, ଫେସ୍ବୁକ୍, ଇନ୍ଷ୍ଟାଗ୍ରାମ୍, ସ୍ନାପ୍ଚାଟ୍ ଆଦି ଚଳାଇ ପାରୁନାହାନ୍ତି ୟୁଜର୍ସ ।
ଅନ୍ୟାନ୍ୟ ସାମାଜିକ ଗଣମାଧ୍ୟମ ସେବା ବି ବନ୍ଦ ରହିବ । ୨୪ ଘଣ୍ଟା ପାଇଁ କଟକଣା ଜାରି କଲା ପ୍ରଶାସନ । ସେପଟେ ଶାନ୍ତି ରକ୍ଷା ପାଇଁ ନିବେଦନ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛି ପୁଲିସ । ସାହି ସାହିରେ ପୁଲିସ ପଇଁତରା ମାରୁଛି । ସ୍ପର୍ଶକାତର ସ୍ଥାନରେ ପୁଲିସ ଛାଉଣୀ ହୋଇଛି । ଘରୁ କେହି ବାହାରୁନାହାନ୍ତି । ଆଉ ଯେଉଁମାନେ ଘରୁ ବାହାରୁଛନ୍ତି ସେମାନଙ୍କୁ ପ୍ରଶ୍ନବାଣର ସମ୍ମୁଖୀନ ହେବାକୁ ପଡୁଛି ।
୧୩ ଥାନା ଅଞ୍ଚଳରେ କର୍ଫ୍ୟୁ ବଳବତ୍ତର ରହିଛି । ଇଣ୍ଟରନେଟ୍ ସେବା ବି ବନ୍ଦ ରହିଛି । ସୁରକ୍ଷା ବଳୟରେ ପୁରା ସିଲ୍ଭର୍ ସିଟି । କଟକରେ ୬୦ ଫ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି । ୬ କମ୍ପାନି କେନ୍ଦ୍ରୀୟ ସୁରକ୍ଷାବଳ ବି କଟକକୁ ଜଗିଛନ୍ତି । ସହରରେ ଚେକିଂ, ବ୍ଲକିଂ ଓ ପାଟ୍ରୋଲିଂକୁ ଜୋରଦାର କରାଯାଇଛି ।