କନକ ବ୍ୟୁରୋ : ମହିଳାଙ୍କୁ  ଶାଶୁ ଘର ଲୋକଙ୍କ ଲୋମ ଟାଙ୍କୁରା ଆକ୍ରମଣ । ଗରମ ଆଇରନରେ ଜଙ୍ଘରେ ଦେଇଛନ୍ତି ଚେଙ୍କ ।  ଏମିତି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ମଙ୍ଗଳପୁର ଥାନା ଅଧୀନରେ ।  ଶାଶୁଘର ଲୋକ ପ୍ରଣତି ଦାସଙ୍କୁ ମରଣାନ୍ତକ ଆକ୍ରମଣ କରିବା ସହିତ ଗରମ ଆଇରନକୁ ଜଙ୍ଘ, ହାତ, ପେଟ, ପିଠି, ଛାତି ଏବଂ ଯୌନାଙ୍ଗରେ ଚିଙ୍କ ଲଗାଇଛନ୍ତି । ଫଳରେ ଶରୀରରେ ଏକାଧିକ ସ୍ଥାନରେ ସିଝି ଫୋଟକା ହୋଇଯାଇଥିବା ଦେଖିବାକୁ ମିଳିଛି । ପାଟିରୁ ଫେଣ ବାହାରିବ ସହିତ ମହିଳା କଥା କହି ପାରୁନଥିବା ଜଣାପଡିଛି । ଏହିଭଳି ଅବସ୍ଥାରେ ଶାଶୂଘର ଲୋକ ସେଠାରେ ଆକ୍ରମଣ କରିବା ପରେ ବାପ ଘର ଦିହୁଡିସାହି ଠାରେ ଏକ ଅଟୋରେ ଛାଡି ପଳାଇଛନ୍ତି ।

Advertisment

ପ୍ରଣତିଙ୍କୁ ସ୍ଥାନୀୟ ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ପଠାଇଦିଆଯାଇଛି ।  ତାଙ୍କ ଅବସ୍ଥା ସଂକଟାପର୍ଣ୍ଣ ଥିବା ଡାକ୍ତର ସୂଚନା ଦେଇଛନ୍ତି । ମଙ୍ଗଳପୁର ଥାନା ଅଧିନସ୍ଥ କନିକାପଡା ପଞ୍ଚାୟତ ଦିହୁଡିସାହି ଗ୍ରାମର ସ୍ବର୍ଗତ ଅରୁଣ ଦାସଙ୍କ ଝିଅ ପ୍ରଣତି ଦାସ ୨୦୧୬ ମସିହାରେ ଭଦ୍ରକ ଜିଲ୍ଲା ଧାମନଗର ଥାନା ଅଧିନସ୍ଥ କଲ୍ୟାଣୀ ଗ୍ରାମର  ଜଗବନ୍ଧୁ ଦାସଙ୍କୁ ବିବାହ କରିଥିଲେ ।  ବିବାହ ପରେ ଶାଶୂଘର ଲୋକେ ବାରମ୍ବାର ଆକ୍ରମଣ କରିଆସୁଛନ୍ତି । ପରିବାର ଲୋକେ ଅଭିଯୁକ୍ତମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।