କନକ ବ୍ୟୁରୋ : ଇନ୍ଦ୍ରାବତୀ ଡ୍ୟାମ ହେଲେ ନବରଙ୍ଗପୁର ଶଷ୍ୟଶ୍ୟାମଳା ହେବ। ସ୍ଥାନୀୟ ଅଂଚଳରେ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଭଳି ସେବା ସହଜର ମିଳିବ । ଏମିତି ସୁନେଲି ସ୍ୱପ୍ନ ଦେଖାଇ ୧୯୭୮ରେ ଇନ୍ଦ୍ରାବତୀ ନଦୀ ଉପରେ ଆରମ୍ଭ ହୋଇଥିଲା ଜଳଭଣ୍ଡାର କାମ । ୨୦ ବର୍ଷ ଧରି ଚାଲିଲା କାମ । ୧୯୯୯ରୁ କାର୍ଯ୍ୟକ୍ଷମ ହେଲା ଇନ୍ଦ୍ରାବତୀ ଡ୍ୟାମ । ୨୦୦୦ରୁ ରାଜସ୍ୱ ଆଦାୟ ହେଲା । କିନ୍ତୁ ବିଡମ୍ବନା, ଯେଉଁ ଲକ୍ଷ୍ୟ ନେଇ ପ୍ରକଳ୍ପ ହୋଇଥିଲା ତାହା ସାଧିତ ହୋଇନଥିବା ଅଭିଯୋଗ ହୋଇଛି ।
ଇନ୍ଦ୍ରାବତୀ ବେସିନ କାର୍ଯ୍ୟାଳୟରୁ କୋରାପୁଟ ବାରିଣୀପୁଟକୁ ସ୍ଥାନାନ୍ତର ହୋଇଛି। ତେଣୁ ପୂର୍ବ କାର୍ଯ୍ୟାଳୟର ହାତ ଗଣତି କିଛି କର୍ମଚାରୀ ଅଛନ୍ତି । ସେହିଭଳି ପ୍ରକଳ୍ପ ସହର ଖାତିଗୁଡ଼ା ଏବେ ଖାଁ ଖାଁ । ଆଗ ଭଳି ଉନ୍ନତିମୂଳକ କାମ ହେଉନି! ରାସ୍ତାଘାଟ, କଲୋନୀ କ୍ୱାର୍ଟର୍ସ ସବୁ ଭାଙ୍ଗି ଗଲାଣି । ବସଷ୍ଟାଣ୍ଡ ନଥିବାରୁ ଏଣେତେଣେ ରହୁଛି ଗାଡ଼ି । ଇନ୍ଦ୍ରାବତୀ ପ୍ରକଳ୍ପ ବିଦ୍ୟାଳୟରେ ଶିକ୍ଷକ ଅଭାବରୁ ପାଳି କରି ଚାଲିଛି ପାଠପଢ଼ା । ସେହିଭିଳି ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ରର ସ୍ଥିତି ଦୟନୀୟ। ଡାକ୍ତର ମରୁଡ଼ି। ଦୁଇ-ତିନି ଜଣ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଭରସାରେ ଡାକ୍ତରଖାନା ।
ଇନ୍ଦ୍ରାବତୀ ବିସ୍ଥାପିତ ବ୍ରଜସୁନ୍ଦର ବିଷୋୟୀ
ପ୍ରକଳ୍ପ ପାଇଁ ହରାଇଛନ୍ତି ୧୭୫ ଏକର ପୈତୃକ ସମ୍ପତି
ପ୍ରଶାସନ ପକ୍ଷରୁ ମିଳିଛି ମାତ୍ର ଏକ ଲକ୍ଷ ଟଙ୍କା !
ନିଜର ସର୍ବସ୍ୱ ହରାଇ ମୁଲ ଲାଗି ପରିବାର ଚଳାଉଛନ୍ତି ବ୍ରଜସୁନ୍ଦର। ନ୍ୟାୟ ପାଇଁ ବାରମ୍ବାର ପ୍ରକଳ୍ପ କାର୍ଯ୍ୟାଳୟକୁ ଯାଇଛନ୍ତି, ହେଲେ କେହି ତାଙ୍କ କଥା ଶୁଣୁନଥିବା ଅଭିଯୋଗ କରିଛନ୍ତି। ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପରୁ ଖାତିଗୁଡା ପାଇଛି କମ ହରାଇଛି ବହୁତ ବୋଲି କହିଛନ୍ତି ବୁଦ୍ଧିଜୀବୀ।
ବ୍ରଜସୁନ୍ଦରଙ୍କ ଭଳି ୬ହଜାର ୧୩୩ ଇନ୍ଦ୍ରାବତୀ ବିସ୍ଥାପିତ ପରିବାରକୁ ହତାଦର କରାଯାଇଥିବା ଅଭିଯୋଗ ହୋଇଛି ।