କନକ ବ୍ୟୁରୋ: ପଞ୍ଚକ ବ୍ରତ ପାଇଁ ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି। ପଞ୍ଚକରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ହଜାର ହଜାର ଶ୍ରଦ୍ଧାଳୁ କାହିଁ କେତେ ଦୂରରୁ ଧାଇଁ ଆସିଛନ୍ତି। ରାତି ଅନିଦ୍ରା ହୋଇ ସକାଳୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଚାହିଁ ରହୁଛନ୍ତି। ହେଲେ, ଶ୍ରଦ୍ଧାଳୁଙ୍କୁ ଶୃଙ୍ଖଳିତ ଦର୍ଶନ କରାଇବା ବଦଳରେ ପୁରୀ ପୋଲିସର ଦୁର୍ବ୍ୟବହାର ସୀମା ଟପିଛି। ହେଲେ, ଏହାକୁ ଅତି ଖାମଖିଆଲି ଭାବେ ନେଇଛନ୍ତି ପୁରୀ ଏସପି। 

Advertisment
  • ସୀମା ଟପିଲା ପୁଲିସ୍
  • ଶୃଙ୍ଖଳା ନାଁରେ ବିଶୃଙ୍ଖଳା 

ପଞ୍ଚକରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ରାଜ୍ୟ ଓ ରାଜ୍ୟ ବାହାରୁ ହଜାର ହଜାର ଶ୍ରଦ୍ଧାଳୁ ପୁରୀକୁ ଆସୁଛନ୍ତି। ପିଲାଠୁ ବୟସ୍କ ସମସ୍ତେ ମହାପ୍ରଭୁଙ୍କୁ ଟିକେ ଆଖି ପୁରାଇ ଦେଖିବା ପାଇଁ ଶ୍ରୀମନ୍ଦିରକୁ ଧାଇଁ ଆସୁଛନ୍ତି। ଏଥିପାଇଁ ବଡଦାଣ୍ଡରେ ଭକ୍ତଙ୍କ ଗହଳି ଲାଗିଛି। କିନ୍ତୁ ଶ୍ରୀମନ୍ଦିର ସିଂହଦ୍ବାରରୁ ଆସିଥିବା କେତେକ ଦୃଶ୍ୟ ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି। ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଯାଉଥିବା ଜଣେ ବୃଦ୍ଧାଙ୍କୁ ଦୟନୀୟ ଭାବେ ଟାଣି ନେଇ ଧକା ମାରୁଛନ୍ତି ଜଣେ ପୋଲିସ। ଆଉ ବୃଦ୍ଧା ଜଣଙ୍କ କାନ୍ଥରେ ପିଟି ହେବାରୁ ଅଳ୍ପକେ ବର୍ତ୍ତି ଯାଉଛନ୍ତି। ଜଣେ କି ଦୁଇ ଜଣ ନୁହେଁ। ଅନେକ ମହିଳା ଓ ବୃଦ୍ଧାଙ୍କୁ ଏପରି ବ୍ୟବହାର କରିଛନ୍ତି ସୁରକ୍ଷାରେ ନିୟୋଜିତ ପୁଲିସ। ଶ୍ରଦ୍ଧାଳୁଙ୍କ ସୁରକ୍ଷାରେ ନିୟୋଜିତ ପୋଲିସର ଏଭଳି ଦୁର୍ବ୍ୟବହାରକୁ ନେଇ ଅସେନ୍ତାଷ ପ୍ରକାଶ ପାଇଛି।

ପଞ୍ଚକ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦୀର୍ଘଦିନ ହେଲା ପ୍ରସ୍ତୁତି ଚାଲିଛି। ଶ୍ରଦ୍ଧାଳୁମାନେ ଯେମିତି ଶୃଙ୍ଖଳିତ ଭାବେ ଯାଇ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିବେ ସେଥିପାଇଁ ବ୍ୟବସ୍ଥା କରାଯାଇଛି। ହେଲେ, ପଞ୍ଚକର ପ୍ରଥମ ଦିନରୁ ପଦାରେ ପଡିଛି ଅବ୍ୟବସ୍ଥା। କିନ୍ତୁ ଏହାକୁ ମାନିବାକୁ ନାରାଜ ପୁରୀ ଏସପି।

ପ୍ରଶ୍ନ ଉଠୁଛି, ଶ୍ରଦ୍ଧାଳୁଙ୍କ ସୁରକ୍ଷାରେ ନିୟୋଜିତ ପୁଲିସର ଏ କି ବ୍ୟବହାର? ଭିଡ ନିୟନ୍ତ୍ରଣ ପାଇଁ ନିୟୋଜିତ ହେଉଥିବା ପୁଲିସକୁ ସ୍ବତନ୍ତ୍ର ପ୍ରଶିକ୍ଷଣ ଦିଆଯାଇଛି କି ନାହିଁ? ପୁଲିସ ଦୁର୍ବ୍ୟବହାରର ଭିଡିଓ ଫୁଟେଜ ଥିଲେ ବି କାହିଁକି ମାନୁନାହାନ୍ତି ଏସପି? ଆଗକୁ ଆହୁରି ଭିଡ ହେବାକୁ ଥିବାରୁ ନିୟନ୍ତ୍ରଣ ପାଇଁ ଶ୍ରୀମନ୍ଦିର ପ୍ରଶାସନ କିଛି ସ୍ବତନ୍ତ୍ର ବ୍ୟବସ୍ଥା କରିଛି କି ନାହିଁ?