କନକ ବ୍ୟୁରୋ : ମେଘାଳୟରେ ଘଟିଥିବା ଇନ୍ଦୋରର ରାଜା ରଘୁବଂଶୀ ହତ୍ୟାକାଣ୍ଡ ଘଟଣାକୁ ୨୫ ଦିନ ବିତିଗଲା । ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ସ୍ତ୍ରୀ ସୋନମ ସମେତ ୫ ଜଣଙ୍କୁ ଗିରଫ କରି ରିମାଣ୍ଡରେ ରଖିଛି ପୁଲିସ । ଅଭିଯୁକ୍ତ ନିଜର ଦୋଷ ସ୍ବୀକାର କରିସାରିଛନ୍ତି । ତେବେ ଏହାରି ଭିତରେ ଦେବ ସିଂ ନାମକ ଜଣେ ୟୁଟ୍ୟୁବର୍ ନିଜ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ଏକ ଭିଡ଼ିଓ ସେୟାର୍ କରିଛନ୍ତି ଯେଉଁଥିରେ ହତ୍ୟା ପୂର୍ବରୁ ସୋନମ ଏବଂ ରାଜା ମେଘାଳୟରେ ଟ୍ରାକିଂରେ ଚଢ଼ୁଥିବାର ନଜର ଆସୁଛନ୍ତି । ତେବେ କେବଳ ରାଜା-ସୋନମ ନୁହେଁ ଆଉ ଗୋଟିଏ ଭିଡ଼ିଓରେ ରାଜାଙ୍କ ହତ୍ୟା କରିଥିବା ୩ ଅଭିଯୁକ୍ତ ମଧ୍ୟ କ୍ୟାମେରାରେ କଏଦ ହୋଇଛନ୍ତି । ପ୍ରଥମ ଭିଡ଼ିଓରେ ରାଜା-ସୋନମ ଦେଖାଯାଉଥିବା ବେଳେ ଦ୍ବିତୀୟଟିରେ ୩ ଅଭିଯୁକ୍ତ ଦମ୍ପତିଙ୍କ ଆଗରେ ଯାଉଥିବାର ନଜର ଆସିଛନ୍ତି । 

Advertisment

ଏହି ଭିଡ଼ିଓଟି ମେ ୨୩ ତାରିଖର ବୋଲି ଜଣାପଡ଼ିଛି । ୯ ଟା ୨୫ ମିନିଟରେ ପ୍ରଥମେ ତିନି ଅଭିଯୁକ୍ତ ଚାଲୁଥିବାର ନଜର ଆସୁଥିବା ବେଳେ ୯.୪୫ ରେ ରାଜା ଏବଂ ସୋନମ ଟ୍ରାକିଂ କରୁଥିବାର ନଜର ଆସୁଛନ୍ତି । ଭାଇରାଲ୍ ହେଉଥିବା ଏହି ଭିଡ଼ିଓରେ ୟୁଜର୍ସ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି । ୟୁଜର୍ସ ଯାହାକୁ ଅଧିକ ଫୋକସ୍ କରୁଛନ୍ତି ସେ ହେଉଛି ‘ଧଳା ସାର୍ଟ’ । ଭିଡ଼ିଓରେ ସୋନମ ଧଳା ରଙ୍ଗର ସାର୍ଟ ପିନ୍ଧି ଥିବାର ନଜର ଆସୁଛନ୍ତି । ତିନି ଅଭିଯୁକ୍ତଙ୍କ ମଧ୍ୟରେ ୨ ଜଣ ଧଳା ସାର୍ଟ ପିନ୍ଧିଥିବା ବେଳେ ଅନ୍ୟ ଜଣେ ଧଳା ଟି-ସାର୍ଟ ପିନ୍ଧିଛନ୍ତି । ଏହାକୁ ଦେଖି ୟୁଜର୍ସ ପ୍ରଶ୍ନ କରିଛନ୍ତି ଯେ ‘ଧଳା ରଙ୍ଗ ହତ୍ୟାକାଣ୍ଡର ସଙ୍କେତ ଥିଲା କି ? ୟୁଟ୍ୟୁବର୍ ଦେବ ସିଂ କହିଛନ୍ତି ଯେ ‘ଅଭିଯୁକ୍ତ ଏବଂ ସୋନମ ମୋ କ୍ୟାମେରାରେ ଭୁଲବଶତଃ ରେକର୍ଡ ହୋଇଯାଇଛନ୍ତି । ରାଜାଙ୍କ ହାବଭାବ ସାଧାରଣ ଲାଗୁଥିଲା , ସେ କ’ଣ ଜାଣିଥିଲେ ଯେ ଆଗରେ ମୃତ୍ୟୁ ତାଙ୍କର ଅପେକ୍ଷା କରିଛି । ମତେ ଏବେ ବି ଏହି ଭିଡ଼ିଓ ଦେଖିଲେ ରାଜାଙ୍କ ଉପରେ ଦୟା ଲାଗୁଛି ।’