କନକବ୍ୟୁରୋ : ଚାନ୍ଦୁଆ କେବଳ ପିପିଲିରେ ନୁହେଁ ବାଲେଶ୍ଵର କାରିଗରଙ୍କ କାରିଗରୀ ,ବେଶ୍ ଆଦୃତ ହେଉଛି । ଆଗ୍ରହରେ ଶିଖିଥିବା ସିଲେଇ ଓ ହସ୍ତତନ୍ତ ଜଣେ ଗୃହିଣୀଙ୍କୁ ଦେଇଛି ସ୍ଵତନ୍ତ୍ର ପରିଚୟ ଓ ରୋଜଗାର। ନିଜେ ଆତ୍ମନିର୍ଭରଶୀଳ ହେବା ସହ ଶତାଧିକ ମହିଳାଙ୍କୁ ତାଲିମ ଦେଇ ସ୍ବାବଲମ୍ବୀ କରିଛନ୍ତି ବାଲେଶ୍ଵରର ବାସନ୍ତୀ ନାୟକ। ଘରୁ ବାହାରକୁ ଯିବାକୁ ଅନୁମତି ପାଇ ନଥିବା ବାସନ୍ତୀ ଦୃଢ଼ ଇଚ୍ଛା ଶକ୍ତି ଓ ପରିଶ୍ରମରେ ବନିଛନ୍ତି ମାଷ୍ଟର କ୍ରାଫ୍ଟ ।
ଦୃଢ଼ ଇଛାଶକ୍ତି ଅସମ୍ଭବକୁ ସମ୍ଭବ କରିପାରେ । ଯାହାର ଉଦାହରଣ ବାଲେଶ୍ବରର ବାସନ୍ତୀ ନାୟକ। ପଲାଦିନୁ ସିଲେଇ ଓ ବୁଣାବୁଣି ପ୍ରତି ତାଙ୍କର ଆଗ୍ରହ ଥିଲା । ଅଳ୍ପ ସିଲେଇ ଶିଖିଥିଲେ । ତେବେ ବାହାଘର ପରେ ଇଚ୍ଛା ଥିଲେ ବି ଘରୁ ବାହାରକୁ ଯାଇ ସିଲେଇ ଶିଖିବାକୁ ଅନୁମତି ମିଳିନଥିଲା । ସମୟ ଗଡିବା ସହ ପିଲା ଛୁଆ ଓ ପାରିବାରର ଦାୟିତ୍ୱ ବଢ଼ି ଯାଇଥିଲା । କିନ୍ତୁ ଶିଖିବାର ଇଚ୍ଛା କମି ନଥିଲା। ସେଥିପାଇଁ ଘରକୁ ସିଲେଇ ଶିଖେଇବାକୁ ଶିକ୍ଷକ ଆଶୁଥିଲେ। ତେବେ ଜିଲ୍ଲା ନାରୀ ସଂଘର ସଦସ୍ୟା ହେବା ପରେ ସେଠାରେ ଚାନ୍ଦୁଆ ତିଆରି ଓ ଏପ୍ଲିକ କାମ ଜଣେ ମହିଳାଙ୍କ ଠାରୁ ଶିଖିଥିଲେ। ଆଉ ସେବେଠାରୁ ପଛକୁ ଫେରି ଚାହିଁ ନାହାଁନ୍ତି ବାସନ୍ତୀ ।