କନକ ବ୍ୟୁରୋ : ଏବେ ବି ଇଣ୍ଡିଗୋ ଏୟାରଲାଇନ୍ସର ସଂକଟ ଜାରି ରହିଛି । ଯାତ୍ରୀମାନେ ନାହିଁ ନଥିବାର ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ଏହାକୁ ନେଇ କେନ୍ଦ୍ର ସରକାର ଓ ଇଣ୍ଡିଗୋ ମଧ୍ୟରେ ବିବାଦ ବି ଲାଗିଛି । ଏସବୁ ଭିତରେ ଇଣ୍ଡିଗୋ ଏୟାର ଲାଇନ୍ସ ତରଫରୁ ଏକ ବଡ଼ ଘୋଷଣା କରାଯାଇଛି । ଯାହା ଯାତ୍ରୀଙ୍କୁ ଆଶ୍ୱସ୍ତି କରିଛି । କମ୍ପାନି ତରଫରୁ ଘୋଷଣା କରାଯାଇଛି କି, ଡିସେମ୍ବର ଆରମ୍ଭରୁ ଦେଖାଦେଇଥିବା ସଂକଟରେ ଯାତ୍ରୀମାନେ ପ୍ରଭାବିତ ହୋଇଛନ୍ତି । ତେଣୁ ସେମାନଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ସହାୟତା ମିଳିବ । ଏହି ଭାଉଚର ମାଧ୍ୟମରେ ସେ ଗୋଟିଏ ବର୍ଷ ମଧ୍ୟରେ କେବେ ବି ଟିକେଟ୍ ବୁକିଂ ପାଇଁ ବ୍ୟବହାର କରିପାରିବେ । 

Advertisment

ଏୟାର ଲାଇନ୍ସ ସ୍ୱୀକାର କରିଛି କି, ଡିସେମ୍ବର ୩,୪ ଓ ୫ ତାରିଖରେ ହଜାର ହଜାର ଯାତ୍ରୀଙ୍କୁ ଦିନ ଦିନ ଧରି ବିମାନବନ୍ଦରରେ ଆପେକ୍ଷା କରିବାକୁ ପଡ଼ିଥିଲା । କିଛି ଯାତ୍ରୀ ସେମାନଙ୍କର କନେକ୍ଟିଂ ବିମାନ ଓ ଜରୁରୀ ଯାତ୍ରା କରିପାରିନଥିଲେ । କମ୍ପାନି କହିଛି କି, ଏହି ସମୟଟି ସେମାନଙ୍କ ପାଇଁ କଠିନ ସମୟ ଥିଲା । ଏହାର ସମ୍ପୂର୍ଣ୍ଣ ଦୋଷ କମ୍ପାନି ନିଜ ମୁଣ୍ଡ ଉପରକୁ ନେଇଛି । 

ଅଧିକ ପଢ଼ନ୍ତୁ--ଇଣ୍ଡିଗୋ ଏୟାରଲାଇନ୍ସର ସ୍ଥିତିରେ ସୁଧାର; ତିନି ଦିନରେ ଗୋଟିଏ ବି ବିମାନ ହୋଇନି ବାତିଲ

ସରକାର ଏବେ ଏବେ ଆଣିଥିବା ଉଡ଼ାଣ ନିୟମ ମୁତାବକ ଯଦି କୌଣସି ବିମାନ ନିର୍ଦ୍ଧାରିତ ସମୟର ୨୪ ଘଣ୍ଟା ପୂର୍ବରୁ ବାତିଲ ହେଉଛି ତେବେ ସେହି ଏୟାରଲାଇନ୍ସ ଯାତ୍ରୀଙ୍କ କ୍ଷତିପୂରଣ ଦେବାକୁ ବାଧ୍ୟ । ଏହି ନିୟମ ମୁତାବକ ବିମାନବନ୍ଦର ଠାରୁ ଯାତ୍ରୀଙ୍କ ଘରର ଦୂରତା ଆଧାର ପରେ ୫ ହଜାରରୁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ କ୍ଷତିପୂରଣ ମିଳିବ । ଏହି କ୍ରମରେ କିଛି ଯାତ୍ରୀଙ୍କୁ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ କ୍ଷତିପୂରଣ ମିଳିପାରେ । 

ସେପଟେ ଇଣ୍ଡିଗୋ କହିଛି କି, ଯେଉଁ ଯାତ୍ରୀମାନଙ୍କ ଉଡ଼ାଣ ରଦ୍ଦ ହୋଇଛି ସେମାନଙ୍କୁ ସେମାନଙ୍କର ଟିକେଟ୍ ଟଙ୍କା ଫେରସ୍ତ ପ୍ରକ୍ରିୟା ଚାଲିଛି । ଯଦି କୌଣସି ଯାତ୍ରୀ ଟିକେଟ ଟ୍ରେବୁଲ ଏଜେନ୍ସି, ଅନଲାଇନ୍ ପ୍ଲାଟଫର୍ମ କିମ୍ବା ଆପ୍ ମାଧ୍ୟମରେ କରିଛନ୍ତି ସେମାନଙ୍କୁ ମଧ୍ୟ ଟଙ୍କା ଫେରସ୍ତ ହେବ । ଯେଉଁମାନଙ୍କର ରିଫଣ୍ଡ ସ୍ଥିତି ଅନଲାଇନରେ ଦେଖିପାରୁନାହାଁନ୍ତି ସେମାନେ ତୁରନ୍ତ ଇ-ମେଲ ମାଧ୍ୟମରେ ସମ୍ପର୍କ କରିପାରିବେ । ଏୟାରଲାଇନ୍ସ ସ୍ୱୀକାର କରିଛି କି, ଉଡ଼ାଣରେ ଗଡ଼ବଡ଼ କାରଣରୁ ଅନେକ ଯାତ୍ରୀଙ୍କ ଅନୁଭବ ଖରାପ ରହିଛି । କିଛି ଯାତ୍ରୀ ସାରା ରାତି ଏୟାରପୋର୍ଟରେ କାଟିଛନ୍ତି, ଧାଡ଼ିରେ ଘଣ୍ଟା ଘଣ୍ଟା ଧରି ଠିଆ ହୋଇଛନ୍ତି । ଏହି କାରଣରୁ ସବୁଠାରୁ ଅଧିକ ପ୍ରଭାବିତ ଯାତ୍ରୀଙ୍କୁ ଏୟାର ଲାଇନ୍ସ ତରଫରୁ ୧୦ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରିବ ।