Dog Photograph: (kanak news)
କନକ ବ୍ୟୁରୋ : ତେଲେଙ୍ଗାନାର ଜଗିତାଲ ଜିଲ୍ଲାରୁ ଏକ ଅତ୍ୟନ୍ତ ଅମାନବୀୟ ଏବଂ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି । ନିର୍ବାଚନୀ ପ୍ରତିଶ୍ରୁତି ପୂରଣ କରିବାକୁ ଯାଇ ସେଠାରେ ମାସକ ମଧ୍ୟରେ ପ୍ରାୟ ୯୦୦ ବୁଲା କୁକୁରଙ୍କୁ ଅତି ନିର୍ଦ୍ଦୟ ଭାବେ ହତ୍ୟା କରାଯାଇଛି । ପଞ୍ଚାୟତ ପ୍ରତିନିଧିମାନେ ନିଜର ଭୋଟରଙ୍କୁ ଦେଇଥିବା ପ୍ରତିଶ୍ରୁତି ରକ୍ଷା କରିବା ପାଇଁ ଏଭଳି ଏକ ଯୋଜନାବଦ୍ଧ ଗଣହତ୍ୟା କରିଥିବା ଜଣାପଡିଛି ।
ସୂଚନା ଅନୁଯାୟୀ, ସ୍ଥାନୀୟ ଗ୍ରାମ ପଞ୍ଚାୟତ ନିର୍ବାଚନ ସମୟରେ ଅନେକ ପ୍ରାର୍ଥୀ ଲୋକଙ୍କୁ ପ୍ରତିଶ୍ରୁତି ଦେଇଥିଲେ ଯେ, ସେମାନେ ନିର୍ବାଚିତ ହେଲେ ଅଞ୍ଚଳକୁ କୁକୁର ଓ ମାଙ୍କଡ ଦୌରାତ୍ମ୍ୟରୁ ମୁକ୍ତ କରିବେ । ଏହି ପ୍ରତିଶ୍ରୁତି ପାଳନ କରିବା ପାଇଁ ବୁଲା କୁକୁରଙ୍କୁ ବିଷାକ୍ତ ଇଞ୍ଜେକସନ ଦେଇ ମାରିବାର ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରାଯାଇଥିଲା । ଗୋଟିଏ ସପ୍ତାହ ମଧ୍ୟରେ ପ୍ରଥମେ ୫୦୦ କୁକୁରଙ୍କୁ ମରାଯାଇଥିବା ବେଳେ, ପରବର୍ତ୍ତୀ ସମୟରେ ପୁଣି ୩୦୦ କୁକୁରଙ୍କୁ ହତ୍ୟା କରାଯାଇଥିଲା । ଏହିପରି ଭାବେ ମାସକ ମଧ୍ୟରେ ମୋଟ ୯୦୦ କୁକୁରଙ୍କ ଜୀବନ ନିଆଯାଇଛି ।
ଅଧିକ ପଢ଼ନ୍ତୁ---ଜର୍ଜିଆ ଗୁଳିକାଣ୍ଡ: ଜଣେ ଭାରତୀୟ ମହିଳାଙ୍କ ସମେତ ୪ ମୃତ, ପାରିବାରିକ କଳହରୁ ସ୍ୱାମୀ ଗୁଳି ଚଳାଇଲେ
କୁକୁରଙ୍କୁ ବିଷାକ୍ତ ଇଞ୍ଜେକସନ ଦେବା ମାତ୍ରେ ସେମାନେ ଅଚେତ ହୋଇଯାଉଥିଲେ ଏବଂ କିଛି ସମୟ ପରେ ସେମାନଙ୍କର ମୃତ୍ୟୁ ଘଟୁଥିଲା । କିଛି ଦିନ ପୂର୍ବରୁ ଏକାସଙ୍ଗେ ୧୦୦ଟି କୁକୁରଙ୍କ ମୃତଦେହ ମିଳିବା ପରେ ଏହି ଘଟଣା ଲୋକଲୋଚନକୁ ଆସିଥିଲା । ଶବ ବ୍ୟବଚ୍ଛେଦ ରିପୋର୍ଟରୁ ବିଷାକ୍ତ ଇଞ୍ଜେକସନ ହିଁ ମୃତ୍ୟୁର ମୁଖ୍ୟ କାରଣ ବୋଲି ସ୍ପଷ୍ଟ ହୋଇଛି ।
ଏହି ଅମାନବୀୟ କାଣ୍ଡ ପାଇଁ ଏକ ସଂଗଠନ ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଛି । ପୁଲିସ ଏହି ମାମଲାରେ ସ୍ଥାନୀୟ ସରପଞ୍ଚ ଏବଂ ପଞ୍ଚାୟତ ସଚିବଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ନିର୍ବାଚନ ଜିତିବା ଏବଂ ପ୍ରତିଶ୍ରୁତି ପାଳନ ନାମରେ ଏଭଳି ନିରୀହ ପଶୁଙ୍କୁ ହତ୍ୟା କରିବା ଘଟଣା ଏବେ ସାରା ଦେଶରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି । ପଶୁପ୍ରେମୀ ଓ ବିଭିନ୍ନ ସାମାଜିକ ସଂଗଠନ ଏହି ଘଟଣାକୁ ନିନ୍ଦା କରିବା ସହ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।
Follow Us