କନକ ବ୍ୟୁରୋ: ଆଜି ଅନ୍ତର୍ଜାତୀୟ ଶ୍ରମିକ ଦିବସ । ପ୍ରତ୍ୟେକ ବର୍ଷ ପରି ଚଳିତବର୍ଷ ମେ ୧ ତାରଖକୁ ଅନ୍ତର୍ଜାତୀୟ ଶ୍ରମିକ ଦିବସ ଭାବେ ସାରା ବିଶ୍ଵର କୋଣ ଅନୁକୋଣରେ ପାଳନ ହେଉଛି । ହେଲେ ଆଜି ଦିନରେ ବି କାମ ପାଇଁ ମଣିଷ ହାଟରେ ଭିଡ଼ ।
ଶ୍ରମିକର ଲୁହ ଲହୁରେ ତିଆରି ହୋଇଛି ତାଜ ମହଲଠୁ ନେଇ ମହାନଦୀ କାଠଯୋଡ଼ି ପୋଲ । କେବେ ସହରର ଚକାଚକ ରାସ୍ତା ପୁଣି କେବେ କୀର୍ତ୍ତିର କୋଣାର୍କ । ସୁଉଚ୍ଚ ଅଟ୍ଟାଳିକାଠୁ ଆରମ୍ଭ କରି ମାଟିର କୁଡ଼ିଆ । ତା ହାତର କାଉଁରୀ ସ୍ପର୍ଶରେ ଚିକିଟା ମାଟି ମୂର୍ତ୍ତି ହୁଏ, ସେ ପୁଣି ପଥରକୁ ଜୀବନ୍ୟାସ ଦିଏ । ସୂର୍ଯ୍ୟ ନଆସିବା ପୂର୍ବରୁ ଘରୁ ବାହାରି ଅସ୍ତ ହେଲା ପରେ ଘରକୁ ଫେରୁଥିବା ମଣିଷ ଶ୍ରମିକ । ଖରା ବର୍ଷା ଶୀତକୁ ଖାତିର ନକରି ଦିଓଳି ଦିମୁଠା ଦାନା ନିଜ ପିଲାଙ୍କ ମୁହଁରେ ଦେବା ପାଇଁ ସେ ଅନବରତ ଖଟୁଥାଏ । ଆମ ପାଇଁ ମହଲ ଗଢେ ସିନା ନିଜେ ଝୁମ୍ପୁଡି ଘରେ ରହି ସାରା ଜୀବନ ଯୁଝି ହେଉଥାଏ । ହେଲେ ସେ ଜାଣିନି ଆଜିର ଦିନଟି ତା ପାଇଁ । ଆଜି ବି ସବୁଦିନ ଭଳି ମଣିଷ ହାଟରେ ଖୋଜିଛି ନିଜ ରୋଜଗାର ।
ସରକାର ପରେ ସରକାର ବଦଳୁଛି । ହେଲେ ଶ୍ରମିକ ଭାଗ୍ୟରେ ବିଶେଷ କିଛି ପରିବର୍ତ୍ତନ ଘଟିନି । ଆଜି ବି ସେ ଅବହେଳିତ, ଆଜି ବି ଅସୁରକ୍ଷିତ । କାମ କଲେ ଠିକ୍ ସମୟରେ ଯେ ପାଉଣା ମଳିବ ସେ ଗ୍ୟାରେଣ୍ଟି ବି ତାକୁ କେହି ଦେଇପାରନ୍ତିନି । ଆଉ ସବୁଜାଣି ଆମ ବ୍ୟବସ୍ଥା ବି ଚୁପ୍ ।
ଆଜିର ଦିନଟି ପକାଇଦିଏ ଶ୍ରମିକମାନଙ୍କ ତ୍ୟାଗ ଓ ବଳିଦାନର କାହାଣୀ । ମୁଣ୍ଡ ଝାଳ ତୁଣ୍ଡରେ ମାରି ଦିନସାରା ହାଡଭଙ୍ଗା ପରିଶ୍ରମ କରି ନିଜ ପରିବାର ପାଇଁ ଦାନା ଯେଗାଡ କରୁଥିବା ମଣିଷ ଯେ ନିଜ ଅଧିକାର ଓ ଦିବସକୁ ନେଇ ସଚେତନ ନାହିଁ ତାହା ଯେତିକି ଯନ୍ତ୍ରଣାଦାୟକ ସେତିକି ଆଶ୍ଚର୍ଯ୍ୟଜନକ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)
/kanak/media/media_files/2025/05/01/C4uOWFWxzFBfwdClLe7t.jpg)