mh politics Photograph: (google)
ବିମାନ ଦୁର୍ଘଟଣାରେ ଅଜିତ ପାୱାରଙ୍କ ମୃତ୍ୟୁ ପରେ ମହାୟୁତି ସରକାରରେ ସୁନେତ୍ରା ପାୱାର ଉପମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ସୁନେତ୍ରାଙ୍କ ହାତରେ କ୍ଷମତା ଚାବିକାଠି ରହିବା ପରେ ଦୁଇ ଏନସିପି ମଧ୍ୟରେ କ୍ଷମତା ହାତେଇବାର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି। ସୁନେତ୍ରା ଏତେ ଶୀଘ୍ର ଶପଥ ନେଇଥିବାରୁ କାକା ଶରଦ ପାୱାରଙ୍କ ଗୋଷ୍ଠୀ ସହ ଅଜିତ ପାୱାର ଗୋଷ୍ଠୀର ମିଳନ ପ୍ରକ୍ରିୟା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶରଦ ପାୱାର କହିଥିଲେ, ଦୁଇ ଗୋଷ୍ଠୀର ମିଶ୍ରଣ ନେଇ ବିଚାର ବିମର୍ଷ ଜାରି ରହିଛି। ତେବେ ଅଜିତ ପାୱାରଙ୍କ ନେତୃତ୍ୱାଧୀନ ଏନସିପି ନେତାମାନେ ଏପରି କୌଣସି ପ୍ରତିଶ୍ରୁତି ଅଜିତ ଦେଇଥିବା କଥାକୁ ଅସ୍ୱୀକାର କରିଛନ୍ତି। ଫଳରେ ଦୁଇ ଏନସିପି ଗୋଷ୍ଠୀ ମଧ୍ୟରେ ଟଣାଓଟରା ଜାରି ରହିଛି। ଏନ୍ସିପିର କିଛି ନେତାଙ୍କ ଅନୁସାରେ, ଅଜିତଙ୍କ ଅନ୍ତିମ ସଂସ୍କାରର ମାତ୍ର କିଛି ଘଣ୍ଟା ପରେ ଦଳର ଡୋର କାହା ହାତରେ ରହିବ ସେନେଇ ଛକାପଞ୍ଛା ଆରମ୍ଭ ହୋଇଥିଲା। ଅଜିତଙ୍କ ନିକଟତର ସହଯୋଗୀ ଥିବା ଦଳର ବରିଷ୍ଠ ନେତାମାନେ ଦଳର କାର୍ଯ୍ୟକାରୀ ସଭାପତି ପ୍ରଫୁଲ ପଟେଲ, ରାଜ୍ୟ ସଭାପତି ସୁନୀଲ ତଟକାରେ ଓ ଧନଞ୍ଜୟ ମୁଣ୍ଡେ ତାଙ୍କ ଉତ୍ତରାଧିକାରୀ ନିର୍ଣ୍ଣୟ କରିବା ପାଇଁ ଏକ ବୈଠକ କରିଥିଲେ। ତିନି ନେତା ସତର୍କ ଥିଲେ ଯେ ,୨୦୨୩ ମସିହାରେ ଅଜିତ ଦଳକୁ ବିଭାଜିତ କରିବା ସମୟରେ ଦଳର ସଂଖ୍ୟାଗରିଷ୍ଠତା ଉପରେ ନିୟନ୍ତ୍ରଣ ହରାଇଥିବା ବରିଷ୍ଠ ପାୱାର ଏବେ ଏହାକୁ ପୁଣି ଥରେ ହାତେଇବାକୁ ଚେଷ୍ଟା କରିବେ। ଜୟନ୍ତ ପାଟିଲ ଓ ଶଶିକାନ୍ତ ସିନ୍ଦେଙ୍କ ଭଳି ବରିଷ୍ଠ ଏନ୍ସିପି ଶରଦ ପାୱାର ଗୋଷ୍ଠୀର ନେତାମାନେ ସାର୍ବଜନୀନ ବିବୃତି ଦେବା ଆରମ୍ଭ କରିଥିଲେ ଯେ, ଅଜିତ ଫେବ୍ରୁଆରିରେ ମିଶ୍ରଣ ଘୋଷଣା କରିବାକୁ ରାଜି ହୋଇଥିଲେ। ଏହା ତାଙ୍କର ଇଚ୍ଛାଥିଲା ଯେ, ଦୁଇ ଗୋଷ୍ଠୀ ଏକାଠି ହୁଅନ୍ତୁ। ନେତାମାନେ ସତର୍କ ଥିଲେ ଯେ ନେତୃତ୍ୱ ପ୍ରସଙ୍ଗରେ ଶରଦ ପାୱାର ଅଜିତଙ୍କ ବିଧାୟକମାନଙ୍କୁ ଦଳ ବିରୋଧୀ କରିବାକୁ ଉଦ୍ୟମ କରିବେ। ପାୱାର ପରିବାରର ସମସ୍ତ ବରିଷ୍ଠ ସଦସ୍ୟ ଏକାଠି ବସି ଦୁଇ ଦଳର ମିଶ୍ରଣ ପ୍ରସଙ୍ଗ ସମେତ ଆଗକୁ ବଢ଼ିବା ପାଇଁ ଆଲୋଚନା କରିବେ ବୋଲି କୁହାଯାଉଥିଲା। ତେବେ ଶରଦ ପାୱାର ଓ ସୁନେତ୍ରାଙ୍କ ମଧ୍ୟରେ କୌଣସି ଆଲୋଚନା ହୋଇ ନଥିଲା। ଏନସିପିର ରାଜନୈତିକ ରଣନୀତିଜ୍ଞ ନରେଶ ଆରୋରା ଓ ପାର୍ଥ ସୁନେତ୍ରାଙ୍କ ସହ କଥା ହୋଇ କହିଥିଲେ ଯେ, ତାଙ୍କୁ ଅଜିତଙ୍କ ଉତ୍ତରାଧିକାରୀ ଭାବରେ ତୁରନ୍ତ ଦାୟିତ୍ୱ ଗ୍ରହଣ କରିବାକୁ ପଡିବ। ଏହାପରେ ଏନସିପିର ବରିଷ୍ଠ ନେତାମାନେ ତାଙ୍କୁ ଭେଟି ଶପଥ ଗ୍ରହଣ ସମ୍ପର୍କରେ ଆନୁଷ୍ଠାନିକ ନିଷ୍ପତ୍ତି ନେଇଥିଲେ। ଅଧିକାଂଶ ବରିଷ୍ଠ ଏନ୍ସିପି ନେତା କହିଥିଲେ ଯେ, ଶରଦ ପାୱାରଙ୍କ ଦ୍ୱାରା ସୁନେତ୍ରାଙ୍କୁ ଉପମୁଖ୍ୟମନ୍ତ୍ରୀ କରିବା ପାଇଁ ପ୍ରୟାସ ଶୀର୍ଷ ସ୍ତରୀୟ ନେତାଙ୍କ ଦ୍ୱାରା ବିଫଳ ହୋଇଥିଲା। ସେ ଖୁବ୍ ଶୀଘ୍ର ଦଳର ଅଧ୍ୟକ୍ଷ ଭାବରେ ନିର୍ବାଚିତ ହେବାର ସମ୍ଭାବନା ରହିଛି।
ଉପମୁଖ୍ୟମନ୍ତ୍ରୀ ହେବା ଅର୍ଥ ହେଉଛି ସୁନେତ୍ରା ଦଳର ଦାୟିତ୍ୱରେ ଅଛନ୍ତି। ଏବେ, ଯେକୌଣସି ମିଶ୍ରଣ ପ୍ରସ୍ତାବ ନେଇ ସୁନେତ୍ରାଙ୍କ ସହିତ ଆଲୋଚନା କରିବାକୁ ପଡିବ। ତେବେ କିଛି ରାଜନୈତିକ ସମୀକ୍ଷକଙ୍କ ଅନୁସାରେ ଶରଦ ପାୱାର ସୁନେତ୍ରାଙ୍କ ସହ ଦଳର ମିଶ୍ରଣ ସମ୍ପର୍କରେ ଆଲୋଚନା କରିବାକୁ ବସିବେ ନାହିଁ। ଏହାର ଅର୍ଥ ହେଉଛି ମିଶ୍ରଣ ସମ୍ଭାବନା ଏବେ ପଛକୁ ଠେଲିଦିଆଯାଇଛି। ଏହା ସହିତ ଏନସିପିର ବରିଷ୍ଠ ନେତା ପଟେଲ, ତଟକରେ, ମୁଣ୍ଡେ ଓ ଛଗନ ଭୁଜବଳ, ଯେଉଁମାନେ ୨୦୨୩ ମସିହାରେ ଦଳ ବିଭାଜିତ ହେବା ସମୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ, ସେମାନେ ମିଶ୍ରଣ ଯୋଜନାରେ ଆଗ୍ରହୀ ନାହାନ୍ତି। ବରିଷ୍ଠ ନେତାମାନେ ସୁନେତ୍ରା ଓ ପାର୍ଥଙ୍କୁ ଏହା ମଧ୍ୟ ଦର୍ଶାଇଥିଲେ ଯେ, ଯଦି ଦୁଇଟି ଦଳର ମିଶ୍ରଣ ହୁଏ ତେବେ ସେମାନେ ନିୟନ୍ତ୍ରଣ ବଜାୟ ରଖିପାରିବେ ନାହିଁ। ସୁନେତ୍ରା ଉପମୁଖ୍ୟମନ୍ତ୍ରୀ ହେବା ପରେ, ବିଧାୟକମାନେ ତାଙ୍କ ବିରୋଧରେ ଯିବାର ଆଶଙ୍କା ମଧ୍ୟ ରହିବ ନାହିଁ। କାରଣ ବିଧାୟକମାନେ କ୍ଷମତାରେ ରହିବାକୁ ଚାହାନ୍ତି ବୋଲି ନେତା ସୂଚିତ କରିଥିଲେ।।
Follow Us