କନକବ୍ୟୁରୋ : ଆଜିଠୁ ଦୁଇ ଦିନିଆ ଉତ୍କର୍ଷ ଓଡ଼ିଶା ସମ୍ମିଳନୀ। ନିବେଶ ପାଇଁ ଓଡ଼ିଶାରେ ଶିଳ୍ପହସ୍ତୀ  ।  ଆମେରିକା, ଜର୍ମାନୀ, ଅଷ୍ଚ୍ରେଲିଆ, ସିଙ୍ଗାପୁର, ମାଲେସିଆ, ବେଲାରୁସ, ୟୁକେ ଭଳି ୧୬ଟି ଦେଶର ପ୍ରତିନିଧି ଜନତା ମୈଦାନର ଶିଳ୍ପ ସମ୍ମିଳନୀରେ ସାମିଲ ହେବେ ।  ବଡ ବଡ ବିଜନେସ ଟାଇକୁନ ଏଲ.ଏନ ମିତ୍ତଲ, କୁମାର ମଙ୍ଗଳମ ବିର୍ଲା, ଅନୀଲ ଅଗ୍ରଓ୍ୱାଲ, ସଜ୍ଜନ ଜିନ୍ଦଲ, ନବୀନ ଜିନ୍ଦଲ, କରଣ ଆଦାନୀ, ଟି.ଭି ନରେନ୍ଦ୍ରନ ଏହି ସମ୍ମିଳନୀରେ ସାମିଲ ହେବେ। ଯାହା ଉତ୍କର୍ଷ ଓଡିଶାକୁ ବୁଷ୍ଟର ଡୋଜ ଦେବ ବୋଲି କୁହାଯାଉଛି । 

Advertisment

ଉତ୍କର୍ଷ ଓଡ଼ିଶାରେ ଶହେରୁ ଅଧିକ ଶିଳ୍ପପତିଙ୍କ ସହ ଏମଓୟୁ ସ୍ୱାକ୍ଷାର କରିବା ପାଇଁ ମେଗା ପ୍ଲାନ ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର  ।  ଶିଳ୍ପ, ଆଇଟି, ଖାଦ୍ୟ ପ୍ରକ୍ରିୟାକରଣ, ପେଟ୍ରୋକେମିକାଲ୍ସ, ଏମଏସଏମଇ ସେକ୍ଟରରେ ନିବେଶ ପାଇଁ ନିବେଶକାରୀଙ୍କ ସହ ଆଲୋଚନା କରି ଆଗକୁ ବଢ଼ିବେ ସରକାର   ।  ଓଡ଼ିଶାରେ ନିବେଶ ପାଇଁ କେମିତି ବାତାବରଣ ରହିଛି? ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ମାଧ୍ୟମରେ ସବୁକିଛି ଅନୁମୋଦନ ମିଳୁଛି ସେସବୁ ଶିଳ୍ପପତିଙ୍କୁ ଜଣାଇ ଆକୃଷ୍ଟ କରିବେ    ।  ଉତ୍କର୍ଷ ଓଡିଶା ପାଇଁ ୫ ଲକ୍ଷ କୋଟି ଟଙ୍କାର ଆଶା ରଖାଯାଇଥିଲା  । କିନ୍ତୁ ତାହାର ୩ ଗୁଣା ଅଧିକ ହେବ ବୋଲି ଆହୁରି ଆଶା ବଢ଼ିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ   । 


ଜାଣନ୍ତୁ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟ ଓ କାର୍ଯ୍ୟସୂଚୀ 
 ଏଥିସହ ପ୍ରଥମ ଥର ଲାଗି ମେକ୍ ଇନ ଓଡିଶାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସୁଛନ୍ତି  ।  ଆଜି ଭୁବନେଶ୍ୱରରେ ଆୟୋଜିତ ଉତ୍କର୍ଷ ଓଡ଼ିଶା-ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭ୍‌-୨୦୨୫ରେ ଯୋଗଦେବେ  ।  ଦୁଇଘଂଟା ପାଇଁ ସମ୍ମିଳନୀରେ ସାମିଲ ହେବେ ପ୍ରଧାନମନ୍ତ୍ରୀ  । ମୋଦୀଙ୍କ ଗସ୍ତ ପୂର୍ବରୁ କାରକେଡ୍‌ ରିହର୍ଶାଲ ଶେଷ ହୋଇଛି। ଭୁବନେଶ୍ବରରେ ମୋଦୀ ୨ ଘଣ୍ଟା ୨୦ମିନିଟ୍‌ ରହିବେ। ସେଥିପାଇଁ ସମସ୍ତ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରାଯାଇଛି   ।  ବ୍ଲୁ ବୁକ ଗାଇଡଲାଇନ ମୁତାବକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ରୁଟ ଲାଇନିଂ ଓ ଟ୍ରାଫିକ ବ୍ୟବସ୍ଥା କୁ କଡାକଡି କରାଯାଇଛି  ।

ଏସପିଜି ପୂର୍ବରୁ ଏହି ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଛନ୍ତି। ଉତ୍କର୍ଷ ଓଡିଶା କାର୍ଯ୍ୟକ୍ରମ  ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପାଇଁ ମୋଟ ୬୦ ପ୍ଲାଟୁନ ପୁଲିସ ଫୋର୍ସ ନିୟୋଜିତ ହେବେ । ୪୦୦ ରୁ ଉର୍ଦ୍ଧ୍ବ ଅଫିସର ସୁରକ୍ଷା ବ୍ୟବସ୍ଥାର ତଦାରଖ ଦାୟିତ୍ୱରେ ରହିଛନ୍ତି ।  ଆଜି ପୂର୍ବାହ୍ଣ ୧୦ଟା ୩୫ରେ ପ୍ରଧାନମନ୍ତ୍ରୀ ବାୟୁସେନାର ସ୍ବତନ୍ତ୍ର ବିମାନରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବେ  ।

ସେଠା‌ରୁ ସେ ୧୦ଟା ୫୫ମିନିଟରେ ସିଧାସଳଖ ଜନତା ମୈଦାନରେ ପହଞ୍ଚିବେ । ଉତ୍କର୍ଷ ଓଡ଼ିଶା, ମେକ୍‌ ଇନ୍ ଓଡ଼ିଶା କନ୍‌କ୍ଲେଭ୍‌-୨୦୨୫ରେ ମୋଦୀ ଦିନ ୧୧ଟାରୁ ଅପରାହ୍ନ ୧୨ଟା ୩୦ ପର୍ଯ୍ୟନ୍ତ   ରହିବେ। ଏହା ପରେ ‌ଦିନ ୧୨ଟା ୩୫ରେ ସଭାସ୍ଥଳରୁ ବିମାନବନ୍ଦର ଅଭିମୁଖେ ବାହାରିବେ। ଦିନ ୧୨ଟା ୫୫ମିନିଟ୍‌ରେ ଦିଲ୍ଲୀ ଫେରିଯିବେ ପ୍ରଧାନମନ୍ତ୍ରୀ। 

ଏବେ ଜାଣନ୍ତୁ ଏ ନେଇ କଣ ରହିଛି ଟ୍ରାଫିକ ବ୍ୟବସ୍ଥା 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡ଼ିଶା ଗସ୍ତକୁ ନେଇ ଟ୍ରାଫିକ କଟକଣା ଜାରି ହୋଇଛି । ସୁରକ୍ଷା ଦୃଷ୍ଟିରୁ କଟକଣା ଜାରି କରିଛି କମିସନରେଟ୍‌ ପୁଲିସ। ସକାଳ ୧୦.୨୫ରୁ ଦିନ ୧୧.୧୦ ପର୍ୟ୍ୟନ୍ତ ଏୟାରପୋର୍ଟ ଛକ ହସ୍ପିଟାଲ ଛକ, ଏଜି ଛକ- ରାଜଭବବନ ଛକ- ପାଓ୍ୱାର ହାଉସ୍‌ ଛକ-୧୨୦ ବାଟାଲିୟନ ଛକ- ଜୟଦେବ ବିହାର ଛକ-ଜାଭିୟର ଛକ-ନାଲକୋ ଛକକୁ କୌଣସି ଯାନବାହାନ ଚଳାଚଳ କରିପାରିବ ନାହିଁ  ।  ସେହିପରି ଅପରାହ୍ନ ୧୨.୨୦ ମିନିଟ୍‌ରୁ ଅପରାହ୍ନ ୧.୫ ପର୍ୟ୍ୟନ୍ତ ନାଲକୋ ଛକ- ଜାଭିୟର ଛକ- ଜୟଦେବ ବିହାର ଛକ- ୧୨୦ ବାଟାଲିୟନ ଛକ- ପାଓ୍ୱାର ହାଉସ୍‌ ଛକ- ରାଜଭବବନ ଛକ- ଏଜି ଛକ- ହସ୍ପିଟାଲ ଛକ- ଏୟାରପୋର୍ଟ ଛକକୁ କୌଣସି ଯାନବାହାନ ଚଳାଚଳ କରିପାରିବେ ନାହିଁ ।