କନକବ୍ୟୁରୋ : ମଧ୍ୟାହ୍ନ ଭୋଜନ ଚାଉଳରେ ପୋକ ସାଲୁବାଲୁ । ଯାଜପୁର ଜିଲ୍ଲା ବରୀ ଶିକ୍ଷାମଣ୍ଡଳ ଅଧୀନ ରତ୍ନଗିରି ପଞ୍ଚାୟତରେ ଥିବା ବିଦ୍ୟାଳୟ ଗୁଡ଼ିକ ରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ପୋକରା ଚାଉଳ ଖାଉଛନ୍ତି ଛାତ୍ରଛାତ୍ରୀ। ଚଳିତଥର ମଧ୍ୟାହ୍ନ ଭୋଜନ ଦିଆଯାଇଥିବା ଚାଉଳରେ ପୋକ ସାଲୁବାଲୁ ହେଉଥିବା ଦେଖିବାକୁ ମିଳିଛି । ବିଦ୍ୟାଳୟ ଗଡ଼ିକର ପ୍ରଧାନଶିକ୍ଷକ ମାନେ ଏ ବିଷୟରେ ଆଲୋଚନା କରି ସମ୍ପୃକ୍ତ ଠିକାଦାରଙ୍କୁ ଅବଗତ କରିଥିଲେ ମଧ୍ୟ ସେ ଚାଉଳ ବଦଳାଉ ନାହାନ୍ତି ।
ବରଂ ଆଜିକାଲି କହି ଦିନ ଗଡ଼ାଇ ଚାଲୁଛନ୍ତି। ଶେଷରେ ରତ୍ନଗିରି ପଞ୍ଚାୟତ ପଟଣାସ୍ଥିତ ସିଦ୍ଧେଶ୍ଵର ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ହେମନ୍ତ କୁମାର ବିଶ୍ଵାଳ ମଣ୍ଡଳ ଶିକ୍ଷାଧିକାରୀଙ୍କୁ ଲିଖତ ଅଭିଯୋଗ କରିବା ସହ ରୋଷେଇ ବନ୍ଦ ରଖୁବାକୁ ଚିଠିରେ ଉଲ୍ଲେଖ କରିଛନ୍ତି । ଗତ ୨୫ ତାରିଖରେ ଠିକାଦାର ଜଣକ ବିଦ୍ୟାଳୟଗୁଡ଼ିକରେ ପୁରୁଣା ପୋକ ଲଗା ଚାଉଳ ଦେଇଛନ୍ତି । ଏନେଇ ସମ୍ପୃକ୍ତ ସ୍କୁଲର ପ୍ରଧାନଶିକ୍ଷକଙ୍କ ଆପତ୍ତି ସତ୍ତ୍ବେ ଚାଉଳ ଏଯାଏଁ ବଦଳ ହୋଇ ଭଲ ଚାଉଳ ଆସିନାହିଁ । ଫଳରେ ପୋକରା ଚାଉଳର ଭାତ ମଧ୍ୟାହ୍ନ ଭୋଜନରେ ଛାତ୍ର ଛାତ୍ରୀ ମାନଙ୍କୁ ଦିଆଯାଉଛି । ତୁରନ୍ତ ଏଥିପ୍ରତି ଯାଜପୁର ଜିଲ୍ଲାପାଳ ଦୃଷ୍ଟି ଦେବାକୁ ଦାବି ହୋଇଛି ।