କନକ ବ୍ୟୁରୋ : ୨୦୨୬ ସୁଦ୍ଧା ଦେଶକୁ ମାଓମୁକ୍ତ କରିବା ପାଇଁ କେନ୍ଦ୍ର ଗୃହମନ୍ତ୍ରୀଙ୍କ ଘୋଷଣା ପରେ ଚାଲିଛି ନିର୍ଣ୍ଣାୟକ ଲଢ଼େଇ l ଛତିଶଗଡ଼ରେ ବହୁ ମାଓବାଦୀଙ୍କ ମୃତ୍ୟୁ ଓ ଆତ୍ମସମର୍ପଣ ପରେ ଲାଲ୍ ବାହିନୀ ପୁଣି ଅପରେସନ ବନ୍ଦ ଲାଗି ଚିଠି ଲେଖିଛି । ସେପଟେ ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ସରଣ୍ଡା ଜଙ୍ଗଲରେ ବଡ଼ଧରଣର ମାଓ ବିରୋଧୀ ଅପରେସନ ଆରମ୍ଭ ହେବାକୁ ଯାଉଥିବା ଓଡ଼ିଶା ଡିଜିପି ସୂଚନା ଦେଇଛନ୍ତି l
ଗତ ୮ ଦିନ ହେଲା ଛତିଶଗଡ଼ ଓ ତେଲଙ୍ଗାନା ସୀମାରେ ବଡ଼ ମାଓ ବିରୋଧୀ ଅପରେସନ ଜାରି ରହିଛି । ବଡ଼ବଡ଼ ମାଓନେତାଙ୍କ ସମେତ ପ୍ରାୟ ୧ ହଜାର ମାଓବାଦୀଙ୍କୁ ୩ ରାଜ୍ୟର ୨୦ ହଜାର ସୁରକ୍ଷାକର୍ମୀ ଘେରି ରହିଛନ୍ତି । ବାୟୁସେନା ହେଲିକପ୍ଟର ସହ ଡ୍ରୋନ୍ କ୍ୟାମେରା ନିୟୋଜିତ ଅଛି । ସେନା ବାହିନୀର ବଡ଼ ଅପରେସନ ପରେ ତ୍ରାହି ତ୍ରାହି ଡାକିଲେଣି ମାଓବାଦୀ । ମରିବା ଆଗରୁ ଆତ୍ମସମର୍ପଣ ପାଇଁ ନିଷ୍ପତ୍ତି ନେଇଛନ୍ତି । ଏହି କ୍ରମରେ ସୋମବାର ୨୪ ଜଣ ମାଓବାଦୀ ଆତ୍ମସମର୍ପଣ କରିଥିଲେ । ପୂର୍ବରୁ ମଧ୍ୟ ବହୁ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଚକ୍ରବ୍ୟୂହରେ ଫଶୁଥିବା ଦେଖି ମାଓବିରୋଧୀ ଅପରେସନ ବନ୍ଦ କରି ଶାନ୍ତି ଆଲୋଚନା ପାଇଁ ଅନୁକୂଳ ପରିସ୍ଥିତି ସୃଷ୍ଟି କରିବାକୁ ମାଓ ସଂଗଠନ ଚତୁର୍ଥ ଥର ପାଇଁ ଚିଠି ଲେଖିଛି । ତେବେ ସୁରକ୍ଷାକର୍ମୀ ଅଟଳ ଅଛନ୍ତି ।
ସେପଟେ ଓଡ଼ିଶା- ଝାଡ଼ଖଣ୍ଡ ସୀମାନ୍ତ ସରଣ୍ଡା ଜଙ୍ଗଲରେ ଆରମ୍ଭ ହେବାକୁ ଯାଉଛି ବଡ଼ଧରଣର ମାଓବିରୋଧୀ ଅପରେସନ l ଏନେଇ ଝାଡ଼ଖଣ୍ଡର ସିଂହଭୂମ୍ ଏସପି ଏବଂ ସିଆରପିଏଫର ବରିଷ୍ଠ ଅଧିକାରୀଙ୍କ ସହ ଓଡ଼ିଶା ପୁଲିସ୍ ଡିଜି ୱାଇ. ବି ଖୁରାନିଆ ରାଉରକେଲା ଗସ୍ତରେ ଆସି ଆଲୋଚନା କରିଛନ୍ତି । ଏଥିପାଇଁ ରୋଡ୍ ମ୍ୟାପ୍ ପ୍ରସ୍ତୁତ ହୋଇଛି l ୪ ମାସରେ ସରଣ୍ଡାରେ ବହୁ ମାଓ ବଙ୍କର ଧ୍ବଂସ ଓ ବହୁ ମାରଣାସ୍ତ୍ର ଜବତ ସହ ଅଞ୍ଚଳକୁ ଘେରି ରହିଛନ୍ତି ସଶସ୍ତ୍ର ଫୋର୍ସ l ସରଣ୍ଡାରେ ଅଧିକ ଫୋର୍ସ ମୁତୟନ ସହ କମ୍ବିଂ ଅପରେସନକୁ ଜୋରଦାର କରାଯିବ ବୋଲି ଡିଜି ୱାଇ. ବି ଖୁରାନିଆ କହିଛନ୍ତି ।
ଛତିଶଗଡ଼ ଓ ଝାଡ଼ଖଣ୍ଡରେ ବହୁ ମାଓବାଦୀ ଲୁଚି ରହିଛନ୍ତି । ସେମାନଙ୍କୁ ସାବାଡ଼ କରିବା ଲାଗି ଜୋରଦାନ ଅଭିଯାନ ଚାଲିଛି । ମିଳୁଛି ଗୋଟିଏ ପରେ ଗୋଟି ସଫଳତା । ଏଥିରେ ସୁରକ୍ଷାକର୍ମୀ ଉତ୍ସାହିତ ଅଛନ୍ତି ।