କନକ ବ୍ୟୁରୋ : ଆତଙ୍କୀ ସ୍ପାଏ ଜ୍ୟୋତି ମଲହୋତ୍ରା ସହ ଓଡ଼ିଶା ଲିଙ୍କକୁ ନେଇ ଖୋଳତାଡ଼ ଆରମ୍ଭ କରି ଦେଇଛି ଏନ୍ଆଇଏ । ତଥ୍ୟ ପ୍ରମାଣ ଏକାଠି କରିବା ପରେ ଖୁବଶୀଘ୍ର ୟୁଟ୍ୟୁବର ପ୍ରିୟଙ୍କା ସେନାପତିଙ୍କୁ ନିଜ ହେପାଜତକୁ ନେଇପାରେ । ବିଶେଷ କରି ଜ୍ୟୋତି-ପ୍ରିୟଙ୍କା ସମେତ ଓଡ଼ିଶା ଲିଙ୍କ୍ର ଭିତିରିଆ ଘଣ୍ଟାଚକଟା ଆରମ୍ଭ ହୋଇଥିଲାବେଳେ, ଏମ୍ଏଚ୍ଏ ନିର୍ଦ୍ଦେଶକୁ ଅପେକ୍ଷା ରହିଛି ।
ୟୁଟ୍ୟୁବର ଜ୍ୟୋତି ମଲହୋତ୍ରା ଓ ପୁରୀର ପ୍ରିୟଙ୍କା ସେନାପତିଙ୍କୁ ନେଇ ଦେଶ ଉଠୁଛି ପଡୁଛି । ପାକିସ୍ତାନ ଲିଙ୍କରେ ବନ୍ଧା ହୋଇଥିବା ଜ୍ୟୋତିଙ୍କ ବୟାନ ଆଧାରରେ ଆରମ୍ଭ ହୋଇଛି ଝାଳବୁହା ଜେରା । ଓଡ଼ିଶା ଲିଙ୍କରେ ପୁରୀ ପୁଲିସ ହାତରେ ଥିବା ସବୁ ତଥ୍ୟ ଏବେ ଏନ୍ଆଇଏକୁ ଯାଇଛି ।
ଜ୍ୟୋତି ପୁରୀରେ ପହଞ୍ଚିବା ପରେ କୁଆଡ଼େ ଯାଇଥିଲେ ? କେଉଁଠି ରହିଥିଲେ ? କାହା କାହା ସହ ମିଶିଥିଲେ ? ଶ୍ରୀମନ୍ଦିରକୁ କେତେଥର ଯାଇଥିଲେ ? ପୁରୀରୁ ଥାଇ କାହା କାହା ସହ ଯୋଗାଯୋଗରେ ଥିଲେ ? ପୁରୀ ପରେ ଅନ୍ୟ କେଉଁ ଜିଲ୍ଲାକୁ ଯାଇଥିଲେ କି ? କେବଳ ସେତିକି ନୁହେଁ, ପ୍ରିୟଙ୍କାଙ୍କ ସହ ସମ୍ପର୍କକୁ ନେଇ ଭିତିରିଆ ଖୋଳତାଡ଼ ଆରମ୍ଭ କରିସାରିଛି ଏନ୍ଆଇଏ ।
ଯାହାକୁ ଆଖି ଆଗରେ ରଖି ଭୁବନେଶ୍ୱରରେ ଖୋଲିଛି ନୂଆ ଏନ୍ଆଇଏ ଥାନା । ଏସ୍ପି ରାଙ୍କର ଅଧିକାରୀ ଥାନା ଦାୟିତ୍ୱରେ ଅଛନ୍ତି । ଆତଙ୍କୀ ହମ୍ଲା, ମାଓବାଦୀ କାର୍ଯ୍ୟକଳାପ, ଜାଲିନୋଟ୍ କାରବାର, ମାନବ ଚାଲାଣ, ବିମାନ ଅପହରଣ, ସମୁଦ୍ର ଭିତରେ ଯୁଦ୍ଧ କନ୍ଦଳ, ସାଇବର ଅପରାଧ ଭଳି ଆନ୍ତର୍ଜାତିକ ଅପରାଧର ତଦନ୍ତ କରିବ ଏହି ଥାନା । ସେପଟେ ଆଇନମନ୍ତ୍ରୀ କହିଛନ୍ତି, ଦେଶ ଓ ରାଜ୍ୟ ପ୍ରତି ବିପଦ ଥିବା ବିଷୟଗୁଡ଼ିକ ତଦନ୍ତ ପରିସରଭୁକ୍ତ କରିବାରେ ସହାୟକ ପାଇଁ ଏହି ଥାନା ଖୋଲାଯାଇଛି ।
ପାକିସ୍ତାନୀ ସ୍ପାଏ ଜ୍ୟୋତି ମଲହୋତ୍ରା ପୁରୀ ବୁଲିଯିବା ସାଧାରଣ ଲୋକଙ୍କୁ ସାମାନ୍ୟ ଲାଗୁଥାଇପାରେ । ହେଲେ ଏନ୍ଆଇଏ ଏହାକୁ ବେଶ୍ ଗମ୍ଭୀରତାର ସହ ନେଇଛି । ଜ୍ୟୋତିଙ୍କ ସମ୍ପର୍କରେ ଥିବା ପ୍ରତିଟି ସନ୍ଦିଗ୍ଧଙ୍କ ବିରୋଧରେ ତଥ୍ୟ ପ୍ରମାଣ ଏକାଠି କରିବା ଓ ସେମାନଙ୍କ ଚେହେରା ସାମ୍ନାକୁ ଆଣିବା ଏନ୍ଆଇଏ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ।