କନକ ବ୍ୟୁରୋ: ରାଉରକେଲାର ବିକାଶ ପାଇଁ ଆରମ୍ଭ ହୋଇଥିବା 'ରାଉରକେଲା ୱାନ୍' ପ୍ରକଳ୍ପ ଅଧା ପଡ଼ିଛି । ଗୋଟିଏ ଛାତ ତଳୁ ସମ୍ପୂର୍ଣ୍ଣ ସହରକୁ ନିୟନ୍ତ୍ରଣ କରିବାର ପରିକଳ୍ପନା ଧାର୍ଯ୍ୟ ସମୟ ପରେ ବି ସମ୍ପୂର୍ଣ୍ଣ ହୋଇପାରିନାହିଁ। ପ୍ରକଳ୍ପର ସ୍ଥିତି ଦେଖିଲେ, ଏହା ୨୦୨୫ରେ ମଧ୍ୟ ସରିବ ନାହିଁ ବୋଲି ଆଶଙ୍କା ପ୍ରକାଶ ପାଇଛି ।

Advertisment

 ‘ରାଉରକେଲା ୱାନ୍' ପ୍ରକଳ୍ପ ପାଇଁ ୨୦୧୯ରେ ଯୋଜନା ହୋଇଥିଲା । ୧୨୬ କୋଟି ୭୬ ଲକ୍ଷ ଟଙ୍କାର ଏହି କାମ ୨୦୨୨ ଡିସେମ୍ବରରେ ସରିବା କଥା। କିନ୍ତୁ ଅଧପନ୍ତରିଆ ପଡ଼ିଛି । ଗୋଟିଏ କୋଠାରେ ଆଦିବାସୀ ସଂଗ୍ରହାଳୟ, ୧୫୦୦ କ୍ଷମତାବିଶିଷ୍ଟ ପ୍ରେକ୍ଷାଳୟ ଓ ସିଟି କମାଣ୍ଡ ସେଣ୍ଟର ରହିବ । ବ୍ୟାବସାୟିକ ପ୍ରତିଷ୍ଠାନ ପାଇଁ ମଧ୍ୟ ଜାଗା ରହିଛି। କମାଣ୍ଡ ସେଣ୍ଟରରେ କ୍ୟାମେରା, ଅଟୋ ଟ୍ରାଫିକ୍ ସିଗ୍ନାଲିଂ କଣ୍ଟ୍ରୋଲ ରହିବ । ଜରୁରୀ ସେବା ପାଇଁ କର୍ମଚାରୀ ଦିନରାତି ରହିବେ । କିନ୍ତୁ କାମ ସରୁନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି ।

ଏହା ମଧ୍ୟରେ ସହରର ୧୧୦ଟି ଜାଗାରେ ୬୦୦ଟି ସିସିଟିଭି କ୍ୟାମେରା ଲାଗିଥିବା ବେଳେ ଆଉ ୭୫ଟି ଲାଗିବ । କିନ୍ତୁ ପ୍ରକଳ୍ପ କାମ ସରୁନଥିବାରୁ ରାଉରକେଲା ସହରକୁ ଇଣ୍ଟିଗ୍ରେଟେଡ୍ ସିଟି ଭାବରେ  ପରିଚାଳନା କରିବା ସ୍ୱପ୍ନ ପୂରଣ ହୋଇପାରୁନାହିଁ । ଏଥିପାଇଁ କାମ କରୁଥିବା ଏଜେନ୍ସି ଅଧିକାରୀଙ୍କୁ ମହାନଗର  ନିଗମ କମିଶନର ବାରମ୍ବାର ତାଗିଦ୍ କରୁଛନ୍ତି । କମିଶନର କହିଛନ୍ତି, କାମ ଶୀଘ୍ର ଶେଷ ହେବ । ଇଣ୍ଟିଗ୍ରେଟେଡ୍ କମାଣ୍ଡ ସେଣ୍ଟର ସହ ରାଉରକେଲା ୱାନ୍ ଓ ଆଦିବାସୀ ସଂଗ୍ରହାଳୟ କାମ ଶୀଘ୍ର ସରିବ  ।