କନକ ବ୍ୟୁରୋ: ବଦଳିପାରେ ଦିଲ୍ଲୀ ଅନ୍ତର୍ଜାତୀୟ ବିମାନ ବନ୍ଦରର ନାଁ । ଏ କଥା ଆମେ ନୁହେଁ ବରଂ ଗୃହମନ୍ତ୍ରୀ ଅମିତ ଶାହଙ୍କ ପାଖରେ ଦାବି କରାଯାଇଛି । ଦିଲ୍ଲୀ ଗୁରୁଦ୍ବାର ରାକବଗଞ୍ଜରେ ଅମିତ ଶାହ ଥିବା ବେଳେ ଏନେଇ ଶିଖ ଗୁରୁଦ୍ବାର ପରିଚାଳନା କମିଟି ପକ୍ଷରୁ ଏନେଇ ଦାବି କରାଯାଇଛି । ସୂଚନା ଅନୁସାରେ, ଶ୍ରୀ ଗୋବିନ୍ଦ ସିଂଙ୍କର ପ୍ରକାଶ ପର୍ବରେ ସାମିଲ ହୋଇଥିଲେ ଅମିତ ଶାହ । ଆଉ ଏହି ସମୟରେ ଶାହଙ୍କ ସାମ୍ନାରେ କମିଟି ବିମାନ ବନ୍ଦରର ନାଁ ପରିବର୍ତ୍ତନ କରିବାକୁ ଦାବି କରିଥିଲା । ଯାହାକୁ ନେଇ ଏବେ ଚର୍ଚ୍ଚା ବଢିଛି । କାରଣ ପୂର୍ବରୁ ମୋଦି ସରକାର ଆସିବା ପରେ ଦେଶର ଅନେକ ସହର, ରେଲୱେ ଷ୍ଟେସନ ସହ ବିମାନ ବନ୍ଦରର ନାଁ ପରିବର୍ତ୍ତନ ହେଉଥିବା ନଜିର ରହିଛି । କିନ୍ତୁ ଏବେ ବହୁ ପୁରାତନ ବିମାନବନ୍ଦରର ନାଁ ପରିବର୍ତ୍ତନ ଲାଗି ଦାବି ହେବା ପରେ ଚର୍ଚ୍ଚା ଜୋର ।
ପାଖେଇ ଆସୁଛି ଦିଲ୍ଲୀ ନିର୍ବାଚନ
ସରଗରମ ହେଉଛି ରାଜଧାନୀ ରାଜନୀତି
ଦିଲ୍ଲୀ ନିର୍ବାଚନ ଯେତିକି ଯେତିକି ପାଖେଇ ଆସୁଛି, ରାଜନୈତିକ ବୟାନବାଜି ବି ସେତିକି ସେତିକି ଜୋର ଧରିଛି । କୁହାଯାଉଛି କି, ନିର୍ବାଚନ କମିଶନ ୨୩ ଫେବୃଆରୀ ପୂର୍ବରୁ ଦିଲ୍ଲୀରେ ନିର୍ବାଚନ ହୋଇପାରେ । କାରଣ ନିର୍ବାଚନ ଲାଗି ଯେଉଁ ସବୁ ପ୍ରସ୍ତୁତିର ଆବଶ୍ୟକତା ରହିଛି ତାହା ବି ସଂପୂର୍ଣ୍ଣ ହୋଇସାରିଲାଣି । ଏଥର ପାଖାପାଖି ୧ କୋଟି ୫୫ ଲକ୍ଷ ୨୪ ହଜାର ୮୫୮ ଜଣ ଭୋଟର ନିଜ ମତଦାନ ସାବ୍ୟସ୍ତ କରିବେ । ଏହା ମଧ୍ୟରୁ ୮୩ ଲକ୍ଷ ପୁରୁଷ ଭୋଟର ଥିବା ବେଳେ ୭୧ ଲକ୍ଷ ମହିଳା ଭୋଟର ଅଛନ୍ତି । ଅବଶ୍ୟ ଏନେଇ ପୁଣି ଥରେ ରିପୋର୍ଟ ଆସିବ, ଆଉ କିଛି ନୂଆ ଭୋଟରଙ୍କୁ ଏଥର ମତଦାନ କରିବାକୁ ସୁଯୋଗ ମିଳିପାରେ ।
ନିର୍ବାଚନ ଆସିଲେ ପ୍ରତ୍ୟେକ ଦଳ ନିଜନିଜର ମୁଦ୍ଦା ସାମ୍ନାରେ ରଖନ୍ତି । କିଏ ଜିତିଲେ କଣ କରିବେ ସେନେଇ ଅନେକ ପ୍ରତିଶୃତି ବି ଦିଅନ୍ତି । ହେଲେ ଏଥର ନିର୍ବାଚନରେ କିଏ କେତେ ଟଙ୍କା ଖର୍ଚ୍ଚ କରିବ ସେନେଇ ବି ଶାସକ-ବିରୋଧୀ ମୁହାଁମୁହିଁ ହେଲେଣି । ଏହାରି ଭିତରେ ଦିଲ୍ଲୀର ବିମାନ ବନ୍ଦରର ନାଁ ପରିବର୍ତ୍ତନ କଥା ଉଠୁଥିବାରୁ ରାଜନୈତିକ ବୟାନ ବାଜି ବି ଆରମ୍ଭ ହେବ ।
ସେପଟେ, ବିଜେପି ପକ୍ଷରୁ ମୋଦି ହିଁ ବ୍ରାଣ୍ଡ ଆମ୍ୱାସଡ଼ର ଭାବରେ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି । କେବଳ ମୋଦି ନୁହେଁ ବରଂ ବିଜେପିର ଅନେକ ବଡ଼ବଡ଼ ନେତା ବି ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି । କଂଗ୍ରେସ କି ଆପ୍ ବି ପଛରେ ନାହାନ୍ତି । ଲୋକାଭିମୁଖୀ ଯୋଜନାର ପ୍ରତିଶୃତି ଦେଇ ଭୋଟ୍ ମାଗିବାକୁ ପ୍ରୟାସ କରୁଛନ୍ତି ଦଳ । କିନ୍ତୁ ବିମାନ ବନ୍ଦରର ନାଁ ପରିବର୍ତ୍ତନ କଥା ସାମ୍ନାକୁ ଆସିଥିବାରୁ ଏବେ ଚର୍ଚ୍ଚା ଜୋର ଧରିଛି । ଅବଶ୍ୟ ଏନେଇ ବିଜେପିର କୌଣସି ନେତାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ, କିନ୍ତୁ ଦାବି ପରେ ଚର୍ଚ୍ଚା ଜୋର ଧରିଛି । ଏବେ ଅପେକ୍ଷା ଦିଲ୍ଲୀ ବିମାନ ବନ୍ଦରର ନାଁ ପରିବର୍ତ୍ତନ ହେଉଛି କି ନାହିଁ ।