କନକ ବ୍ୟୁରୋ : ପାକିସ୍ତାନକୁ ଏଥର ତ୍ରାହି ନାହିଁ । ଆତଙ୍କବାଦୀଙ୍କୁ ଆଶ୍ରୟ ଦେଉଥିବା ପାକିସ୍ତାନକୁ ଜଳ, ସ୍ଥଳ, ଆକାଶ ପଥରେ ମିଳିବ ମୁହଁତୋଡ଼ ଜବାବ । ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତୀୟ ସେନାର ପ୍ରସ୍ତୁତି କିଛି ଏଭଳି ଦିଗକୁ ସଂକେତ ଦେଲାଣି । ସମ୍ଭାବ୍ୟ ଯୁଦ୍ଧର ଆଶଙ୍କା କରି ପାକିସ୍ତାନ ସେନାରୁ ଇସ୍ତଫାର ସୁଅ ଛୁଟିଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ।

Advertisment

ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଉଭୟ ସୀମା ଓ ଦିଲ୍ଲୀରେ ଜୋରଦାର ହଲଚଲ । ଭାରତର ୩ ସେନା ଏହା ଭିତରେ ପ୍ରସ୍ତୁତିକୁ ଦ୍ୱିଗୁଣିତ କରିସାରିଲାଣି । ଭାରତୀୟ ସ୍ଥଳସେନା କାଶ୍ମୀରର ବିଭିନ୍ନ ଅଞ୍ଚଳରେ ଆତଙ୍କବାଦୀଙ୍କୁ ଧରିବାକୁ ଜୋରଦାର କରିଛନ୍ତି ଅପରେସନ । ବାୟୁସେନା ଆକ୍ରମଣ ନାଁରେ ଯୁଦ୍ଧାଭ୍ୟାସ କରି ପ୍ରସ୍ତୁତିକୁ ଶେଷ ସ୍ପର୍ଶ ଦେଉଛି ।

ଅନ୍ୟପଟେ ନୌସେନାର ମଝି ସମୁଦ୍ରରୁ ମିସାଇଲ ପରୀକ୍ଷଣ ପାକିସ୍ତାନର ନିଦ ହଜାଇ ଦେଇଛି । ଏସବୁ ଭିତରେ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀ, ଜାତୀୟ ସୁରକ୍ଷା ପରାମର୍ଶଦାତାଙ୍କ ମଧ୍ୟରେ ବୈଠକ ବଡ଼ ଆକ୍ସନ ଆଡକୁ ଇଙ୍ଗିତ କରୁଛି । ସେନାର ଏଭଳି ପ୍ରସ୍ତୁତି ସମ୍ପର୍କରେ ମୋଦୀଙ୍କୁ ଅବଗତ କରିଛନ୍ତି ରାଜନାଥ । ପ୍ରତିରକ୍ଷା ବିଭାଗ ସମ୍ପର୍କିତ ପାର୍ଲାମେଣ୍ଟାରୀ ଷ୍ଟାଣ୍ଡିଂ କମିଟି ବୈଠକ ପରେ କିଛି ବଡ ନିଷ୍ପତ୍ତି ନେଇପାରେ ଭାରତ ।

ଭାରତୀୟ ସେନାର ପ୍ରସ୍ତୁତି ଦେଖି ଏଲଓସିରେ ଗୁଳିମାଡ ଆରମ୍ଭ କରିଛି ପାକ୍ ସେନା । ଏପରିକି ଟ୍ରେନ ଯୋଗେ ସୀମାକୁ ପାକିସ୍ତାନ ଟ୍ୟାଙ୍କର ପଠାଇବା ଆରମ୍ଭ କରିଛି । ତେବେ ଭାରତ ସହ ଯୁଦ୍ଧ କରିବା ମହଙ୍ଗା ପଡିବ ବୋଲି ପାକ୍ ପ୍ରଧାନମନ୍ତ୍ରୀ ଶାହାବାଜ ସରିଫଙ୍କୁ ଚେତାଇ ଦେଇଛନ୍ତି ଭାଇ ନୱାଜ ସରିଫ । ଏସବୁ ଭିତରେ ପାକିସ୍ତାନ ଉପରେ ଡିଜିଟାଲ ଷ୍ଟ୍ରାଇକ କରିଛି ଭାରତ । ୧୬ ପାକିସ୍ତାନୀ ୟୁଟ୍ୟୁବ ଚ୍ୟାନେଲକୁ ଭାରତରେ ବ୍ୟାନ କରାଯାଇଛି । ଏଭଳି ଉତ୍ତେଜନାମୂଳକ ସ୍ଥିତି ଭିତରେ ପୂର୍ବରୁ ଭାରତୀୟ ସୀମାରେ ବଙ୍କର ପ୍ରସ୍ତୁତି ସରିଥିବା ବେଳେ ଏବେ ଯୁଦ୍ଧ ଆଶଙ୍କା କରି ଫସଲ କାଟିବା ଆରମ୍ଭ କରିଛନ୍ତି ସୀମାବର୍ତ୍ତୀ ଅଞ୍ଚଳ ଲୋକେ ।

ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ପୂରାରୁ ବିଶ୍ୱ ନିନ୍ଦା କରୁଛି । ଆମେରିକା, ଋଷ, ଇସ୍ରାଏଲ ଭଳି ଦେଶ ପରେ ଏବେ ଭାରତ ସମର୍ଥନରେ ଆଫଗାନିସ୍ତାନ ସାମ୍ନାକୁ ଆସିଛି । ସୀମାରେ ଉତ୍ତେଜନା ଭିତରେ ଆହୁରି ୨୬ ରାଫେଲ କିଣିବାକୁ ଚୁକ୍ତି କରି ସେନାକୁ ଆହୁରି ବଳଶାଳୀ କରିବାକୁ ଯାଉଛି ଭାରତ ।