କନକ ବ୍ୟୁରୋ: ଭାରତର ପ୍ରତିରକ୍ଷା କ୍ଷେତ୍ର ପାଇଁ ଗତ ଅଗଷ୍ଟ ୨୬ ତାରିଖ ଏକ ଐତିହାସିକ ଦିନ ଥିଲା । ପ୍ରଥମ ଥର ପାଇଁ ଦୁଇଟି ଭିନ୍ନଭିନ୍ନ ସିପ୍‌ୟାର୍ଡରେ ନିର୍ମିତ ଦୁଇଟି ଯୁଦ୍ଧ ଜାହଜ ଏକା ସାଙ୍ଗରେ ଭାରତୀୟ ନୌସେନାରେ ସାମିଲ ହୋଇଛି । ଏହା ଭାରତର ସାମୁଦ୍ରିକ ଶକ୍ତିକୁ ଆହୁରି ମଜଭୁତ କରିବା ସହିତ ‘ମେକ୍ ଇନ ଇଣ୍ଡିଆ’ ଓ ‘ଆତ୍ମନିର୍ଭର ଭାରତ’ର ସଫଳତାକୁ ପ୍ରତିଫଳିତ କରୁଛି INS ହିମଗିରି ଓ INS ଉଦୟଗିରି । ଏହି ଦୁଇଟି ଫ୍ରିଗେଟ୍ ନୌସେନାର ଶକ୍ତିକୁ ନୂଆ ସ୍ତରକୁ ନେଇଯିବ ଏବଂ ଭାରତ ମହାସାଗରରେ ଭାରତର ସ୍ଥିତିକୁ ଆହୁରି ମଜଭୁତ କରିବ ।

Advertisment

INS ଉଦୟଗିରି ଏବଂ INS ହିମଗିରି ପ୍ରୋଜେକ୍ଟ 17A ଅଧୀନରେ ନିର୍ମିତ ନୀଳଗିରି-ଶ୍ରେଣୀର ଷ୍ଟେଲ୍‌ଥ ଫ୍ରିଗେଟ୍‌ର ଅଂଶ । ଏହି ପ୍ରୋଜେକ୍ଟଟି ଶିବାଲିକ-ଶ୍ରେଣୀ (ପ୍ରୋଜେକ୍ଟ 17)ର ଏକ ଉନ୍ନତ ସଂସ୍କରଣ, ଯେଉଁଥିରେ ଅତ୍ୟାଧୁନିକ ଟେକ୍ନୋଲୋଜି, ଅସ୍ତ୍ରଶସ୍ତ୍ର ଏବଂ ସେନ୍ସର ସିଷ୍ଟମ ସାମିଲ କରାଯାଇଛି । ଏହି ଯୁଦ୍ଧପୋତ ଗୁଡ଼ିକୁ 'ବ୍ଲୁ ୱାଟର ଅପରେସନ୍ସ' ପାଇଁ ଡିଜାଇନ୍ କରାଯାଇଛି । ଅର୍ଥାତ୍ ଏଗୁଡ଼ିକ ଗଭୀର ସମୁଦ୍ରରେ ପାରମ୍ପରିକ ଏବଂ ଅଣ-ପାରମ୍ପରିକ ବିପଦର ମୁକାବିଲା କରିବାରେ ସକ୍ଷମ । ଏହାର ଡିଜାଇନ୍ ଏତେ ଖାସ୍ ଯେ ରାଡାରରେ ଏହାର ଉପସ୍ଥିତିକୁ ଧରିବା କଷ୍ଟକର, ଯେଉଁଥିପାଇଁ ଏହାକୁ ଷ୍ଟେଲ୍‌ଥ ଯୁଦ୍ଧପୋତ ବି କୁହାଯାଏ ।

INS ଉଦୟଗିରିକୁ ମୁମ୍ବାଇର ମଝଗାଓଁ ଡକ୍ ଶିପବିଲଡର୍ସ ଲିମିଟେଡ୍(MDL) ନିର୍ମାଣ କରିଛି, ଯାହା ପ୍ରୋଜେକ୍ଟ 17Aର ଦ୍ୱିତୀୟ ଜାହାଜ । ଏହା ନୌସେନାର ୱାରସିପ୍ ଡିଜାଇନ୍ ବ୍ୟୁରୋ ଦ୍ୱାରା ଡିଜାଇନ୍ କରାଯାଇଥିବା ୧୦୦ତମ ଜାହଜ । ଏହା ଭାରତର ସ୍ୱଦେଶୀ ଡିଜାଇନ୍ କ୍ଷମତାର ପ୍ରତୀକ । INS ହିମଗିରିକୁ କୋଲକାତାର ଗାର୍ଡେନ ରିଚ୍ ଶିପବିଲଡର୍ସ ଆଣ୍ଡ ଇଞ୍ଜିନିୟର୍ସ (GRSE) ନିର୍ମାଣ କରିଛି, ଯାହା ଏହି ପ୍ରୋଜେକ୍ଟର ପ୍ରଥମ ଜାହାଜ । ଉଭୟ ଜାହାଜରେ ପ୍ରାୟ ୭୫% ସ୍ୱଦେଶୀ ସାମଗ୍ରୀର ବ୍ୟବହାର ହୋଇଛି, ଯାହା 'ମେକ୍ ଇନ୍ ଇଣ୍ଡିଆ' ଏବଂ 'ଆତ୍ମନିର୍ଭର ଭାରତ' ପଦକ୍ଷେପର ସଫଳତାକୁ ଦର୍ଶାଉଛି ।

ଉଭୟ ଯୁଦ୍ଧପୋତର କ୍ଷମତା ବିଷୟରେ ଆଲୋଚନା କଲେ... ଦୁଇଟି ଫ୍ରିଗେଟ୍‌ର ଓଜନ ୬୭୦୦ ଟନ୍ ଏବଂ ଲମ୍ବ ୧୪୯ ମିଟର । ଏଥିରେ ଆଧୁନିକ କମ୍ବାଇନ୍ଡ ଡିଜେଲ ଆଣ୍ଡ୍‌ ଗ୍ୟାସ୍(CODOG) ପ୍ରଣାଳୀ ରହିଛି, ଯାହା ଏହାକୁ ଘଣ୍ଟାପ୍ରତି ୩୦ ନଟ୍ ବେଗରେ ଚଳାଇବାରେ ସକ୍ଷମ କରାଏ । ଏଥିରେ ବ୍ରହ୍ମୋସ ସୁପରସୋନିକ୍ କ୍ରୁଜ୍ ମିସାଇଲ୍ ରହିଛି ।  ୪୫୦ କିମି ରେଞ୍ଜ୍ ଥିବା ଏହି ମିସାଇଲ୍ ସମୁଦ୍ର ଏବଂ ସ୍ଥଳଭାଗରେ ଥିବା ଲକ୍ଷ୍ୟକୁ ଭେଦ କରିପାରିବ ।  ଏଥିରେ ରହିଛି  ବରାକ-୮, ଯାହା ଭୂପୃଷ୍ଠରୁ ଆକାଶକୁ ଟାର୍ଗେଟ୍‌ କରିବାକୁ ସକ୍ଷମ । ଏହି ମିସାଇଲ୍ ବିମାନ, ଡ୍ରୋନ୍ ଏବଂ ମିସାଇଲ୍ ଭଳି ଆକାଶ ମାର୍ଗରୁ ଆସୁଥିବା ବିପଦରୁ ସୁରକ୍ଷା ଦେବ । ବିଶାଖାପାଟଣାରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂଙ୍କ ଉପସ୍ଥିତିରେ ଦୁଇ ଯୁଦ୍ଧପୋତ ନୌସେନାରେ ସାମିଲ ହୋଇଛି । ଏହାପରେ ସାମୁଦ୍ରିକ ସୀମାରେ ଭାରତକୁ ନାଲି ଦେଖାଇବ ପୂର୍ବରୁ ଦୁଇଥର ଚିନ୍ତା କରିବେ ଶତ୍ରୁ ଦେଶ । ଏଥିରେ କୌଣସି ସନ୍ଦେହ ନାହିଁ ।