କନକ ବ୍ୟୁରୋ : ଭୁବନେଶ୍ୱରରେ ଥିବା ଦୃଷ୍ଟିହୀନ ସଂଘ ଏବେ ଚର୍ଚ୍ଚାରେ । ପରସ୍ପର ବିରୋଧରେ ଲମ୍ବା ଅଭିଯୋଗ କରୁଛନ୍ତି ସଂଘ ସମ୍ପାଦକ ଓ ଚାରିଟି ଅଧ୍ୟକ୍ଷ , ମାମଲା ଥାନାରେ ପହଞ୍ଚିଛି । ଆଉ ତୁଚ୍ଛା ରାଜନୀତିରେ ପେଶି ହେଉଛନ୍ତି ଦୃଷ୍ଟିବାଧିତ । ଉତ୍କଳ ଦୃଷ୍ଟିହୀନ ସଙ୍ଘରେ ଫାଟ , ସଂଘ ସଦସ୍ୟଙ୍କ ଭିତରେ ଲାଗିଛି ନାଟ । ସଂପାଦକ ପ୍ରଶାନ୍ତ ଦାସ ଓ ଗୋ ଇଣ୍ଡିଆ ଚାରିଟିର ଅଧ୍ୟକ୍ଷ ଭଗବାନ ପତି ଏବେ ଗୋହି ଖୋଳି ଖୋଳି ହେଉଛନ୍ତି ।

Advertisment

ପ୍ରଶାନ୍ତଙ୍କ ଅଭିଯୋଗ ଯେ, ଭଗବାନ ଦୃଷ୍ଟିବାଧିତଙ୍କୁ ଭିକ୍ଷା ବୃତ୍ତିରେ ନିୟୋଜିତ କରି ସେମାନଙ୍କ ଠାରୁ ଦୈନିକ ଦାଦାବଟି ସଂଗ୍ରହ କରୁଛନ୍ତି । ଆଉ ଏହି ଟଙ୍କାରେ ନିଶା ଦ୍ରବ୍ୟ, ସୌଖିନ ସାମଗ୍ରୀ, ସୁନା ଗହଣା ଇତ୍ୟାଦି କିଣି ଅୟସ କରୁଛନ୍ତି । ଖାଲି ସେତିକି ନୁହେଁ ଦୃଷ୍ଟିବାଧିତ ଯୁବତୀଙ୍କୁ ଯୌନ ଶୋଷଣ ଭଳି ସାଙ୍ଘାତିକ ଅଭିଯୋଗ କରିଛନ୍ତି ପ୍ରଶାନ୍ତ । ତେବେ ପ୍ରଶାନ୍ତଙ୍କୁ କାଉଣ୍ଟର କରି ଭଗବାନ କହିଛନ୍ତି,  ଜିତି ସାରିବା ପରେ ବି ଧରା ଛୁଆଁ ଦେଉନାହାନ୍ତି ପ୍ରଶାନ୍ତ । ଦୃଷ୍ଟିବାଧିତଙ୍କ ଟଙ୍କା ହରଣଚାଲ କରୁଛନ୍ତି । ଲୋକଙ୍କ ହକ୍ ପାଇଁ ଲଢ଼େଇ କରୁଥିବାରୁ ମିଛ ଅଭିଯୋଗ କରି ବଦନାମ କରାଯାଉଛି । 

ଦୃଷ୍ଟିହୀନ ସଙ୍ଘରେ ଚାଲିଥିବା ଏହି ଆରୋପ ପ୍ରତ୍ୟାରୋପ ସତ ହୋଇଥିଲେ ସାଙ୍ଘାତିକ । ନୀରିହ ଦୃଷ୍ଟିହୀନଙ୍କ ପାଇଁ ବିଭିନ୍ନ ଯୋଜନା କରାଯାଉଛି , ଲକ୍ଷ ଲକ୍ଷ ଟଙ୍କା ବି ଆସୁଛି । ହେଲେ ହୀନ ରାଜନୀତି ଓ ଚକ୍ରାନ୍ତ ଯୋଗୁଁ ହନ୍ତସନ୍ତ ହେଉଥିବା କହିଛନ୍ତି ଅନ୍ତେବାସୀ । ଦୃଷ୍ଟିହୀନ ସଙ୍ଘର ଏହି ମାମଲା ଏବେ ଥାନାରେ ପହଞ୍ଚିଛି । ଅନ୍ୟପଟେ ରାଜ୍ୟ ମାନବାଧିକାର କମିସନ ବି ଏହି ଘଟଣାର ଖୋଳତାଡ଼ ଆରମ୍ଭ କରିଛନ୍ତି ।