କନକ ବ୍ୟୁରୋ: ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଶିଶୁମୃତ୍ୟୁ ଘଟଣାରେ ଆରମ୍ଭ ହେଲା ପ୍ରାଥମିକ ତଦନ୍ତ । ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ତଦନ୍ତ ଆରମ୍ଭ କରିଛନ୍ତି । ଚିକିତ୍ସା ଅବହେଳାରୁ ଶିଶୁ ମୃତ୍ୟୁ ହୋଇଥିବା ଅଭିଯୋଗ ସହ ପ୍ରତିବାଦ କରିଥିଲେ ମୃତ ଶିଶୁର ପରିବାର । ମୃତ ଶିଶୁର ବାପା ଜଣେ ଅଟୋ ଡ୍ରାଇଭର ହୋଇଥିବାରୁ ଅନ୍ଲାଇନ୍ ଅଟୋ ସଂଘ ବି ପ୍ରତିବାଦରେ ସାମିଲ ହୋଇଥିଲେ । ଏତିକି ବେଳେ ହସ୍ପିଟାଲର ସିକ୍ୟୁରିଟି ଗାର୍ଡ ମାଡ଼ ମାରିଥିବା ବି ଅଭିଯୋଗ ହୋଇଛି ।
ଶିଶୁର କଫ ଜନିତ ସ୍ୱାସ୍ଥ୍ୟ ସମସ୍ୟା ନେଇ ବାପା ମାଆ କ୍ୟାପିଟାଲ୍ ହସ୍ପିଟାଲ୍ ଆଣିଥିଲେ । ଏହି ସମୟରେ ମେଡିକାଲ୍ରେ ଡାକ୍ତର ନିଦ ବାଉଳାରେ ଔଷଧ ଦେଇଥିଲେ । ଯାହାଫଳରେ ଶିଶୁଟିର ଅକାଳରେ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ମୃତ ଶିଶୁର ପରିବାର ଲୋକେ ଡାକ୍ତରଙ୍କୁ ଦୀର୍ଘ ସମୟ ଧରି ଅଟକ ରଖିଥିଲେ । ଏହା ସହିତ ହସ୍ପିଟାଲରେ ଧାରଣା ଦେଇଥିଲେ ପରିବାର ଲୋକେ ।