କନକ ବ୍ୟୁରୋ: ନେତାମାନେ ୭୫ବର୍ଷ ବୟସରେ ଅବସର ନେବା ଉଚିତ ବୋଲି ଆରଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତଙ୍କ ମନ୍ତବ୍ୟକୁ ନେଇ ରାଜନୀତି ଜୋର୍‌ ଧରିଛି । ଭାଗବତଙ୍କ ମନ୍ତବ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତି ଉଦ୍ଦିଷ୍ଟ ବୋଲି କଂଗ୍ରେସ ଅଭିହିତ କରିଛି । କାରଣ ଆଗାମୀ ସେପ୍ଟେମ୍ବର ୧୭ରେ ପ୍ରଧାନମନ୍ତ୍ରୀ ମୋଦୀ ୭୫ବର୍ଷରେ ପଦାର୍ପଣ କରିବେ

Advertisment


ନାଗପୁରରେ ଏକ ପୁସ୍ତକ ଉନ୍ମୋଚନ ଉତ୍ସବରେ ଆରଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତଙ୍କ ମନ୍ତବ୍ୟ ଏଭଳି ପ୍ରଶ୍ନକୁ ପୁଣିଥରେ ଦୋହରାଇଛି । ମୋହନଙ୍କ ମତରେ ନେତାମାନଙ୍କ କାନ୍ଧରେ ୭୫ବର୍ଷ ଉପଲକ୍ଷେ ଉତ୍ତରୀୟ ପଡ଼ିଲା ମାତ୍ରେ ସେମାନେ ରାଜନୀତିରୁ ଅବସର ନେବା ଉଚିତ, ଯାହାକୁ ନେଇ କଂଗ୍ରେସ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ତାତ୍ସଲ୍ୟ କରିଛି।

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଆଗାମୀ ସେପ୍ଟେମ୍ବର ୧୭ ତାରିଖରେ ୭୫ବର୍ଷ ବୟସ ହେବ । ଏହାର ମାତ୍ର ୬ଦିନ ପୂର୍ବରୁ ନିଜେ ଆର୍‌ଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତଙ୍କୁ ୭୫ବର୍ଷ ହେବ । ଗତମାର୍ଚ୍ଚ ମାସରେ ନିଜର ୧୧ବର୍ଷର ପ୍ରଧାନମନ୍ତ୍ରୀ ଦାୟିତ୍ବ ପୂରିବା ସମୟରେ ପ୍ରଥମଥର ପାଇଁ ମୋଦୀ ନାଗପୁର ମୁଖ୍ୟାଳୟ ଯାଇଥିଲେ । ଏହା ତାଙ୍କର ଅବସର ବିଷୟରେ ଆଲୋଚନା ପାଇଁ ଥିଲା ବୋଲି ସେତେବେଳେ ଶିବସେନା ଉଦ୍ଧବ ଗୋଷ୍ଠୀ ଅଭିହିତ କରିଥିଲା । ମାତ୍ର ବିଜେପି ଏଭଳି ମନ୍ତବ୍ୟକୁ ଖଣ୍ଡନ କରିଥିଲା

କିଛି ଦିନ ପୂର୍ବରୁ ଗୃହମନ୍ତ୍ରୀ ଅମିତ ଶାହ ଅବସର ପରେ ବେଦ, ଉପନିଷେଦ, ଜୈବିକ କୃଷି ଉପରେ ଧ୍ୟାନ ଦେବେ ବୋଲି ମନ୍ତବ୍ୟ ଦେଇଥିଲେ । ଏପରିକି ନରେନ୍ଦ୍ର ମୋଦୀ ୨୦୧୪ରେ ପ୍ରଧାନମନ୍ତ୍ରୀ ଦାୟିତ୍ବ ନେବା ସମୟରେ ୭୫ବର୍ଷର ଦ୍ବାହି ଦେଇ ପୂର୍ବତନ ବିଜେପି ସଭାପତି ଏଲ୍‌କେ ଆଡଭାନୀ ଓ ମୁରଲୀ ମନୋହର ଯୋଶୀଙ୍କୁ ମାର୍ଗଦର୍ଶନ ମଣ୍ଡଳୀରେ ଅନ୍ତର୍ଭୁକ୍ତ କରିଥିଲେ । ଏବେ ପ୍ରଶ୍ନ ଉଠୁଛି, ଭାରତର ସର୍ବ ପରାକ୍ରମୀ ପ୍ରଧାନମନ୍ତ୍ରୀର ଆଖ୍ୟା ପାଇଥିବା ନରେନ୍ଦ୍ର ମୋଦୀ ସତରେ କ’ଣ ଆଗାମୀ ସେପ୍ଟେମ୍ବରରେ ରାଜନୀତିରୁ ସନ୍ନ୍ୟାସ ନେବେ?