କନକ ବ୍ୟୁରୋ : ଅସତ୍ୟ ଉପରେ ସତ୍ୟର ବିଜୟ , ପାପ ଉପରେ ପୁଣ୍ୟର ବିଜୟ , ଅଧର୍ମ ଉପରେ ଧର୍ମର ବିଜୟ ଦିବସକୁ କୁହାଯାଏ ବିଜୟାଦଶମୀ । ତ୍ରେତୟାରେ ଲଙ୍କାପତି ରାବଣ ମାତା ସୀତାଙ୍କୁ ହରଣ କରି ଅଧର୍ମ କରିଥିଲା ଯାହାର ଫଳସ୍ବରୂପ ମର୍ଯ୍ୟାଦାପୁରୁଷ ପ୍ରଭୁ ଶ୍ରୀରାମ ରାବଣକୁ ବଧ କରିଥିଲେ ଏବଂ ଧର୍ମର ହୋଇଥିଲା ବିଜୟ । ଉକ୍ତ ଦିନକୁ ବିଜୟାଦଶମୀ ଏବଂ ରାବଣପୋଡ଼ି ରୂପରେ ସାରା ଜଗତ ପାଳନ କରେ । କିନ୍ତୁ ଥରେ ମନକୁ ପଚାରିଲେ ରାବଣ ତ୍ରେତୟା ଯୁଗରେ କରିଥିବା କାଣ୍ଡର ଦଣ୍ଡ ଏବେ ଯାଏଁ ଭୋଗୁଛନ୍ତି କିନ୍ତୁ ବର୍ତ୍ତମାନର ସମୟରେ ଏମିତି ଅନେକ ଦୋଷୀ ଅଛନ୍ତି ଯେଉଁମାନଙ୍କ ପାପ ବୋଧହୁଏ ଲଙ୍କାପତିଙ୍କଠାରୁ ବି ଅଧିକ । ଏହି କିଛି ବର୍ଷ ହେଲା କିଛି ଲୋକ ଏମିତି ନୃଶଂସ କାଣ୍ଡ ଭିଆଇଛନ୍ତି ଯେ ତାହାର ଡର ଏବେବି ସମାଜକୁ ଡରାଉଛି । ଆଉ ଏହି ଡରକୁ କମାଇବା ପାଇଁ ନିଆରା ପଦକ୍ଷେପ ନେଇଛନ୍ତି ଇନ୍ଦୋରର ବାସିନ୍ଦା । ଚଳିତବର୍ଷ ରାବଣ ଦହନରେ ରାବଣ ତ ଜଳିବ କିନ୍ତୁ ତତସଙ୍ଗେ ଜଳିବ ୧୧ ଜଣ ନାରୀରୂପୀ ପିଶାଚିନୀଙ୍କ କୁଶପୁତ୍ତଳିକା । 

Advertisment
ravan
ravan Photograph: (google)

ଇନ୍ଦୋରର ସଂସ୍ଥା ପୌରୁଷ ଦଶହରାରେ ରାବଣ ବଦଳରେ ୧୧ ମୁଣ୍ଡିଆ ଶୂର୍ପଣଖାର ପୁତ୍ତଳିକା ଦାହ କରିବାକୁ ନିଷ୍ପତ୍ତି ନେଇଛି । ଏହି ପୁତ୍ତଳିକାରେ ସେହି ୧୧ ଜଣ ମହିଳାଙ୍କ ଫଟୋ ରହିବ, ଯେଉଁମାନେ ନିଜ ସ୍ୱାମୀ , ପିଲାଙ୍କ ହତ୍ୟା ଭଳି ଗମ୍ଭୀର ଅପରାଧ କରିଛନ୍ତି । ଏଥିମଧ୍ୟରୁ ସବୁଠାରୁ ଚର୍ଚ୍ଚିତ ନାଁ ହେଉଛି ସୋନମ ରଘୁବଂଶୀ ଏବଂ ମୁସ୍କାନ । ରାଜା ରଘୁବଂଶୀ ହତ୍ୟାକାଣ୍ଡ ଇନ୍ଦୋରକୁ ଦୋହଲାଇ ଦେଇଥିଲା । ଇନ୍ଦୋରର ଟ୍ରାନ୍ସପୋର୍ଟ ବ୍ୟବସାୟୀ ରାଜାଙ୍କୁ ଶିଲଙ୍ଗରେ ହନିମୁନ୍ ସମୟରେ ତାଙ୍କ ପତ୍ନୀ ସୋନମ ପ୍ରେମିକ ଏବଂ ସାଥୀମାନଙ୍କ ସହ ମିଶି ନିର୍ମମ ଭାବରେ ହତ୍ୟା କରିଥିଲେ । ସେହିପରି ମୁସ୍କାନ ନାମକ ଜଣେ ମହିଳା ତାଙ୍କ ସ୍ୱାମୀଙ୍କୁ ହତ୍ୟା କରି ମୃତଦେହକୁ ଏକ ନୀଳ ଡ୍ରମରେ ଲୁଚାଇ ରଖିଥିଲେ । ଦେଶରେ ଏପରି ଅନେକ ମାମଲା ସାମ୍ନାକୁ ଆସିଛି, ଯେଉଁଠାରେ ବିବାହ ପରେ ପୁରୁଷମାନଙ୍କ ସୁରକ୍ଷା ଉପରେ ଗୁରୁତର ପ୍ରଶ୍ନ ଉଠିଛି ।

ଏହି ଘଟଣାକୁ ନେଇ ସଂସ୍ଥା ପୌରୁଷ ଦଶହରାରେ ଶୂର୍ପଣଖାର ପୁତ୍ତଳିକା ଦାହ କରିବାକୁ ନିଷ୍ପତ୍ତି ନେଇଛି । ସଂସ୍ଥାର କହିବାନୁଯାୟୀ, ସମାଜରେ ଏପରି ଅପରାଧ ଉପରେ ସଚେତନତା ସୃଷ୍ଟି କରିବା ଜରୁରୀ । ଏହି ପଦକ୍ଷେପକୁ ବିଧାୟିକା ଉଷା ଠାକୁର ସମର୍ଥନ କରିଛନ୍ତି । ସେ କହିଛନ୍ତି ଯେ ରାବଣ କୌଣସି ବ୍ୟକ୍ତି ନୁହେଁ ବରଂ ଏକ ପ୍ରବୃତ୍ତିର ପ୍ରତୀକ । ଯେତେବେଳେ ମାତୃଶକ୍ତି ହିଁ ଷଡ଼ଯନ୍ତ୍ରକାରୀ, ନିର୍ଦ୍ଦୟ ଏବଂ ଅପରାଧରେ ଲିପ୍ତ ହୋଇଯିବ, ସେତେବେଳେ ଏହି ପୃଥିବୀର ସନ୍ତୁଳନ ବିଗିଡ଼ିଯିବ । ମାତୃଶକ୍ତି ସୃଜନର ଆଧାର ଶକ୍ତି, ରାଷ୍ଟ୍ରର ନିର୍ମାତା, ଏବଂ ଯଦି ସେ ହିଁ ଅପରାଧର ରାସ୍ତାରେ ଚାଲିବ ତେବେ ସମାଜରେ ଅରାଜକତା ଏବଂ ବିନାଶର ସ୍ଥିତି ଉତ୍ପନ୍ନ ହେବ ।