କନକ ବ୍ୟୁରୋ: ଦୁର୍ନୀତିକୁ ଦୂର କରିବ ସୂଚନା ଅଧିକାର ଆଇନ । ଏହି ଆଇନ ବଳରେ ଦୁର୍ନୀତିଖୋରଙ୍କ ଅସଲ ଚେହେରା ସାମ୍ନାକୁ ଆସିବ। ଏହି ବିଶ୍ୱାସ ଅନେକଙ୍କ ରହିଛି। ବିଡ଼ମ୍ବନାର କଥା ହେଉଛି ସୂଚନା କମିସନ ହିଁ ତଥ୍ୟ ଲୁଚାଉଛି। ଏଭଳି ଏକ ଘଟଣା ସାମ୍ନାକୁ ଆସିଛି । ତରବରିଆ ଭାବେ ବିଭିନ୍ନ ମାମଲାକୁ କମିସନ ଖାରଜ କରୁଥିବା ଅଭିଯୋଗ ହୋଇଛି ।
ସରକାରୀ ବ୍ୟବସ୍ଥାରେ ସ୍ବଚ୍ଛତା ଆଣିବା ପାଇଁ ଆସିଥିଲା ସୂଚନା ଅଧିକାର ଆଇନ। କିନ୍ତୁ ଧୀରେ ଧୀରେ ଏହି ଆଇନ ପ୍ରହସନରେ ପରିଣତ ହେଲାଣି । କେନ୍ଦ୍ରାପଡ଼ାର ସୂଚନା ଅଧିକାର କର୍ମୀ ଅମିତାଭ ଚାନ୍ଦ ୨୦୨୦ରେ ବୋର୍ଡ ଅଫ ସେକେଣ୍ଡାରି ଏଜୁକେସନକୁ କିଛି ତଥ୍ୟ ମାଗିଥିଲେ । ବାରମ୍ୱାର ଶୁଣାଣି ହେବା ସତ୍ତ୍ବେ ବୋର୍ଡ ପକ୍ଷରୁ କେହି ତଥ୍ୟ ଦେଉନଥିଲେ କି କମିସନରେ ହାଜର ହୋଇନଥିଲେ । ଶେଷରେ ୨୦୨୨ରେ କେସ୍କୁ ଫଇସଲା କରି ୧୫ ଦିନ ମଧ୍ୟରେ ସମ୍ପୂର୍ଣ୍ଣ ତଥ୍ୟ ଦେବା ସହ ପିଆଇଓଙ୍କ ବିରୁଦ୍ଧରେ ୨୫ ହଜାର ଟଙ୍କା ଦଣ୍ଡ ବିଧାନ କରିଥିଲେ । ତଥାପି ପିଆଇଓ ତଥ୍ୟ ନଦେବାରୁ ସୂଚନା ଆଇନର ଧାରା ୧୮ରେ ଅଭିଯୋଗ ଦାଖଲ କରିଥଲେ ଅମିତାଭ । ଶେଷରେ ଗତ ଜୁନ ମାସରେ ବୋର୍ଡର ପିଆଇଓ କମିସନ ପାଖରେ ହାଜର ହୋଇ କହିଲେ ଯେ ଏହା ତୃତୀୟ ପକ୍ଷ ତଥ୍ୟ ହୋଇଥିବାରୁ ଦିଆଯାଇପାରିବ ନାହିଁ । ମାମଲାର ବିଶେଷ ତର୍ଜମା ନକରି ଏହାର ପରିସମାପ୍ତି କରିଥିବା ଅଭିଯୋଗ ହୋଇଛି । ଭୁବନେଶ୍ୱରରେ ଆୟୋଜିତ ରାଜ୍ୟସ୍ତରୀୟ ଜନ ଶୁଣାଣିରେ ଏଭଳି ମାଳମାଳ ଅଭିଯୋଗ ସାମ୍ନାକୁ ଆସିଛି ।
ସରକାରୀବାବୁ ମାନେ ସରକାରଙ୍କ ଖର୍ଚ୍ଚରେ ବୁଲିପାରିବେ । ପ୍ରତ୍ୟେକ ସରକାରୀ ବାବୁଙ୍କର ଏଲ୍ଟିସି ବା ଲିଭ୍ ଟ୍ରାଭେଲ କନସେସନର ବ୍ୟବସ୍ଥା ରହିଛି । ତେବେ ସୂଚନା କମିସନ’ର କମିସନର୍ମାନେ ଏଲ୍ଟିସି ବାବଦକୁ କେତେ ଖର୍ଚ୍ଚ କରିଛନ୍ତି ସେନେଇ ଆରଟିଆଇରେ ତଥ୍ୟ ମାଗିଥିଲେ ସୂଚନା ଅଧିକାର କର୍ମୀ ମହେଶ୍ୱର ମହାନ୍ତି । ଏଲଟିସି ବାବଦରେ କେତେ ଅର୍ଥ ନେଇଛନ୍ତି, ଏହାର ବିଲ୍ ଓ ଭାଉଚର କପି ମାଗିଥିଲେ ମହେଶ୍ୱର ମହାନ୍ତି। ଏହାସହ ୨୦୨୪-୨୫ ଆର୍ଥିକ ବର୍ଷରେ ସୂଚନା କମିସନକୁ ୫କୋଟି ୪୩ ଲକ୍ଷ ଟଙ୍କା ଦିଆଯାଇଥିବାର ହିସାବ ମାଗିଥିଲେ । ହିସାବ ତ ଦେଲେନି, ବରଂ ପିଆଇଓ ଉତ୍ତର ଦେଲେ ଯେ ଏହା ବ୍ୟକ୍ତିଗତ ସୂଚନା ହୋଇଥିବାରୁ ତଥ୍ୟ ଦିଆଯାଇପାରିବ ନାହିଁ । ସରକାରଙ୍କ ଅର୍ଥ ଖର୍ଚ୍ଚ ହେଲା, ଏହା କେମିତି ବ୍ୟକ୍ତିଗତ ତଥ୍ୟ ହୋଇପାରେ ବୋଲି ପ୍ରଶ୍ନ କରିଛନ୍ତି ମହେଶ୍ୱର ମହାନ୍ତି ।