କନକ ବ୍ୟୁରୋ: ସରକାରୀ ସ୍ତରରେ ଥିବା ଅପାରଗ ଅଫିସରଙ୍କ ବିରୋଧରେ ନିଆଯିବ କାର୍ଯ୍ୟାନୁଷ୍ଠାନ । ଲାଞ୍ଚୁଆ, ଅପାରଗ ଅଫିସରଙ୍କୁ ଚିହ୍ନଟ ସହ ଏମାନଙ୍କ ତାଲିକା ପ୍ରସ୍ତୁତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୋଦୀ ସରକାର । ମୋଦୀଙ୍କ ଏହି ନିର୍ଦ୍ଦେଶ ପରେ ଅଫିସରଙ୍କ ମନରେ ଛନକା ପଶିଛି । କାରଣ ଏପର୍ଯ୍ୟନ୍ତ ୫୦୦ରୁ ଅଧିକ ଅପାରଗ ଓ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇସାରିଛନ୍ତି ମୋଦୀ ସରକାର।

Advertisment

ନିକମା, ଅପାରଗ ଅଫିସରଙ୍କ ତାଲିକା ପ୍ରସ୍ତୁତ କରୁଛନ୍ତି ମୋଦୀ ସରକାର। ଏଥିପାଇଁ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗର ସଚିବମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ମିଳିଥିବା ସୂଚନା ଅନୁସାରେ, ସର୍ଭିସ ରୁଲ ଅନୁସାରେ ପ୍ରଦର୍ଶନ ଭଲନଥିବା ଅଧିକାରୀଙ୍କୁ ଖୋଜି ବାହାର କରାଯାଉଛି। ଏପରିକି କେଉଁମାନଙ୍କ ନାଁରେ ଦୁର୍ନୀତି ଅଭିଯୋଗ ରହିଛି, ତାର ମଧ୍ୟ ଏକ ତାଲିକା ପ୍ରସ୍ତୁତ ହେଉଛି । ଖୁବଶୀଘ୍ର ଏମାନଙ୍କ ବିରୋଧରେ ହୋଇପାରେ କାର୍ଯ୍ୟାନୁଷ୍ଠାନ। 

ହରିୟାଣା ଏବଂ ଜମ୍ମୁ-କାଶ୍ମୀର ନିର୍ବାଚନ ଫଳାଫଳ ଆସିବା ପରେ ମନ୍ତ୍ରୀ ଓ ସଚିବମାନଙ୍କ ସହ ଆଲୋଚନା କରିଥିଲେ ପ୍ରଧାନମନ୍ତ୍ରୀ। ବୁଧବାର ଏହି ବୈଠକରେ ନିକମା ଅଫିସରଙ୍କୁ ଚିହ୍ନଟ ପୋଇଁ ମୋଦୀ ନିର୍ଦ୍ଦେଶ ଦେଇଥିବା କୁହାଯାଉଛି। 
ସେଣ୍ଟ୍ରାଲ ସିଭିଲ ସର୍ଭିସେସ ପେନସନ୍‌ ରୁଲରେ ଏଥିପାଇଁ ବ୍ୟବସ୍ଥା ରହିଛି। ଦେଖନ୍ତୁ କଣ ରହିଛି ନିୟମ

ନିକମା ଅଫିସରଙ୍କୁ ହଟାଇ ପାରିବେ ସରକାର 
ଅଫିସର ତାଙ୍କ ଦାୟିତ୍ୱ ଠିକରେ ନିର୍ବାହ କରିନପାରିଲେ ହଟାଇ ପାରିବେ ସରକାର
ଏଥିପାଇଁ ସେଣ୍ଟ୍ରାଲ ସିଭିଲ ସର୍ଭିସେସ ପେନସନ୍‌ ରୁଲ (୫୬-ଜେ)ରେ ରହିଛି ନିୟମ
ଅପାରଗ ଅଧିକାରୀଙ୍କୁ ସମୟ ପୂର୍ବରୁ ଦେଇପାରିବେ ବାଧ୍ୟତାମୂଳକ ଅବସର
ଜନସ୍ୱାର୍ଥ ଦୃଷ୍ଟିରୁ ଅପାରଗ ଅଫିସରଙ୍କ ବିରୋଧରେ ହୋଇପାରିବ କାର୍ଯ୍ୟାନୁଷ୍ଠାନ 
ଏହା ପୂର୍ବରୁ ୩ ମାସର ନୋଟିସ ସହ ଦରମା ଓ ଭତ୍ତା ଦେବାର ନିୟମ ରହିଛି
ଅଧିକାରୀ ଚାହିଁଲେ ସରକାରଙ୍କ କାର୍ଯ୍ୟାନୁଷ୍ଠାନ ବିରୋଧରେ ଯାଇପାରିବେ କୋର୍ଟ

ସରକାରୀ ନିୟମ ଆଧାରରେ ଆଜିଯାଏ ପ୍ରାୟ ୫୦୦ରୁ ଅଧିକ ଅପାରଗ ଓ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇସାରିଛନ୍ତି ମୋଦୀ ସରକାର । ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବାର୍ତ୍ତା ଥିଲା ଅତି ସ୍ପଷ୍ଟ। ଲୋକଙ୍କ ସମସ୍ୟା ସମାଧାନ ଦିଗରେ କାମ କରିବେ ସରକାରୀ ଅଧିକାରୀ । ଗୋଟିଏ ଟେବୁଲରୁ ଆଉଗୋଟିଏ ଟେବୁଲକୁ ଫାଇଲ ପଠାଇବା ତୁରନ୍ତ ବନ୍ଦ ହେବ । ଆଉ ଲୋକଙ୍କ ସାର୍ଟିଫିକେଟ ଆଧାରରେ ଲେଖାଯିବ ବାବୁଙ୍କ ଚରିତ୍ର ପଞ୍ଜିକା । 

ବୈଠକରେ ଉପସ୍ଥିତ ମନ୍ତ୍ରୀ ଓ ସଚିବମାନଙ୍କୁ ମୋଦୀ ଅବଗତ କରିଥିଲେ ଯେ, ଗତ ୧୦ ବର୍ଷରେ କେବଳ ପିଏମଓକୁ ସାଢେ ୪ କୋଟି ଅଭିଯୋଗପତ୍ର ଆସିଛି। ଏଥିରୁ ୪୦% କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗ ସଂପର୍କିତ ପ୍ରସଙ୍ଗ ହୋଇଥିବାବେଳେ ୬୦% ରାଜ୍ୟ ସରକାରଙ୍କ ବିଭିନ୍ନ  ବିଭାଗ ସଂପର୍କୀୟ ଅଭିଯୋଗ। ତେଣୁ ସଚିବମାନଙ୍କୁ ସପ୍ତାହକୁ ଥରେ ଜନଶୁଣାଣି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।