ମଧ୍ୟପ୍ରଦେଶର ଇନ୍ଦୋର ସହରରେ ଭିକ୍ଷାବୃତ୍ତି ମୁକ୍ତ ଅଭିଯାନ ଚାଲିଥିବା ବେଳେ ମନ୍ଦିର ପାଖରେ ଜଣେ ଭିକାରୀଙ୍କୁ ୧୦ ଟଙ୍କା ଭିକ ଦେଇ ଫସିଛନ୍ତି ଜଣେ କାର୍ ଚାଳକ । ଚାଳକଙ୍କ ଭିକ ଦେଉଥିବା ଭିଡିଓକୁ କ୍ୟାମେରାରେ କଏଦ କରି ଇନ୍ଦୋରର ଲସୁଡିଆ ଥାନାରେ ଏତଲା ଦିଆଯାଇଛି । କାର୍ ଚାଳକଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତାର ଧାରା ୨୨୩ ଅନୁସାରେ ଏତଲା ଦିଆଯାଇଛି । ଭିକ୍ଷାବୃତ୍ତି ବିରୋଧୀ ଦଳର ଅଧିକାରୀଙ୍କ ଅଭିଯୋଗ ଅନୁସାରେ କାର୍ ନମ୍ବର MP09CQ4477 ର ଚାଳକଙ୍କ ବିରୋଧରେ ଏତଲା ଦିଆଯାଇଛି ।
ଭାରତୀୟ ନ୍ୟାୟ ସଂହିତାର ଧାରା ୨୨୩ ଅନୁସାରେ ଯଦି କୌଣସି ବ୍ୟକ୍ତି ଏହି ଧାରା ଆଧାରରେ ଦୋଷୀ ସାବ୍ୟସ୍ତ ହୁଅନ୍ତି , ତାହେଲେ ଉକ୍ତ ବ୍ୟକ୍ତିଙ୍କୁ ୧ ବର୍ଷ ପର୍ଯ୍ୟନ୍ତ ଜେଲ୍ ହୋଇପାରେ କିମ୍ବା ୫ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଲାଗିପାରେ । ଅଥବା ଉଭୟ ଦଣ୍ଡ ମଧ୍ୟ ମିଳିପାରେ । ଏହି ଆଇନ୍ ଅନୁସାରେ ଭିକ୍ଷା ଦେବା , ନେବା କିମ୍ବା ଭିକାରୀଙ୍କ ଠାରୁ କୌଣସି ସାମଗ୍ରୀ କ୍ରୟ କରିବାକୁ ନେଇ ବି ଅପରାଧ ବୋଲି ଧରାଯିବ ।
ଇନ୍ଦୋର ପ୍ରଶାସନ ସହରକୁ ପ୍ରଥମ ଭିକ୍ଷାବୃତ୍ତି ମୁକ୍ତ ସହର କରିବାର ଲକ୍ଷ୍ୟ ରଖିଛନ୍ତି । ଏଭଳି ସ୍ଥିତିରେ ଭିକ ମାଗିବା ଏବଂ ଭିକ୍ଷା ଦେବା ଉଭୟକୁ ଅପରାଧ ବୋଲି ମନେକରାଯିବ । ଅଧିକାରୀଙ୍କ କହିବାନୁସାରେ ସହରରେ ଭିକ ମାଗିବା ଏବଂ ଭିକ ଦେବା ଉଭୟ ପ୍ରବୃତ୍ତିକୁ ସମ୍ପୁର୍ଣ୍ଣ ରୂପେ ସମାପ୍ତ କରିବା ପାଇଁ ସଚେତନତା ଅଭିଯାନ ଆରମ୍ଭ କରାଯାଇଛି । ଲୋକଙ୍କୁ ସତର୍କ କରାଯାଉଥିବା ସତ୍ତ୍ବେ ସେମାନେ ନିୟମର ଉଲ୍ଲଂଘନ କରୁଛନ୍ତି । କେନ୍ଦ୍ରୀୟ ସାମାଜିକ ନ୍ୟାୟ ଏବଂ ଅଧିକାରିତା ମନ୍ତ୍ରାଳୟ ପକ୍ଷରୁ ଦେଶର ୧୦ ସହରରେ ଭିକ୍ଷାମୁକ୍ତ ପାଇଲଟ୍ ପରିଯୋଜନାର ଆରମ୍ଭ କରାଯାଇଛି । ଯେଉଁଥିରେ ଇନ୍ଦୋର ମଧ୍ୟ ସାମିଲ୍ ରହିଛି । ଏହି ଯୋଜନା ଅନୁସାରେ ଯଦି କୌଣସି ନାଗରିକ ଭିକ୍ଷାବୃତ୍ତି ଭଳି ଗତିବିଧି ସହ ଜଡ଼ିତ ଥିବା ସୂଚନା ଦିଅନ୍ତି ତାହେଲେ ତାଙ୍କୁ ୧୦୦୦ ଟଙ୍କାର ପୁରସ୍କାରରେ ପୁରସ୍କୃତ କରାଯିବ ।