କନକ ବ୍ୟୁରୋ : ଚମ୍ପୁଆ ବିଧାୟକ ସନାତନ ମହାକୁଡ଼କୁ ନବୀନଙ୍କ ତାଗିଦ ଭିତରେ ନର୍ଲା ବିଧାୟିକାଙ୍କ ଏକ ଭିଡିଓ ଆସିଛି ଯାହା ରାଜନୈତିକ ଉଷ୍ମତାକୁ ବଢ଼ାଇ ଦେଇଛି । ବିଧାନସଭାର ଗେଟ ସମ୍ମୁଖର ଏକ ଦୃଶ୍ୟରେ ବିଜେପି ବିଧାୟକ ଓ ବିଜେଡି ବିଧାୟକ ଅପେକ୍ଷା କରିଛନ୍ତି ତାଙ୍କ ନେତାଙ୍କୁ ସ୍ବାଗତ କରି ଗୃହ ଭିତରକୁ ନେବା ପାଇଁ। ଠିକ୍ ୧୦ଟା ୪୫ମିନିଟରେ ପ୍ରଥମେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ତାଙ୍କୁ ମନ୍ତ୍ରୀ, ବିଧାୟକ ସ୍ବାଗତ କରି ଗୃହ ଭିତରକୁ ନେଉଛନ୍ତି । ଆଉ ଏହି ସମୟରେ ମୋହନ ମାଝୀଙ୍କୁ ସ୍ବାଗତ କରି ତାଙ୍କ ପାଖେ ପାଖେ ଛିଡ଼ା ହେବା ପରେ ତାଙ୍କ ପଛେ ପଛେ ଗୃହ ଭିତରକୁ ଯାଇଛନ୍ତି ବିଜେଡି ବିଧାୟିକା ମନୋରମା ମହାନ୍ତି । 

Advertisment

ଆଉ ଠିକ୍ ଏତିକି ବେଳେ ଗୃହ ଭିତରକୁ ପ୍ରବେଶ କରୁଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ବିଜେଡିର ଅନେକ ବିଧାୟକ ଛିଡ଼ା ହୋଇ ନବୀନଙ୍କୁ ସ୍ବାଗତ କରି ତାଙ୍କ ସହ ଭିତରକୁ ଯାଉଛନ୍ତି। ସେହି ସମୟରେ ବିଜେଡି ବିଧାୟକା ସୁଜାତା ସାହୁ ମଧ୍ୟ ଉପସ୍ଥିତ ଅଛନ୍ତି ନବୀନଙ୍କୁ ସ୍ବାଗତ କରିବା ପାଇଁ। କିନ୍ତୁ ମନୋରମା ମହାନ୍ତି ସେଠାରେ ନଥିଲେ। ଏହି ଭିଡିଓ ସାମ୍ନାକୁ ଆସିବା ପରେ ନବୀନଙ୍କ ସହିତ ନାହାନ୍ତି କି ନର୍ଲା ବିଧାୟିକା ମନୋରମା ମହାନ୍ତି, ଏପରି ପ୍ରଶ୍ନ ଉଠିଛି। ଏହି ଦୁଇଟି ଦୃଶ୍ୟକୁ ନେଇ ରାଜନୈତିକ ମହଲରେ ଅନେକ ଚର୍ଚ୍ଚା। ଆଉ ତା’ପରେ ମନୋରମା ମହାନ୍ତି ପ୍ରତିକ୍ରିୟା ରଖି କହିଛନ୍ତି। ସେ ନବୀନଙ୍କ ସହ ଅଛନ୍ତି, ସେମିତି କିଛି କଥା ନାହିଁ।