କନକ ବ୍ୟୁରୋ : ରତ୍ନଭଣ୍ଡାରର ବୈଷୟିକ ସର୍ଭେ କରିବ ଏଏସଆଇ। ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା ପକ୍ଷରୁ ଆସନ୍ତା ସେପ୍ଟେମ୍ବର ୨୧,୨୨ ଓ ୨୩ ତାରିଖରେ ଶ୍ରୀମନ୍ଦିର ରତ୍ନଭଣ୍ଡାରର ବୈଷୟିକ ସର୍ଭେ ଅନୁଷ୍ଠିତ ହେବ । ଦିନ ୨ଟାରୁ ସନ୍ଧ୍ୟା ୬ଟା ଯାଏଁ ସର୍ଭେ ପାଇଁ ସମୟ ସ୍ଥିର ହୋଇଛି । ଆସନ୍ତା ସେପଟେମ୍ବର ୨୪ ତାରିଖ ସୁଦ୍ଧା ଶ୍ରୀମନ୍ଦିର ରତ୍ନଭଣ୍ଡାରର ବାକି ଥିବା ବୈଷୟିକ ସର୍ଭେ ଶେଷ କରିବାକୁ ଚିଠି ଲେଖିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢୀ । ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା  ଅନୁସାରେ ଏହା କରାଯିବ । ତେଣୁ ଏହି ତିନି ଦିନ ପାଇଁ ଶ୍ରୀଜୀଉଙ୍କ ନୀତିକାନ୍ତି ବା ସେବାପୂଜାରେ ବ୍ୟାଘାତ ନକରି ନିରୀକ୍ଷଣ ପ୍ରକ୍ରିୟା ପାଇଁ ଆବଶ୍ୟକ ସମୟ ଦେବା ଲାଗି ବିଶେଷ ନୀତି ନିର୍ଘଣ୍ଟ ପ୍ରସ୍ତୁତ କରାଯାଇଛି । ଏହି ଦିନ ପାଇଁ ହୋଇଥିବା ବିଶେଷ ନୀତି ନିର୍ଘଣ୍ଟ ଅନୁସାରେ ଦିନ ୧ଟା ରୁ ନିରୀକ୍ଷଣ କାର୍ୟ୍ୟ ଶେଷ ହେବା ପର୍ୟ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ମହାପ୍ରସାଦ କ୍ରୟ କରିବାକୁ ଇଚ୍ଛୁକ ଭକ୍ତ ସିଂହଦ୍ଵାର ପଟେ ବାଇଶି ପାହାଚ ଦେଇ ଆନନ୍ଦ ବଜାରରୁ ମହାପ୍ରସାଦ କ୍ରୟ କରି ଉତ୍ତର ଦ୍ୱାର ପଟେ ଉକ୍ତ ସମୟରେ ପ୍ରସ୍ଥାନ କରିପାରିବେ । ଗତ ୧୮ ତାରିଖରେ ଶ୍ରୀମନ୍ଦିର ରତ୍ନଭଣ୍ଡାରର ବୈଷୟିକ ସର୍ଭେ ଏ.ଏସ୍.ଆଇ ପକ୍ଷରୁ ଅନୁଷ୍ଠିତ ହୋଇଥିଲା । ରାଜ୍ୟ ସରକାରଙ୍କ ଅନୁମୋଦିତ  ମାର୍ଗଦର୍ଶିକା ଅନୁସାରେ ବାହାର ଓ ଭିତର ରତ୍ନଭଣ୍ଡାରରୁ ସମସ୍ତ ଅଳଙ୍କାର ଅସ୍ଥାୟୀ ଷ୍ଟ୍ରଂଗ୍ କୋଠରୀକୁ ସ୍ଥାନାନ୍ତରଣ ଏବଂ ଖାଲି ଆଲମିରା ତଥା ସିନ୍ଦୁକ ଗୁଡିକ ସ୍ଥାନାନ୍ତରିତ ହୋଇ ସାରିଛି ।

Advertisment