କନକ ବ୍ୟୁରୋ : ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରକୁ ସଫଳତାର ସହ ଯାତ୍ରା ସାରି ଭାରତ ଫେରିଥିଲେ ଶୁଭାଂଶୁ । ଭାରତୀୟ ମହାକାଶଚାରୀ ଗ୍ରୁପ୍ କ୍ୟାପଟେନ୍ ଶୁଭାଂଶୁ ଶୁକ୍ଳାଙ୍କୁ ନେଇ ଆଜି ସଂସଦରେ ଏକ ସ୍ୱତନ୍ତ୍ର ଆଲୋଚନା ଅନୁଷ୍ଠିତ ହେବ । ଏହି ଐତିହାସିକ ଉପଲବ୍ଧି ପାଇଁ ତାଙ୍କୁ ସଂସଦ ପକ୍ଷରୁ ସମ୍ମାନିତ କରାଯିବ । ଏହା ସହିତ ସେ ଆଜି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମଧ୍ୟ ତାଙ୍କ ବାସଭବନରେ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି । ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ ସୂଚନା ଦେଇଛନ୍ତି ଯେ "ବିକଶିତ ଭାରତ ୨୦୪୭ ପାଇଁ ମହାକାଶ କାର୍ଯ୍ୟକ୍ରମର ଗୁରୁତ୍ୱପୂର୍ଣ୍ଣ ଭୂମିକା" ଶୀର୍ଷକରେ ଏହି ଆଲୋଚନା ହେବ । ଏହି ଆଲୋଚନା ମାଧ୍ୟମରେ ଶୁଭାଂଶୁଙ୍କ ଉପଲବ୍ଧି ଏବଂ ଭାରତର ବଢୁଥିବା ମହାକାଶ ଅଭିଯାନର ଆକାଂକ୍ଷାକୁ ସମ୍ମାନ ଦିଆଯିବ ବୋଲି ସେ କହିଛନ୍ତି ।
ଶୁଭାଂଶୁ ଶୁକ୍ଳା ଆମେରିକାର ଆକ୍ସିୟମ୍-୪ ମିସନର ପାଇଲଟ୍ ଭାବରେ ମହାକାଶକୁ ଯାଇଥିଲେ । ସେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ୧୮ ଦିନ ରହିବା ସମୟରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ISRO) ଦ୍ୱାରା ପଠାଯାଇଥିବା ସାତୋଟି ଗବେଷଣା ସମେତ ପ୍ରାୟ ୬୦ଟି ବୈଜ୍ଞାନିକ ପରୀକ୍ଷଣ କରିଥିଲେ । ତାଙ୍କର ଏହି ମିସନ ଭାରତର ଆଗାମୀ 'ଗଗନଯାନ' ମାନବ ମହାକାଶ ମିସନ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି । ରବିବାର ଦିନ ଶୁଭାଂଶୁ ଭାରତ ଫେରିବା ପରେ ଦିଲ୍ଲୀ ବିମାନବନ୍ଦରରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ସେ ଆଗାମୀ ଅଗଷ୍ଟ ୨୩ ତାରିଖରେ ଜାତୀୟ ମହାକାଶ ଦିବସ ପାଳନରେ ମଧ୍ୟ ଅଂଶଗ୍ରହଣ କରିବେ ।