କନକ ବ୍ୟୁରୋ: ଜାୟା, ଜନନୀ, ଭଗିନୀ । ନାରୀର ଅନେକ ରୂପ, ଅନେକ ସ୍ୱରୂପ । ପ୍ରତିଟି ଭୂମିକାରେ ସେ ତୁଲାଇଥାଏ ଭିନ୍ନ ଭିନ୍ନ ଦାୟିତ୍ୱ । ତେବେ ଆମ ଗହଣରେ ଏମିତି ବି ଅନେକ ନାରୀ ଅଛନ୍ତି, ଯେଉଁମାନଙ୍କ ପାଇଁ ଜୀବନ ଗୋଟିଏ ସଂଘର୍ଷ, କଣ୍ଟକିତ ପଥ । ହେଲେ ବାଧା ବିଘ୍ନକୁ ଖାତିର ନକରି, ସେମାନେ ନିଜର ଦୁର୍ବାର ଇଚ୍ଛାଶକ୍ତି ଓ ଆତ୍ମବିଶ୍ୱାସ ବଳରେ ସାଜିଛନ୍ତି ଜଣେ ଜଣେ ବିଜୟିନୀ । ଆଜି ବିଶ୍ୱ ମହିଳା ଦିବସରେ ଦେଖନ୍ତୁ ସେହିଭଳି ୨ ଅନନ୍ୟା ଅପରାଜିତାଙ୍କ ସଂଘର୍ଷ ଓ ସଫଳତାର ନିଆରା କାହାଣୀ ।
ଆହୁରି ପଢ଼ନ୍ତୁ: ଯୁଦ୍ଧ ଗ୍ରସ୍ତ କତାରରେ ପ୍ରବାସୀ ଓଡ଼ିଆ ଯୁବକଙ୍କ ମୃତ୍ୟୁ
ସେ ଦିବ୍ୟାଙ୍ଗ, କିନ୍ତୁ ଦୁର୍ବଳ ନୁହନ୍ତି । ସେ ଭିନ୍ନକ୍ଷମ ସତ, କିନ୍ତୁ ଭୟଭୀତ ନୁହନ୍ତି । ମନରେ ଅଦମ୍ୟ ଇଚ୍ଛାଶକ୍ତି, ଛାତିରେ ଅସୀମ ସାହସ । ଏହାକୁ ପୁଞ୍ଜି କରି, ଅଚଳ ଗୋଡ଼ରେ ବି ଜୀବନର ବାଟ ଚାଲୁଛନ୍ତି ଜୁନାଗଡ଼ର କ୍ଷୀରାବ୍ଦୀ । କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ନକଟିଗୁଡ଼ାର ଆଦିବାସୀ ଯୁବତୀ କ୍ଷୀରାବ୍ଦୀ ମାଝୀ । ଜନ୍ମରୁ ଦିବ୍ୟାଙ୍ଗ । ଦଶମ ପାସ୍ । ବାପାଙ୍କ ଦେହାନ୍ତ ପରେ, ଜୀବନର ଯୁଦ୍ଧରେ ଏକାକୀ ଲଢ଼ୁଛନ୍ତି ଏହି ବୀରାଙ୍ଗନା । ସରକାର ଦେଇଥିବା ଇ-ରିକ୍ସା ଓ ସିଲେଇ ମେସିନରୁ ନିଜେ ରୋଜଗାର କରିବା ସହ, ସ୍ୱୟଂ ସହାୟକ ଗୋଷ୍ଠୀରେ ଅନ୍ୟ ୫୦ରୁ ଅଧିକ ଦିବ୍ୟାଙ୍ଗଙ୍କୁ ବି ଦେଖାଇଛନ୍ତି ଜୀବିକାର ରାହା । କ୍ଷୀରାବ୍ଦୀଙ୍କ ନିଷ୍ଠା, ଇଚ୍ଛାଶକ୍ତି ଓ ପରୋପକାର ମନୋଭାବ ଦେଖି, ୨୦୨୨ରେ ତାଙ୍କୁ ନିର୍ଦ୍ୱନ୍ଦ୍ୱରେ ୱାର୍ଡ ସଭ୍ୟା ଭାବେ ବାଛିଥିଲେ ସ୍ଥାନୀୟ ଲୋକେ ।
ସ୍ୱାଭିମାନ ଓ ଆତ୍ମବିଶ୍ୱାସର ଅନ୍ୟଏକ ନାଁ ରୀତାରାଣୀ । ରାୟଗଡ଼ା ଜିଲ୍ଲା ଗୌତମ ନଗରର ରୀତାରାଣୀ ମିଶ୍ର । ବିୟୁଟି ପାର୍ଲର କରି ପେଟ ପୋଷୁପୋଷୁ ବନିଗଲେ ଆଇରନ୍ ଲେଡି । ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଦେୟମୁକ୍ତ କ୍ରୀଡ଼ା ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରୁଥିଲେ ରୀତା । ତାଙ୍କ ଆଗ୍ରହ ଦେଖି ମାତ୍ର ୩ଶହ ଟଙ୍କା ପାରିଶ୍ରମିକରେ ରାୟଗଡ଼ା ମହିଳା ମହାବିଦ୍ୟାଳୟରେ ମିଳିଲା ନିଯୁକ୍ତି । ସିଟି କେୟାର ଟେକିଂ ଅଫିସର ଭାବେ ବର୍ଷେ କାମ କରିବା ପରେ, ଏନ୍ସିସି ଟ୍ରେନିଂ ନେଇ ସେ ହାସଲ କରିଛନ୍ତି ଲେଫ୍ଟନାଣ୍ଟ ପଦ ।
ରୀତାରାଣୀ ଜିଲ୍ଲାର ପ୍ରାୟ ୧୫ଶହ ଛାତ୍ରୀଙ୍କୁ ଏନ୍ସିସି ତାଲିମ ଦେଇଥିବା ବେଳେ, ୨ଶହରୁ ଅଧିକ ଜଣ ଜାତୀୟ ସ୍ତରକୁ ଯାଇ ପୁରସ୍କୃତ ହୋଇଛନ୍ତି । ବହୁଜଣ ପୁଲିସ ଓ ସରକାରୀ କ୍ରୀଡ଼ା ଶିକ୍ଷକ ଭାବେ ଚାକିରି ପାଇଛନ୍ତି । ଏହି କୃତୀତ୍ୱ ପାଇଁ ୨୦୧୬ରେ ରାଜ୍ୟସ୍ତରୀୟ ଓ ୨୦୧୭ରେ ଜାତୀୟ ସ୍ତରରେ ଶ୍ରେଷ୍ଠ ଏନ୍ସିସି ଅଧିକାରୀ ଭାବେ ପୁରସ୍କୃତ ହୋଇଥିଲେ ରୀତା । ୨୦୨୩ରେ ମହିଳା ଅଲିମ୍ପିକ ସଂଘ ପକ୍ଷରୁ ତାଙ୍କୁ ମିଳିଥିଲା ଆଇରନ ଲେଡି ଅଫ୍ ଇଣ୍ଡିଆ ଆୱାର୍ଡ । ସବୁ ବାଧାବିଘ୍ନ, ଘାତପ୍ରତିଘାତକୁ ପାଦରେ ଏଡ଼ାଇ ସଫଳତା ପଥରେ ଆଗେଇ ଚାଲିଥିବା ଅଗଣିତ କ୍ଷୀରାବ୍ଦୀ ଓ ରୀତାରାଣୀଙ୍କୁ ମହିଳା ଦିବସର ଶତ ଶତ ସଲାମ୍ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024-08-22t112507373z-whatsapp-image-2024-08-22-at-45429-pm.jpeg)
/kanak/media/media_files/2026/03/08/23-2026-03-08-21-55-36.jpg)