କନକ ବ୍ୟୁରୋ : ଖୋଲିବ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ରହସ୍ୟ । ଗୁପ୍ତ କୋଠରୀ ଓ ସୁଡ଼ଙ୍ଗ ରହସ୍ୟ ଉନ୍ମୋଚନ ପାଇଁ ପ୍ରଥମ ଦିନରେ ସରିଛି ପେନିଟ୍ରେଟିଂ ରାଡର ସର୍ଭେ । ଉଭୟ ଭିତର ଓ ବାହାର ରତ୍ନ ଭଣ୍ଡାରରେ ହୋଇଛି ଜିପିଆର ସର୍ଭେ । ୩ ଘଣ୍ଟା ୫୦ ମିନିଟ୍ ଧରି ଏନଜିଆରଆଇର ତିନି ଜଣିଆ ବିଶେଷଜ୍ଞ ଟିମ୍ ଭିତର ରତ୍ନଭଣ୍ଡାରର ଚଟାଣ ଯାଞ୍ଚ କରିଛନ୍ତି ।

Advertisment

ଏହାର ରିପୋର୍ଟକୁ ଅଧାର କରି ଭିତର ରତ୍ନଭଣ୍ଡାରର ମରାମତି କରାଯିବ । ପ୍ରାୟ ପ୍ରତି ଅଧ ମିଟର ଅନ୍ତରରେ ବାରମ୍ବାର ସର୍ବେକ୍ଷଣ କରାଯାଇଛି । ଦୁଇଟି କଣ୍ଟ୍ରୋଲ ୟୁନିଟ, ୩ଟି ରାଡର ୟୁନିଟ ବା ଆଣ୍ଟିନା ସର୍ଭେରେ ବ୍ୟବହୃତ ହୋଇଥିଲା । ତିନିଟି ଉଚ୍ଚ କ୍ଷମତା ସମ୍ପନ୍ନ ମେସିନ ଦ୍ଵାରା ସର୍ଭେ କରାଯାଇଛି । ୧୦ ମିଟର ପର୍ଯ୍ୟନ୍ତ ଜିନିଷକୁ ଏହା ଠାବ କରିପାରିବାର କ୍ଷମତା ରଖିଥିବା ବେଳେ ପ୍ରାୟ ୭ ରୁ ୮ ମିଟର ଦୂରତା ପର୍ଯ୍ୟନ୍ତ ସଠିକ୍ ରିପୋର୍ଟ ଦେଇପାରିବ ।

 ତେବେ ରିପୋର୍ଟ ଆସିବା ପରେ ହିଁ ମରାମତି କାର୍ଯ୍ୟ ଆରମ୍ଭ ହେବ । ସର୍ଭେ ଅସମ୍ପୂର୍ଣ୍ଣ ରହିଥିବା ବେଳେ ଆସନ୍ତାକାଲି ପୁଣି ଜାରି ରହିବ ସର୍ଭେ କାର୍ଯ୍ୟ । ଆଜି ସର୍ଭେକୁ ନେଇ ଦିନ ଗୋଟାଏରୁ ୬ ଟା ପର୍ଯ୍ୟନ୍ତ ବନ୍ଦ ରହିଥିଲା ସର୍ବସାଧାରଣ ଦର୍ଶନ । ଆଉ ଦୁଇ ଦିନ ଧରି ଶ୍ରୀମନ୍ଦିର ନୀତିକାନ୍ତି ଓ ଦର୍ଶନ କଟକଣା ରହିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି ।