କନକ ବ୍ୟୁରୋ : ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ ଅଧୀନ ବୈଶିଙ୍ଗା ଆଖପାଖ ଅଞ୍ଚଳରୁ ଦୂରେଇ ଯିବ ଦାଦନ ଦୁଃଖ । ଆଉ ଦାଦନ ଖଟିବାକୁ ଯିବେନି ପୁରୁଣିଆ ତଥା ଆଖପାଖ ପଞ୍ଚାୟତର ହଜାର ହଜାର ଶ୍ରମିକ । କାରଣ ସେମାନ ଘର ପାଖରେ ପାଉଛନ୍ତି ରୋଜଗାର । ବଡ଼ସାହି ବିଧାୟକଙ୍କ ପ୍ରଚେଷ୍ଟା ଏବଂ ଆଇଟିଡିଏ ସହଯୋଗରେ ନିର୍ମାଣ ଚାଲିଛି ଉତ୍ତର ଓଡ଼ିଶାର ବୃହତ ଇଣ୍ଡଷ୍ଟ୍ରିଆଲ ଫୁଡ ପାର୍କ । ୫ହଜାରରୁ ୧୦ହଜାର ଲୋକ ପାଉଛନ୍ତି ଦୈନିକ ରୋଜଗାର ।

Advertisment

ବୈଶିଙ୍ଗା ଉପଖଣ୍ଡ ଅନ୍ତର୍ଗତ ବେତନଟୀ ବ୍ଲକ ଅଧୀନସ୍ଥ ଅଙ୍ଗାରୁଆ ଠାରେ ପ୍ରାୟ ୪୦ଏକରରୁ ଅଧିକ ଜମିରେ ଉତ୍ତର ଓଡ଼ିଶାର ସର୍ବବୃହତ୍ ଇଣ୍ଡଷ୍ଟ୍ରିଆଲ ଫୁଡ୍‌ପାର୍କ ନିର୍ମାଣ ହେବ । ପ୍ରାଥମିକ ପର୍ଯ୍ୟାୟରେ ୨୦ ଏକର ଜମିରେ କାମ ଚାଲିଛି । ୫୨ ଲକ୍ଷ ୨୪ ହଜାର ଟଙ୍କା ବିନିମୟରେ କଦଳୀ, ସପୁରି, ଡାଳିମ୍ବ ଚାରା ଲଗାଯିବା ସହିତ ପୋଖରୀ ଖୋଳି ମାଛ ଚାଷର ବ୍ୟବସ୍ଥା ହୋଇଛି । ଆଗକୁ ଆହୁରି ଅନେକ ପ୍ରକଳ୍ପ କରାଯିବ । ଛତୁଚାଷ, ଗୋପାଳନ ଓ ଶୀତଳଭଣ୍ଡାର ନିର୍ମାଣ ହେବ । ନିୟମିତ ବ୍ୟବଧାନରେ ବିଧାୟକ ସନାତନ ବିଜୁଳିଙ୍କ ସମସ୍ତ ବିଭାଗୀୟ ଅଧିକାରୀ ଏବଂ ବୈଜ୍ଞାନିକଙ୍କ ସହ ଯାଇ ପ୍ରକଳ୍ପର ସମୀକ୍ଷା କରିଥାନ୍ତି ।

ଅଧିକ ପଢ଼ନ୍ତୁ : ଡିଜିଟାଲ ଯୁଗରେ ଚାଟଶାଳି ପାଠ ; ବିନା ଦକ୍ଷିଣାରେ ପଢ଼ାନ୍ତି ଦିବ୍ୟାଙ୍ଗ ଗୁରୁ

ଧାନ କାମ ସରିବା ପରେ ଏହି ଅଞ୍ଚଳର ଶହଶହ ଶ୍ରମିକ ରୋଜଗାର ଆଶାରେ ପରିବାରଠୁ ଦୂରେଇ ଯା'ଆନ୍ତି । ରାଜ୍ୟ ବାହାରେ ଦାଦନ ଖଟିଥାନ୍ତି । ଅନେକ ତ ମୃତ୍ୟୁ ମୁହଁରେ ପଡ଼ିଥାନ୍ତି । ଆଉ ମୃତ ଦାଦନ ଶ୍ରମିକଙ୍କ ଶବ ଫେରାଇ ଆଣିବା ପାଇଁ ଆକୁଳ ନିବେଦନ କରିଥାନ୍ତି ଅସହାୟ ପରିବାର । ସେଥିରେ ସୁଧାର ଆଣିବା ପାଇଁ, ନିଜ ଅଞ୍ଚଳରେ ରୋଜଗାର ଯୋଗାଇଦେବାକୁ ଉଦ୍ୟମ କରିଛନ୍ତି ବିଧାୟକ । ଅର୍ଦ୍ଧ ନିର୍ମିତ ଫୁଡପାର୍କରେ ଏଵେ ଦୈନିକ ୨ ଶହରୁ ୫ଶହ ଲୋକ କାମ କରୁଛନ୍ତି । ସମ୍ପୂର୍ଣ ନିର୍ମାଣ ପରେ ପ୍ରାୟ ୨୦ଟି ଗାଁର ହଜାର ହଜାର ଶ୍ରମିକ ରୋଜଗାରକ୍ଷମ ହେବା ଆଶା କରାଯାଉଛି ।