କନକବ୍ୟୁରୋ: ରାଜ୍ୟରେ ନୂଆ ସରକାର କ୍ଷମତାକୁ ଆସିବା ପରେ ପ୍ରଥମ ଥର ପାଇଁ ଆଇପିଏସ ସ୍ତରରେ ବଡ଼ ଧରଣର ଅଦଳବଦଳ କରାଯାଇଛି । ପୂର୍ବରୁ ପୁଲିସ୍ ବିଭାଗରେ ଗୁରୁତ୍ବପୂର୍ଣ୍ଣ ପଦବୀରେ ବସିଥିବା ପ୍ରଭାବଶାଳୀ ଆଇପିଏସ ମାନଙ୍କୁ ହଟାଇ ଦିଆଯାଇଛି । ଦୈତନଗରୀ ପୋଲିସ କମିଶନର ପଦବୀରୁ ସଞ୍ଜୀବ ପଣ୍ଡାଙ୍କୁ ବଦଳି କରାଯାଇ ବିଜୁ ପଟ୍ଟନାୟକ ପୁଲିସ ଟ୍ରେନିଂ ଏକାଡେମୀର ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି । ତାଙ୍କ ସ୍ଥାନରେ ସୁରେଶ ଦେବଦତ୍ତ ସିଙ୍କୁ ଟ୍ବିନ୍ ସିଟିର ନୂଆ ପୁଲିସ କମିଶନର ଭାବେ ନିଯୁକ୍ତି ମିଳିଛି ।
ସେହିପରି ରାଜ୍ୟର ଚର୍ଚ୍ଚିତ ଆଇପିଏସ ତଥା କ୍ରାଇମବ୍ରାଞ୍ଚ ଏଡ଼ିଜି ଅରୁଣ ବୋଥ୍ରାଙ୍କୁ ସିଆଇଡ଼ି ସିବିରୁ ବିଦା କରାଯାଇ ରେଳବାଇ ଓ ତଟସୁରକ୍ଷା ଏଡିଜି ଭାବେ ଅବସ୍ଥାପିତ କରାଯାଇଛି। ବୋଥ୍ରାଙ୍କ ସ୍ଥାନରେ ସିଆଇଡ଼ି ସିବି ଭାବେ ବିନୟତୋଷ ମିଶ୍ରଙ୍କୁ ସ୍ଥାନ ମିଳିଛି । ଜେଲ ନିର୍ଦ୍ଦେଶକ ଭାବେ ଅରୁଣ ରାୟଙ୍କୁ ନିଯୁକ୍ତି ମିଳିଥିବା ବେଳେ ଆଇପିଏସ ଏସଏମ ନରଭଣେଙ୍କୁ ଓଏସଡି ଗୃହ ବିଭାଗରୁ ବଦଳି କରାଯାଇ ନିର୍ଦ୍ଦେଶକ ପ୍ରିଣ୍ଟିଂ ଭାବେ ଦାୟିତ୍ବ ଦିଆଯାଇଛି।
ବରିଷ୍ଠ ଆଇପିଏସ ଅଫିସର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଗୁଇନ୍ଦା ନିର୍ଦ୍ଦେଶକ ପଦବୀରୁ ହଟାଇ ଦିଆଯାଇଥିବା ବେଳେ ପୁଲିସ ଆଧୁନୀକିକରଣର ଏଡିଜିପି ଭାବେ ଦାୟିତ୍ବ ଦିଆଯାଇଛି। ତାଙ୍କ ସ୍ଥାନରେ ଆରପି କୋଚେଙ୍କୁ ନୂଆ ଗୁଇନ୍ଦା ନିର୍ଦ୍ଦେଶକ ଭାବେ ଦାୟିତ୍ବ ଦିଆଯାଇଛି। ସେହିପରି ଗୃହ ବିଭାଗର ସ୍ବତନ୍ତ୍ର ସଚିବ ତଥା ପୁଲିସ ହାଉସିଂ କର୍ପୋରେସନର ସିଏମଡି ପଦରୁ ସନ୍ତୋଷ ବାଲାଙ୍କୁ ହଟାଇ ଦିଆଯିବା ସହ ତାଙ୍କ ସ୍ଥାନରେ ରାଧାକିଶନ ଶର୍ମାଙ୍କୁ ଦାୟିତ୍ବ ମିଳିଛି। ସନ୍ତୋଷ ବାଲାଙ୍କୁ କ୍ରାଇମ ରେକର୍ଡ ବ୍ୟୁରୋ ଫୋରେନସିକ ଲ୍ୟାବର ନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଛି ।
ସେହିପରି ବଦଳିଛନ୍ତି ଟ୍ବିନ୍ ସିଟି ଡିସିପି। ବର୍ତ୍ତମାନର ଭୁବନେଶ୍ବର ଡିସିପି ପ୍ରତୀକ ସିଂଙ୍କୁ ଗ୍ରାମାଞ୍ଚଳ ଏସପି ଭାବେ ବଦଳି କରାଯାଇଛି । ତାଙ୍କ ସ୍ଥାନରେ ପୁରୀ ଏସପି ପିନାକ ମିଶ୍ରଙ୍କୁ ଭୁବନେଶ୍ବର ଡିସିପି ଭାବେ ଦାୟିତ୍ବ ମିଳିଛି । ସେହିପରି କଟକର ନୂଆ ଡିସିପି ହୋଇଛନ୍ତି ବର୍ତ୍ତମାନର ଗଞ୍ଜାମ ଏସପି ଜଗମୋହନ ମୀନା । ଯାଜପୁର ଏସ୍ପି ଥିବା ୨୦୧୬ ବ୍ୟାଚ୍ର ଆଇପିଏସ୍ ବିନିତ ଅଗ୍ରୱାଲଙ୍କୁ ପୁରୀ ଏସ୍ପି କରାଯାଇଛି। ଢ଼େଙ୍କାନାଳ ଏସ୍ପି ଏମ୍ ସନ୍ଦୀପ ସଂପତଙ୍କୁ ଭଦ୍ରକ, ନୟାଗଡ଼ ଏସ୍ପି ରାହୁଲ ଜୈନଙ୍କୁ ଅନୁଗୁଳ, ଯାଜପୁର ଏସ୍ପି ବିନିତ ଅଗ୍ରୱାଲଙ୍କୁ ଯାଜପୁର ବଦଳି ହୋଇଛି।
ସେହିପରି ବାଲେଶ୍ବର ଏସ୍ପି ସାଗରିକା ନାଥଙ୍କୁ ଖୋର୍ଦ୍ଧା, ଗଜପତି ଏସ୍ପି ସ୍ବାତି ଏସ୍ କୁମାରଙ୍କୁ ରାୟଗଡ଼ା, ମୟୂରଭଂଜ ଏସ୍ପି ଏସ୍ ସୁଶ୍ରୀଙ୍କୁ ନୟାଗଡ଼, ମାଲକାନଗିରି ଏସ୍ପି ନୀତେଶ ୱାଧୱାନୀଙ୍କୁ ରାଉରକେଲ, ବୌଦ୍ଧ ଏସ୍ପି ରାଜ ପ୍ରସାଦଙ୍କୁ ବାଲେଶ୍ବର, ଏଆଇଜି ପୁଲିସ ହେଡକ୍ବାର୍ଟରରୁ ନାଗରାଜ ଦେବରକୋଣ୍ଡାଙ୍କୁ ବୌଦ୍ଧ ଏସ୍ପି ଭାବେ ବଦଳି ହୋଇଥିବା ବେଳେ କନ୍ଧମାଳ ଏସ୍ପି ଶୁଭେନ୍ଦୁ କୁମାର ପାତ୍ରଙ୍କୁ ଗଂଜାମ ଏସ୍ପି ଭାବେ ବଦଳି କରାଯାଇଛି ।
କିଛି ଦିନ ହେବ ଦୈତ୍ବ ନଗରୀର କମିସନରେଟ୍ ପୁଲିସରେ ବଦଳି ହେବା ନେଇ ଜୋରଦାର ଆଲୋଚନା ଲାଗି ରହିଥିଲା। ରବିବାର ରାଜ୍ୟ ସରକାର ଆଇପିଏସ ସ୍ତରରେ ବଡ଼ ଧରଣର ଅଦଳବଦଳ କରି ଏହି ଚର୍ଚ୍ଚାରେ ପୂର୍ଣ୍ଣଛେଦ୍ଦ ଟାଣିଛନ୍ତି
ଦୁର୍ଗାପୂଜା ପୂର୍ବରୁ କମିସନରେଟ ପୁଲିସର ନବକଳେବର କରାଯାଇଛି। ପୁଲିସ କମିଶନରଙ୍କ ଠାରୁ ଆରମ୍ଭ କରି ଅତିରିକ୍ତ ପୁଲିସ କମିଶନର ଓ ଦୁଇ ଡିସିପିଙ୍କୁ ବଦଳି କରାଯାଇଛି । ରାଜଧାନୀରେ ଆଇନଶୃଙ୍ଖଳାଠୁ ଆରମ୍ଭ କରି ନିଶା କାରବାର, ଅପରାଧ ନିୟନ୍ତ୍ରଣ , ଭିଭିଆଇପି ସୁରକ୍ଷା ଆଦି ନୂଆ ଅଧିକାରୀଙ୍କ ପାଇଁ ଆହ୍ବାନ ରହିବ। ନୂଆ ଅଧିକାରୀ ମାନେ ଏସବୁ ଆହ୍ବାନର ସାମ୍ନା କରି କିଭଳି ଭାବେ ଲୋକଙ୍କୁ ନ୍ୟାୟ ଦେବାରେ ସକ୍ଷମ ହେବେ ଏସବୁ ଉପରେ ସମସ୍ତ ମହଲର ନଜର ରହିଛି ।
୧୯୯୪ ବ୍ୟାଚର ଆଇପିଏସ ତଥା ଏଡିଜି ଅପରେସନ ସୁରେଶ ଦେବଦତ୍ତ ସିଂ ନୂଆ ପୁଲିସ କମିଶନର ଭାବେ ନିଯୁକ୍ତି ପାଇଥିବା ବେଳେ ୨୦୦୮ ବ୍ୟାଚ ଆଇପିଏସ ଅଫିସର ତଥା ଅନୁଗୁଳ ଏସପି ଉମାଶଙ୍କର ଦାଶଙ୍କୁ ଅତିରିକ୍ତ ପୁଲିସ କମିଶନର ଭାବେ ନିଯୁକ୍ତି ମିଳିଛି। ୨୦୧୪ ବ୍ୟାଚ ଆଇପିଏସ ଅଫିସର ତଥା ଭୁବନେଶ୍ବର ଡିସିପି ପ୍ରତୀକ ସିଂଙ୍କ ସ୍ଥାନରେ ୨୦୧୧ ବ୍ୟାଚ ଆଇପିଏସ ଅଫିସର ତଥା ପୁରୀ ଏସପି ପିନାକ ମିଶ୍ରଙ୍କୁ ପୁରୀ ଏସପି ଭାବେ ଅବସ୍ଥାପିତ କରାଯାଇଛି ।
ସେପଟେ ୨୦୦୮ ବ୍ୟାଚ ଅଫିସର ତଥା କଟକ ଡିସିପି ପ୍ରକାଶ ଆରଙ୍କ ସ୍ଥାନରେ ୨୦୧୩ ଆଇପିଏସ ଅଫିସର ତଥା ଗଞ୍ଜାମ ଏସପି ଜଗମୋହନ ମୀନାଙ୍କୁ କଟକ ଡିସିପି ଭାବେ ଦାୟିତ୍ବ ଦିଆଯାଇଛି। ସୁରେଶ ଦେବଦତ୍ତ ସିଂଙ୍କ ନେତୃତ୍ବରେ ଏହି ନୂଆ ଟିମ ଦୈତ୍ବ ନଗରୀରେ ଅପରାଧ ରୋକିବାରେ କେତେ ସକ୍ଷମ ହେଉଛନ୍ତି ତା ଉପରେ ନଜର ରହିଛି।