କନକ ବ୍ୟୁରୋ : ହିଂସା ଓ ପ୍ରତିହିଂସାରେ ଜଳୁଥିବା ମଣିପୁରରେ ୫ଦିନ ପାଇଁ ଇଂଟରନେଟ ସେବା ଠପ୍ । ତିନି ଜିଲ୍ଲାରେ ହାଇଆଲର୍ଟ ସହ କର୍ଫ୍ୟୁ ଜାରି ହୋଇଛି । ମଣିପୁରରେ ଶାନ୍ତି ଫେରାଇ ଆଣିବାକୁ ଛାତ୍ରଛାତ୍ରୀ ଓ ମହିଳାଙ୍କ ବିକ୍ଷୋଭ ପ୍ରଦର୍ଶନ ଭିତରେ ସରକାର ସାରା ରାଜ୍ୟରେ ଅସ୍ଥାୟୀ ଭାବେ ଇଂଟରନେଟ ସେବା ଉପରେ ପ୍ରତିବନ୍ଧକ ଲଗାଇ ଦେଇଛନ୍ତି । ମଙ୍ଗଳବାର ଅପରାହ୍ଣ ୩ଟାରୁ ୫ ଦିନ ପାଇଁ ରାଜ୍ୟରେ ବ୍ରଡବ୍ୟାଣ୍ଡ, ଲିଜଲାଇନ୍ସ, ବିଏସଏଟି, ବିପିଏନ ସେବା ସମେତ ଇଂଟରନେଟ ଓ ମୋବାଇଲ ଡାଟା ସେବାକୁ ବନ୍ଦ କରି ଦେଇଛନ୍ତି । ସେହିପରି ୩ଟି ଜିଲ୍ଲାରେ କର୍ଫ୍ୟୁ ଲାଗୁ କରାଯାଇଛି । ପୂର୍ବ ଓ ପଶ୍ଚିମ ଇମ୍ଫାଲ ଜିଲ୍ଲାରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଜାରି ହୋଇଛି କର୍ଫ୍ୟୁ । ଥୋବସ ଜିଲ୍ଲାରେ ବିଏନଏସଏସର ଧାରା ୧୬୩-୨ ଅନୁସାରେ ନିଶେଧାଦେଶ ଜାରି କରିଛନ୍ତି ସରକାର । ଫଳରେ ଲୋକଙ୍କୁ ଘରୁ ବାହାରିବା ଉପରେ ରୋକ ଲଗାଇ ହେବ ଓ ଆଇନଶୃଙ୍ଖଳା ବଜାୟ ରଖିହେବ । ଅନ୍ୟପଟେ ସାରା ରାଜ୍ୟର ସରକାରୀ ଓ ଘରୋଇ ସ୍କୁଲ, କଲେଜକୁ ବନ୍ଦ ଘୋଷଣା କରାଯାଇଛି । ଆଜି ଓ ଆସନ୍ତାକାଲି ମଣିପୁରର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ । ମଣିପୁରରେ ପୁଣି ସ୍ଥିତି ବିଗିଡିବାରେ ଲାଗିଛି । 

Advertisment

ସ୍ଥିତି ନିୟନ୍ତ୍ରଣ କରିବା ପାଇଁ ଦଙ୍ଗା ନିୟନ୍ତ୍ରଣ ଗାଡ଼ି ଓ ରାପିଡ ଆକ୍ସନ ଫୋର୍ସ ନିୟୋଜିତ ହୋଇଛନ୍ତି । ଗତବର୍ଷରୁ କୁକି ଓ ମଇତି ସମ୍ପ୍ରଦାୟଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ହିଂସାରେ ଏବେବି ଜଳୁଛି ମଣିପୁର । କ୍ରମଶଃ ହିଂସାକାଣ୍ଡ ଉଗ୍ର ହେଉଛି । ସେପ୍ଟେମ୍ବର ପ୍ରଥମ ସପ୍ତାହରୁ ମଣିପୁରରେ ହିଂସାର ସେହି ସ୍ବରୂପ ଦେଖିବାକୁ ମିଳିଛି ଯାହା ୨୦୨୩ ଜୁଲାଇରେ ଦେଖିବାକୁ ମିଳିଥିଲା । ଡ୍ରୋନ ଆକ୍ରମଣରୁ ଆରମ୍ଭ କରି ଆରପିଜି ଲଞ୍ଚ ସମେତ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରରେ ଆକ୍ରମଣ ଘାଟିର ସ୍ଥିତିକୁ ହିଂସାତ୍ମକ କରିଦେଇଛି । ସେପଟେ ଘାଟିରେ ହତ୍ୟାକାଣ୍ଡ ପରେ କୋଅର୍ଡିନେଟିଂ କମିଟି ପକ୍ଷରୁ ସାର୍ବଜନିକ ଜରୁରୀ ପରିସ୍ଥିତି ଘୋଷଣା କରାଯାଇଛି ।