କନକ ବ୍ୟୁରୋ: କୋରାପୁଟ ଜିଲ୍ଲା ବୋରିଗୁମ୍ମାରେ ଦେଢ଼ କୋଟିର ଗ୍ରାମୀଣ ଶିଳ୍ପ ପାର୍କ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ । ଗୋଟିଏ ବି ପ୍ରକଳ୍ପ ଠିକ ଭାବେ କାମ ନକରିବାରୁ ପାର୍କରେ ତାଲା ଝୁଲୁଛି। କାହା ସ୍ୱାର୍ଥରେ କୋଟି କୋଟି ଟଙ୍କାର ପାର୍କ କରାଯାଇଥିଲା ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ୨୦୨୧-୨୨ରେ ବୋରିଗୁମ୍ମା ବ୍ଲକ ଜୁଝାରୀ ପଞ୍ଚାୟତ ଅନ୍ତର୍ଗତ ପଢ଼େଇଗୁଡ଼ାରେ ନିର୍ମାଣ ହୋଇଛି ଗ୍ରାମୀଣ ବହୁମୁଖୀ ଶିଳ୍ପ କୃଷି ଉଦ୍ୟୋଗ ପାର୍କ ।
୨ ଏକର ଜମିରେ ୧ କୋଟି ୪୦ ଲକ୍ଷ ବ୍ୟୟରେ ନିର୍ମିତ ପାର୍କର ମୁଖ୍ୟ ଉଦ୍ଦେଶ୍ୟ ଥିଲା ସ୍ବୟଂ ସହାୟକ ଗୋଷ୍ଠୀର ମହିଳାଙ୍କୁ ସ୍ବାବଲମ୍ବୀ କରିବା । କୁକୁଡ଼ା ଫାର୍ମ, ଛତୁ ଫାର୍ମ, ମାଣ୍ଡିଆ ପ୍ରକ୍ରିୟାକରଣ, ଡାଲି ଓ ତୈଳ ପ୍ରକ୍ରିୟାକରଣ ଭଳି କେନ୍ଦ୍ର କରାଯାଇ ୧୨ ସ୍ବୟଂ ସହାୟକ ଗୋଷ୍ଠୀର ମହିଳାଙ୍କୁ ନିୟୋଜିତ କରାଯାଇଥିଲା। ହେଲେ ପରିତାପର ବିଷୟ ଉଦଘାଟନ୍ର ଅଳ୍ପ କିଛି ଦିନରେ ତାଲା ଝୁଲୁଛି। ପାର୍କର ଅନେକ ଯନ୍ତ୍ରାଂଶ ଚୋରି ହୋଇଗଲାଣି, ଆଉ କିଛି ପଡ଼ିପଡ଼ି ଖତ ଖାଉଛି ।
ପ୍ରକଳ୍ପ କାମ ନକରିବାରୁ ପାର୍କଟି ବନ୍ଦ ପଡ଼ିଥିବା ଅଭିଯୋଗ ହୋଇଛି । କାହିଁକି କାମ କରୁନି କୌଣସି ପ୍ରକଳ୍ପ? କେଉଁଠି ରହିଲା ତ୍ରୁଟି ? ସରକାରୀ ଅଧିକାରୀଙ୍କ ଦୂରଦୃଷ୍ଟିର ଅଭାବ ! ନା ସରକାରୀ ଅର୍ଥକୁ ହରିଲୁଟ୍ କରିବାର ଏହା ଏକ ମାଧ୍ୟମ! ଥିଲା । ଏବେ ଏମିତି ପ୍ରଶ୍ନର ଉତ୍ତର ଖୋଜା ପଡ଼ିଛି । ସେପଟେ ଶିଳ୍ପ ପାର୍କର ପୁନଃଉଦ୍ଧାର ପାଇଁ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାଙ୍କୁ କୁହାଯାଇଥିବା ସୂଚନା ଦେଇଛନ୍ତି ବୋରିଗୁମ୍ମା ବିଡିଓ ।