କନକ ବ୍ୟୁରୋ: ବଲିଉଡ ଉପରେ ସଙ୍କଟର କଳା ବାଦଲ । କାରଣ ବଲିଉଡ ଷ୍ଟାରଙ୍କୁ ମିଳୁଛି ଧମକ ପରେ ଧମକ । ଅସୁରକ୍ଷିତ ହୋଇପଡିଛନ୍ତି ବଲିଉଡ ଷ୍ଟାର ।  ପ୍ରଥମେ ସଲମାନ ଖାନଙ୍କୁ ଜୀବନରୁ ମାରିଦେବାକୁ ହତ୍ୟା ଧମକ ପରେ ସୈଫ ଅଲ୍ଲୀ ଖାନଙ୍କୁ ତାଙ୍କ ଘରେ ମରଣାନ୍ତରକ ଆକ୍ରମଣ । ଆଉ ଏବେ କମେଡି କିଙ୍ଗ କପିଲ ଶର୍ମା, ରାଜପାଲ ଯାଦବ, ସୁଗନ୍ଧା ଶର୍ମା ଓ କୋରିଓଗ୍ରାଫର-ଡିରେକ୍ଟର ରେମୋ ଡିସୁଜାଙ୍କୁ ଧମକପୂର୍ଣ୍ଣ ଇମେଲ ଆସିଛି । ଯାହାକୁ ନେଇ ବଲିଉଡରେ ଏବେ କୋକୁଆ ଭୟ ସୃଷ୍ଟି ହୋଇଛି । ଆଉ କେତେବେଳେ କାହା ପାଳି ପଡିବ ତାହା ବି କହିବା ଅସମ୍ଭବ । 

Advertisment

କେବଳ ଧମକ ନୁହେଁ କମେଡି କିଙ୍ଗ୍ କପିଲ ଶର୍ମାଙ୍କୁ ହତ୍ୟା ଧମକ ମିଳିଛି । ପାକିସ୍ତାନରୁ ଇ-ମେଲ ଯୋଗେ ଆସିଛି ହତ୍ୟା ଧମକ। କେବଳ କପିଲ ଶର୍ମା ନୁହଁନ୍ତି ତାଙ୍କ ସହ ଅନ୍ୟ ୩ କଳାକାରଙ୍କୁ ମଧ୍ୟ ଜୀବନରୁ ମାରିଦେବାକୁ ଧମକ ଆସିଛି। ଏହାକୁ ନେଇ ରାଜପାଲ ଯାଦବ, ରେମୋ ଡିସୁଜା ଓ ସୁଗନ୍ଧା ମିଶ୍ରା ଥାନାର ଦ୍ବାରସ୍ଥ ହୋଇଛନ୍ତି । ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛି ମୁମ୍ବାଇ ପୋଲିସ । ମେଲରେ କେବଳ କଳାକାରଙ୍କୁ ନହେଁ ବରଂ ତାଙ୍କ ସମ୍ପର୍କୀୟଙ୍କ ମଧ୍ୟ ଟାର୍ଗେଟ କରାଯାଇଛି । 

ଏହି ଧମକପୂର୍ଣ୍ଣ ମେଲଟି ବିଷ୍ଣୁ ନାମକ ଜଣେ ବ୍ୟକ୍ତିଙ୍କ ନାଁରେ ଆସିଛି । ମେଲରେ ଲେଖା ଅଛି କି, ଏହା କୌଣସି ପବ୍ଲିସିଟି ଷ୍ଟଣ୍ଟ ନୁହେଁ କି ଆପଣଙ୍କୁ ହଇରାଣ କରିବାର କୌଣସି ଉଦ୍ଦେଶ୍ୟ ନାହିଁ ଆମର । ଆମ ପାଖରେ ତୁମର ସବୁ ଆକ୍ଟିଭିଟିର ସୂଚନା ରହିଛି । ଆମେ ଆଗାମୀ ୮ ଘଣ୍ଟା ଭିତରେ ତୁମଠାରୁ ତତ୍କାଳ ପ୍ରତିକ୍ରିୟା ଆଶା କରୁଛୁ । ଯଦି ଏପରି ନହୁଏ ତେବେ ଆମେ ଜାଣିନେବୁ ଯେ ଆପଣ ଆମ ମେସେଜକୁ ଗମ୍ଭୀରତା ସହ ନେଇ ନାହାନ୍ତି ।

ପ୍ରଥମେ ଗ୍ୟାଙ୍ଗଷ୍ଟରଙ୍କ ଟାର୍ଗେଟକୁ ଆସିଥିଲେ ସଲମାନ ଖାନ । ଭାଇଜାନଙ୍କୁ ଥରେ କି ଦୁଇ ଥରନୁହେଁ ଅନେକ ଥର ହତ୍ୟା ଧମକ ମିଳିଥିଲା । ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ନୋଇଙ୍କ ନାଁରେ ତାଙ୍କୁ ଧମକ ମିଳିଥିଲା । ଆଉ ଧମକ ଦେଇଥିବା ବ୍ୟକ୍ତି ନିଜକୁ ଲରେନ୍ସ ବିଷ୍ନୋଇର ଭାଇ ବୋଲି ପରିଚୟ ଦେଇଥିଲେ । ଆଉ କହିଥିଲେ ସଲମାନ ଖାନ ଯଦି ନିଜ ଜୀବନ ବଞ୍ଚାଇବାକୁ ଚାହୁଁଛନ୍ତି ତେବେ ସେ ଆମ ମନ୍ଦିରକୁ ଯାଇ ୫କୋଟି ଟଙ୍କା ଦିଅନ୍ତୁ ଆଉ ଭୁଲ ମାଗନ୍ତୁ । କୁହାଯାଉଛି କି ସଲମାନ ଖାନ କୃଷ୍ଣସାର ମୃଗ ଶିକାର କରିବା ତାଙ୍କୁ ଭାରି ପଡିଥିଲା, ଯେଉଁଥିପାଇଁ ସେ ଲରେନ୍ସ ବିଷ୍ନୋଇର ଟାର୍ଗେଟକୁ ଆସିଥିଲେ । କାରଣ ବିଷ୍ନୋଇ ସମାଜ କୃଷ୍ଣସାର ମୃଗକୁ ପୂଜା କରନ୍ତି ।

ସେହିପରି ସୈଫ ଅଲ୍ଲି ଖାନଙ୍କୁ ମରଣାନ୍ତକ ଆକ୍ରମଣ ମୁମ୍ବାଇ ପୋଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା । ମଧ୍ୟରାତିରେ ସୈଫଙ୍କ ଘରେ ଚୋରି ଉଦ୍ଦେଶ୍ୟରେ ପଶି ଜଣେ ଦୃର୍ବୃତ୍ତ ସୈଫଙ୍କୁ ଆକ୍ରମଣ କରିଥିଲା । ଠିକ ସମୟରେ ହସ୍ପିଟାଲରେ ପହଞ୍ଚିବା ଯୋଗୁଁ ତାଙ୍କ ଜୀବନ ବଞ୍ଚିଯାଇଥିଲା ସତ, ହେଲେ ଜଣେ ବଲିଉଡ କଳାକାର ଯଦି ନିଜେ ଘରେ ସୁରକ୍ଷିତ ରହିପାରୁନାହାନ୍ତି ତେବେ ସାଧାରଣ ଲୋକ କେମିତି ସୁରକ୍ଷିତ ବୋଲି ପ୍ରଶ୍ନ ଉଠିଥିଲା । ଏହି ଘଟଣାରେ ଆକ୍ରମଣ କରିଥିବା ଦୁର୍ବୃତ୍ତ ଜଣକ ବାଂଲାଦେଶର ବୋଲି ଜଣାପଡିଥିଲା । ସେହି ଦୃର୍ବୃତ୍ତ ଜଣକ ସୈଫଙ୍କୁ ଆକ୍ରମଣ କରିବା ପୂର୍ବରୁ ଶାହାରୁଖଙ୍କ ମନ୍ନତ ପାଖରେ ରେକି କରୁଥିବାର ମଧ୍ୟ ସିସିଟିଭିରୁ ଜଣା ପଡୁଥିଲା । 

ଏବେ ପ୍ରଶ୍ନ ଉଠୁଛି, ମୁମ୍ବାଇରେ କେତେ ସୁରକ୍ଷିତ ବଲିଉଡ ଅଭିନେତା? କାହିଁକି ବାରମ୍ବାର ଧମକର ଶିକାର ହେଉଛନ୍ତି ଷ୍ଟାର? ପାକିସ୍ତାନର ବଲିଉଡ ଉପରେ କଣ ରହିଛି ରାଗ? କିଏ ଓ କାହିଁକି ଦେଲା ଏଭଳି ଧମକପୂର୍ଣ୍ଣ ମେଲ୍? ଏବେ ନଜର ରହିବ ମୁମ୍ବାଇ ପୋଲିସ ଏହି ଚ୍ୟାଲେଞ୍ଜକୁ କେମିତି ଗ୍ରହଣ କରିବ?