ବର୍ତ୍ତମାନ ଇଂନଷ୍ଟାଗ୍ରାମ୍ ଏମିତି ଏକ ସୋସିଆଲ ମିଡିଆ ପ୍ଲାଟଫର୍ମ ପାଲଟିଯାଇଛି । ଯେଉଁଥିରେ ଯୁବପୀଢିମାନେ ଅଧିକାଂଶ ସମୟ ବିତାଉଛନ୍ତି । କିଏ ରିଲ୍ସ କରି ପଇସା କମାଉଛି ତ ଆଉ କିଏ ରିଲ୍ସ ଦେଖି ନିଜର ସମୟ ବରବାଦ କରୁଛି । ଏସବୁ ଭିତରେ ବି ଇଂନଷ୍ଟାଗ୍ରାମରେ ଅନେକ ଆପତିଜନକ ଭିଡିଓ ଏବଂ କଣ୍ଟେଣ୍ଟ୍ ଆସୁଛି ଯାହା ଲୋକଙ୍କ ଉପରେ ପ୍ରଭାବ ପକାଉଛି । ଖାସକରି ଛୋଟ ଛୋଟ ପିଲା ଏହା ଦ୍ୱାରା ଅଧିକମାତ୍ରାରେ ପ୍ରଭାବିତ ହେଉଛନ୍ତି । ତେଣୁ ଏହାକୁ ଦୃଷ୍ଟିରେ ରଖି ଇଂନଷ୍ଟାଗ୍ରାମ୍ ଏକ ନୂଆ ଫିଚର୍ସ ଆଣିଛି । ଯାହା ଛୋଟ ପିଲାଙ୍କୁ ଆପତିଜନକ ଭିଡିଓ ଓ ଆପତିଜନକ ରିଲ୍ସ ଠାରୁ ଦୂରେଇ ରଖିବ । ଇଂନଷ୍ଚାଗ୍ରାମ୍ ଯେଉଁ ଫିଚର୍ସ ଆଣିଛି ତାହା ୧୬ବର୍ଷରୁ କମ୍ ବୟସର ପିଲାଙ୍କ ପାଇଁ । ୧୮ବର୍ଷର ପିଲାଙ୍କୁ ବି ଏହି ଫିଚର୍ସରୁ ଅନେକ କିଛି ଶିଖିବାକୁ ମିଳିବ । ଆସନ୍ତୁ ଜାଣିବା ଏହି ଫିଚର୍ସରୁ କେମିତି ଫାଇଦା ମିଳିବ ଏବଂ ମାଆ ବାପାଙ୍କ ଚିନ୍ତା ଦୂର ହେବ ।
ସେଟିଂ ପରିବର୍ତ୍ତନ ପାଇଁ ବାପା ମାଆଙ୍କ ଅନୁମତି ଜରୁରୀ
ଇଂଷ୍ଟାଗ୍ରାମର ନୂଆ ଫିଚର୍ସକୁ “ଇଂନଷ୍ଟାଗ୍ରାମ୍ ଫର୍ ଟିନ୍ସ’ କୁହାଯାଉଛି । ଏହି ଫିଚର୍ସରେ ଛୋଟ ପିଲାଙ୍କୁ ଏକ ହାଇ ସିକ୍ୟୁରିଟି ସିଷ୍ଟମ ପ୍ରଦାନ କରେ । ଏଥିରେ ଛୋଟ ପିଲା ଇଂନଷ୍ଟାଗ୍ରାମର କୌଣସି ବି ସେଟିଂକୁ ଚେଞ୍ଜ୍ କରିପାରିବେ ନାହିଁ । ଏଥିପାଇଁ ପିଲାଙ୍କୁ ତାଙ୍କ ମାତା ପିତାଙ୍କ ଅନୁମତି ନେବାକୁ ପଡିବ । ଯଦି କୌଣସି ଇଂନଷ୍ଟା ଆକାଉଣ୍ଟ ଟିନ୍ ଏଜ୍ ଭିତରେ ଆସୁଛି ତେବେ ଇଂନଷ୍ଟାଗ୍ରାମ୍ ବାଇ-ଡିଫଲ୍ଟ ଆକାଉଣ୍ଟକୁ ପ୍ରାଇଭେଟ୍ ସେଟିଂରେ ରଖିଦେବ । ଏହା ଦ୍ୱାରା ୟୁଜର୍ସ ସ୍ଥିର କରିପାରିବେ କି, ତାଙ୍କ ସହ କେଉଁମାନେ କଣ୍ଟାକ୍ଟ କରିପାରିବେ କେଉଁମାନେ କରିପାରିବେ ନାହିଁ ।
ସବୁଠୁ ବଡ କଥା ହେଉଛି, ଯେଉଁମାନେ ଆକାଉଣ୍ଟ ସହ କନେକ୍ଟ ଥିବେ ସହିମାନଙ୍କ ମେସେଜ୍ ହିଁ ଆସିବ । ଅନ୍ୟ କୌଣସି ଇଂନଷ୍ଟାଗ୍ରାମ୍ ୟୁଜର୍ସ ଚାହିଁଲେ ବି ମିସେଜ୍ କରିପାରିବେ ନାହିଁ । ଯାହା ପିଲାଙ୍କୁ ଆପତିଜନକ କଣ୍ଟେଣ୍ଟରୁ ରକ୍ଷା କରିବ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ପିଲାମାନେ କାହା ସହ ମେସେଜରେ କଥା ହେଉଛନ୍ତି ତାହା ବାପା ମାଆ ଜାଣିପାରିବେ । ବାପା ମାଆଙ୍କ ପାଖକୁ ଏକ ନୋଟିଫିକେସନ୍ ଯିବ । ଏକ ସପ୍ତାହ ମଧ୍ୟରେ ତାଙ୍କ ପିଲା କାହା କାହା ସହ କଥା ହୋଇଛି ତାହା ବାପା ମାଆ ଜାଣିପାରିବେ । କିନ୍ତୁ କଣ ମେସେଜ୍ କରିଛି ତାହା ବାପା ମାଆ ପଢିପାରିବେ ନାହିଁ । କେବଳ ଏତିକି ନୁହେଁ, ଏହି ଫିଚର୍ସ, ରିଲ୍ସରେ ଆସୁଥିବା ଆପତିଜନକ କମେଣ୍ଟକୁ ଫିଲ୍ଟର କରିଦେବ । ଯାହା କୁନି ପିଲାଙ୍କ ଉପରେ ପ୍ରଭାବ ପକାଇବନି । ଏହା ସହ ପିଲାମାନେ ଲମ୍ୱା ସମୟ ଯାଏଁ ଇଂନଷ୍ଟାଗ୍ରାମକୁ ବ୍ୟବହାର କରିପାରିବେ ନାହିଁ । ଦିନକୁ ମାତ୍ର ୬୦ ମିନିଟ୍ ହିଁ ବ୍ୟବହାର କରିପାରିବେ । ୬୦ ମିନିଟରୁ ଅଧିକ ସମୟ ହେଲେ ମୋବାଇଲକୁ ନୋଟିଫିକେସନ୍ ଆସିବା ସହ ଇଂନଷ୍ଟାଗ୍ରାମ୍ ବନ୍ଦ ହୋଇଯିବ ।